ଚାବହାର ନିକଟରେ ଆମେରିକାର ଏୟାରଷ୍ଟ୍ରାଇକ୍, ଚିନ୍ତାରେ ଭାରତ : ପ୍ରଭାବିତ ହେବ ବ୍ୟବସାୟ !

NEWS7
todays-prediction-992

ତେହେରାନ, ୧୭ /୦୩:ଆମେରିକା ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୭ ଦିନରେ ପହଞ୍ଚିଛି । ଇରାନର ଆକ୍ରାମକ ସ୍ଥିତି ଥମୁ ନଥିବାରୁ ଆମେରିକା ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ସ୍ଥାନ ଉପରେ ଭୀଷଣ ଏୟାରଷ୍ଟ୍ରାଇକ୍ କରିଛି । ଭାରତର ବାଣିଜ୍ୟ ଉପରେ ଏହା ସିଧାସଳଖ ପ୍ରଭାବ ପକାଇବା ଆଶଙ୍କା ଦେଖାଦେଇଛି ।

ଟାର୍ଗେଟରେ ସିଏଫଜେଡ୍

ସୋମବାର ଆମେରିକାର ଯୁଦ୍ଧ ବିମାନ ଇରାନର ଚାବହାର ମୁକ୍ତ ବାଣିଜ୍ୟ ଶିଳ୍ପାଞ୍ଚଳ ବା ସିଏଫଜେଡ୍ ନିକଟରେ ପ୍ରଚଣ୍ଡ ଏୟାରଷ୍ଟ୍ରାଇକ୍ କରିଛି । ସିଏଫଜେଡ୍ ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ଥିବା ସାମରିକ ଘାଟିକୁ କରାଯାଇଛି ଟାର୍ଗେଟ୍ । ହମଲା ପରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଚାରିଆଡ଼ ଧୂଆଁମୟ ହୋଇଯାଇଥିଲା । ଚାବହାର ମୁକ୍ତ ବାଣିଜ୍ୟ ଜୋନ ଇରାନର ଦକ୍ଷିଣ ପୂର୍ବ ପ୍ରଦେଶ ସିସ୍ତାନ ଓ ବେଲୁଚିସ୍ତାନରେ ରହିଛି । ଏହା ପାକିସ୍ତାନ ସୀମା ନିକଟରେ ଅବସ୍ଥିତ । ଟ୍ରେଡ୍ ଜୋନର ଠିକ୍ ପଛରେ ଥିବା କୋହ ଲାକୀସ୍ଥିତ ସାମରିକ ପ୍ରତିଷ୍ଠାନ ଉପରେ ଏହି ଆକ୍ରମଣ ହୋଇଛି । ବିଦେଶୀ ନିବେଶ ଟାଣିବା ଲାଗି ୧୯୯୨ରେ ଚାବହାର ସିଏଫଜେଡ୍ ପ୍ରତିଷ୍ଠା ହୋଇଥିଲା । ବିଗତ କିଛି ଦଶନ୍ଧି ଧରି ଏହା ଇରାନ ଲାଗି ଏକ ପ୍ରମୁଖ ଶିଳ୍ପାଞ୍ଚଳ ଓ ଟ୍ରାଞ୍ଜିଟ୍ ହବ୍ ଭାବେ କାର୍ଯ୍ୟ କରୁଛି । ଏହାର ସୁରକ୍ଷା ସକାଶେ ସ୍ୱଳ୍ପ ଦୂରରେ ସାମରିକ ଘାଟି ବି ପ୍ରତିଷ୍ଠା ହୋଇଥିଲା । ଏହା ଉପରେ ଆକ୍ରମଣ ହେଲେ ଇରାନର ଅର୍ଥ ବ୍ୟବସ୍ଥା ଓ ସୁରକ୍ଷା ପାଇଁ ବଡ଼ ଧକ୍କା ହେବ ।

