LIVE TV

ପ୍ରଚାର ମୈଦାନରେ ହେବ ମହାଲଢ଼େଇ, ୭ ଓ ୮ ତାରିଖରେ କମ୍ପିବ ନୂଆପଡ଼ା

NEWS7
truck-driver-loot-one-arrested-boudh

ନୂଆପଡ଼ା: ଶୀତ ପାଖେ ଆସୁଛି, ନୂଆପଡ଼ାରେ ପ୍ରଚାର ମୈଦାନର ଉଷ୍ମତା ବଢ଼ିବାରେ ଲାଗିଛି। ଏବେ ତିନି ଦଳର ନେତା ଓ କର୍ମୀ ନୂଆପଡ଼ାରେ ଡେରା ପକାଇଥିବା ବେଳେ ଟକ୍କର ଜୋରଦାର ହେବାରେ ଲାଗିଛି। ଏସବୁ ଭିତରେ ବି ସ୍ବାଧୀନ ପ୍ରାର୍ଥୀ ସେମାନଙ୍କର ଜିତିବା ଆଶା ବଳବତ୍ତର ରଖିଛନ୍ତି। ତେଣୁ ସବୁକିଛି ନିର୍ଭର କରେ ଭୋଟରଙ୍କ ମୁଡ କୁଆଡ଼େ ଯିବ। ଆଉ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ନୂଆପଡ଼ା ଆଡ଼େ ମୁହାଁଉଛନ୍ତି।

ପ୍ରଚାର ମୈଦାନରେ ହେବ ମହାଲଢ଼େଇ। ୭ ଓ ତାରିଖରେ କମ୍ପିବ ନୂଆପଡ଼ା।  ୩ ପ୍ରମୁଖ ରାଜନୈତିକ ଦଳର ଏହି ଦୁଇ ତାରିଖକୁ ଛକିଛନ୍ତି। କାରଣ ୯ ରେ ସରିବ ପ୍ରଚାର ତା ପୂର୍ବରୁ ହେବ ମାଷ୍ଟର ଷ୍ଟ୍ରୋକ।  ନବୀନ ଦୁଇଥର ନୂଆପଡ଼ାରେ କରିବେ ପ୍ରଚାର। ଆସନ୍ତାକାଲି କୋମନାରେ ନବୀନ ପ୍ରଚାର କରିବେ ଏବଂ  ୭ ତାରିଖରେ କରିବେ ପାୱାର ଶୋ । ଖରିଆଡ଼ ରୋଡ଼ରୁ ନୂଆପଡ଼ା ପର୍ଯ୍ୟନ୍ତ ରୋଡ଼ ଶୋ କରି ପ୍ରଚାର କରିବେ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ମାଗିବେ ଭୋଟ।

ସେପଟେ ସେହିଦିନ କଂଗ୍ରେସ ମଧ୍ୟ ପ୍ରଚାରରେ ଛକା ମାରିବାକୁ ବଡ଼ ଯୋଜନା କରିଛି।  ନୂଆପଡ଼ା ସାଲେଭଟା ଠାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ପ୍ରଚାରରେ ସାମିଲ ହେବେ।  ଇଲେକ୍ସନ ରେଜଲ୍ଟ ବଦଳାଇପାରୁଥିବା ରେବନ୍ତ  ଘାସିରାମ ମାଝୀଙ୍କ ପାଇଁ ସେହିଦିନ ସାରଥୀ ହେବେ।  ତେଣୁ କଂଗ୍ରେସ ଶିବିର ଚଳ ଚଞ୍ଚଳ ଥିବା ବେଳେ ବିଜୟ ନେଇ ଦମ୍ଭ ଦେଖାଇଛି ଦଳ।

ସେପଟେ ଶେଷ ପର୍ଯ୍ୟାୟରେ ବିଜେପିର ପ୍ରଚାର ମଙ୍ଗ ଧରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଦିନ ନୂଆପଡାରେ  ପ୍ରଚାର କରିବେ। ଏହାରି ଭିତରେ  ୮ ତାରିଖ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଚୂଡାନ୍ତ ହୋଇଥିବା ବେଳେ ଖୁବ ଶୀଘ୍ର ଅନ୍ୟ ତାରିଖ ମଧ୍ୟ ଜଣା ପଡ଼ିବ। ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜେ ନୂଆପଡା ଦାୟିତ୍ବ ନେଇ ସାରିଥିବା କହିଛନ୍ତି। ତେବେ ତାଙ୍କର ଗସ୍ତ ବିଜେପିକୁ ବଡ଼ ଫାଇଦା ଦେବା ବୋଲି ପ୍ରାର୍ଥୀ  ନେତା କର୍ମୀ ଆଶା ରଖିଛନ୍ତି।

ଏପଟେ ଆଜି ଦଳୀୟ ପ୍ରାଥୀ ଜୟ ଢୋଲକିଆଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଆଦିବାସୀ ଭୋଟ ବ୍ୟାଙ୍କକୁ ନିଜ ସପକ୍ଷରେ ଆଣିବାକୁ ଆଦିବାସୀଙ୍କ କଲ୍ୟାଣ ପାଇଁ କରାଯାଇଥିବା କାମକୁ ଲୋକଙ୍କୁ ବୁଝାଇଛନ୍ତି କେନ୍ଦ୍ର ମନ୍ତ୍ରୀ।। ପ୍ରଚାର ମୈଦାନରେ ୩ ପ୍ରମୁଖ ଦଳ ବଳ କଷୁଛନ୍ତି।  ଏହି ଉପ ନିର୍ବାଚନରେ  ଗୋଟି ଗୋଟି ଭୋଟକୁ ଗଣି ରଣନୀତି ପ୍ରସ୍ତୁତ କରୁଛନ୍ତି ପ୍ରାର୍ଥୀମାନେ। ସେହି ଅନୁସାରେ ପ୍ରଚାରରେ ଆସୁଛି ଉଷ୍ମତା।