୧୦ ବର୍ଷ ପାଇଁ ଲିଜ୍

ଭାରତ ପାଇଁ ମଧ୍ୟ ଚାବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତ ୨୦୨୪ରେ ଚାବହାରକୁ ୧୦ ବର୍ଷ ନିମନ୍ତେ ଲିଜରେ ନେଇଥିଲା । ଲିଜ୍ ଚୁକ୍ତି ଅନୁସାରେ,ଭାରତ ଏଠାରେ ୧୨୦ ନିୟୁତ ଡଲାର ନିବେଶ କରିବ ଏବଂ ୨୫୦ ନିୟୁତ ଡଲାର ସୁଲଭ ଋଣ ଯୋଗାଇଦେବ । ଚାବହାର ବନ୍ଦର ଭାରତକୁ ଆଫଗାନିସ୍ତାନ,ମଧ୍ୟ ଏସିଆ,ରୁଷ ଏବଂ ୟୁରୋପ ସହ ସିଧାସଳଖ ଭାବେ ବାଣିଜ୍ୟ କାରବାରରେ ସହାୟତା କରିଥାଏ । ବଡ଼ କଥା ହେଉଛି ଚାବହାର ଜୋନ ଯୋଗୁ ଭାରତକୁ ପାକିସ୍ତାନ ଯିବାକୁ ପଡ଼ୁନାହିଁ । ଏହା ଅନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର (ଆଇଏନଏସଟିସି)ର ଏକ ମୁଖ୍ୟ ଅଂଶ ମଧ୍ୟ । ୨୦୨୫ ଅକ୍ଟୋବରରେ ଆମେରିକାର ବିଦେଶ ମନ୍ତ୍ରଣାଳୟ ଭାରତକୁ ଚାବହାର ବନ୍ଦର ବ୍ୟବହାର ଲାଗି ଛଅ ମାସ କଟକଣାରୁ ରିହାତି ଦେଇଥିଲା ।

ଭାରତ ସର୍ବଦା ମାନବୀୟ ସହାୟତା ଏବଂ ଆଞ୍ଚଳିକ ସଂଯୋଗ ନିମନ୍ତେ ଏହାକୁ ବ୍ୟବହାର କରିଆସିଛି । ଏବେ ଆମେରିକା ଏହା ନିକଟରେ ଆକ୍ରମଣ କରିଥିବାରୁ ଭାରତର ଚିନ୍ତା ବଢ଼ିଛି । ଏହା ଉପରେ ସିଧାସଳଖ ମିସାଇଲ ମାଡ଼ ହେଲେ ଭାରତ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ । ଏଥିସହ ରଣନୀତିକ ଯୋଜନା ବି ପ୍ରଭାବିତ ହେବ ।

ଆମେରିକା ଓ ଇସ୍ରାଏଲ ତେହରାନ ଉପରେ ଭୀଷଣ ଏୟାରଷ୍ଟ୍ରାଇକ୍ କରିଛନ୍ତି । ଏ ନେଇ ଇରାନର ରେଡ୍ କ୍ରିସେଣ୍ଟ ସୋସାଇଟି କହିଛି,ତେହରାନ ଉପରେ ହୋଇଥିବା ସଦ୍ୟ ହମଲା ଯୋଗୁ ଏକ କ୍ଲିନିକ ଏବଂ ଆଶ୍ରୟ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି । ଏ ନେଇ ଭିଡିଓ ବି ସାମ୍ନାକୁ ଆସିଛି । ସେହିଭଳି ଖୋମେନ ସହରରେ ଥିବା ସାହିଦ ଖୋମେନି ବୟଜ ସ୍କୁଲ ଉପରେ ସୋମବାର ସକାଳେ ଏୟାରଷ୍ଟ୍ରାଇକ୍ ହୋଇଥିଲା । ଏଥିରେ କେତେ ମୃତାହତ ହୋଇଛନ୍ତି,ତାହା ଜଣାପଡ଼ି ନାହିଁ । ଏହା ପୂର୍ବରୁ ଇରାନର ମିନାବରେ ଥିବା ଏକ ଗାର୍ଲସ ସ୍କୁଲ ଉପରେ ଆକ୍ରମଣ ହୋଇଥିଲା । ଏଥିରେ ୨୦୦ରୁ ଅଧିକ ଛାତ୍ରୀ ଏବଂ ଶିକ୍ଷକ ପ୍ରାଣ ହରାଇଥିଲେ ।