LIVE TV

ବିମାନ ଟିକେଟ ବୁକିଂର ୪୮ ଘଣ୍ଟାରେ ମଧ୍ୟରେ ମାଗଣାରେ ହୋଇପାରିବ କ୍ୟାନ୍ସଲ, ଖୁବଶୀଘ୍ର ଡିଜିସିଏ ଆଣିପାରେ ନୂଆ ନିୟମ

NEWS7
todays-prediction-850

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଆସିପାରେ ନୂଆ ସୁବିଧା। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ବା ଡିଜିସିଏ ଏହି ନୂଆ ସୁବିଧା ସମ୍ପର୍କିତ ଡ୍ରାଫ୍ଟ ଜାରି କରିଛି। ଏହା ଅନୁସାରେ ଏଣିକି ଯାତ୍ରୀ ବିମାନ ଟିକେଟ ବୁକ୍ କରିବାର ୪୮ ଘଣ୍ଟା ମଧ୍ୟରେ ବିନା କୌଣସି ଅତିରିକ୍ତ ଚାର୍ଜରେ କ୍ୟାନ୍ସଲ କିମ୍ବା ଟ୍ରାଭେଲ ତାରିଖରେ ପରିବର୍ତ୍ତନ କରିପାରିବେ।

ଆହୁରି ମଧ୍ୟ ଯଦି ଟିକେଟରେ ପରିବର୍ତ୍ତନ କରିବାକୁ ଚାହୁଥିବେ, ଆଉ ସେହି ସିଟର ମୂଲ୍ୟ ଅଧିକ ଥିବ, ତେବେ ତାଙ୍କୁ କେବଳ ଟିକେଟର ଅତିରିକ୍ତ ଭଡ଼ା ଦେବାକୁ ପଡ଼ିବ। ଏଥିପାଇଁ କୌଣସି ଅତିରିକ୍ତ ଚାର୍ଜ ଲାଗିବନି। ସେହିଭଳି ନାଁରେ କୌଣସି ତ୍ରୁଟି ଥିଲେ ତାହାକୁ ୨୪ ଘଣ୍ଟାରେ ମଧ୍ୟରେ ମାଗଣାରେ ପରିବର୍ତ୍ତନ କରିପାରିବେ।

ରିଫଣ୍ଡ ଉପରେ ମଧ୍ୟ ନିୟମ ଆସିପାରେ। ଯାତ୍ରୀ ଟିକେଟ ଏୟାରଲାଇନ୍‌ର ଓ୍ବେବସାଇଟ ସିଧାସଳଖ ବୁକ୍ କରିଥାନ୍ତୁ କିମ୍ବା ଟ୍ରାଭେଲ ଏଜେଣ୍ଟ କିମ୍ବା କୌଣସି ପୋର୍ଟାଲରୁ, ରିଫଣ୍ଡର ଦାୟିତ୍ବ ଏୟାରଲାଇନ୍ସର ରହିବ। ରିଫଣ୍ଡ ୨୧ କାର୍ଯ୍ୟଦିବସ ମଧ୍ୟରେ ଦେବାକୁ ହେବ। ଡ୍ରାଫ୍ଟ ଅନୁସାରେ ମେଡିକାଲ ଇମରଜେନ୍ସୀରେ ଏୟାରଲାଇନ ସଂପୂର୍ଣ୍ଣ ରିଫଣ୍ଡ ମଧ୍ୟ ଦେଇପାରେ।

ତେବେ ଏହି ସୁବିଧା ସେହି ଫ୍ଲାଇଟ ଉପରେ ଲାଗୁ ହେବନାହିଁ ଯାହାର ଯାତ୍ରା ତାରିଖ ଯାତ୍ରୀ ବୁକିଂ କରିଥିବା ତାରିଖର ୫ ଦିନ ଭିତରେ (ଘରୋଇ ବିମାନ) କିମ୍ବା ୧୫ ଦିନ ଭିତରେ (ଅନ୍ତର୍ଜାତୀୟ ବିମାନ) ରହିଛି। ଅର୍ଥାତ ଏଭଳି କମ୍ ସମୟ ଭିତରେ ଟିକେଟ ବୁକ ଉପରେ ଏହି ନିୟମ ଲାଗୁ ହେବ ନାହିଁ। ଡିଜିସିଏ ଯାତ୍ରୀଙ୍କୁ ଏଥିପାଇଁ ନଭେମ୍ବର ୩୦ ପର୍ଯ୍ୟନ୍ତ ପରାମର୍ଶ ମାଗିଛି। ସବୁକିଛି ଠିକ୍ ରହିଲେ, ନିୟମ ତିଆରି ହେବ। କିନ୍ତୁ ଏହା କେବେଠାରୁ ଲାଗୁ ହେବ, ଏହା ନିର୍ଦ୍ଧାରିତ ହୋଇନାହିଁ।

ବର୍ତ୍ତମାନ ଭାରତରେ ଏୟାର ଟିକେଟ କ୍ୟାନ୍ସଲ ଉପରେ କୌଣସି ସାଧାରଣ ୪୮ ଘଣ୍ଟିଆ ଗ୍ରେସ ପିରିୟଡ ନାହିଁ। ଅଧିକାଂଶ ଏୟାରଲାଇନ୍ସ ନିଜର ପଲିସି ଅନୁସାରେ ଫି’ ନେଉଛନ୍ତି। ରିଫଣ୍ଡ ପ୍ରୋସେସ ମଧ୍ୟ ମନ୍ଥର। ଫଳରେ ଯାତ୍ରୀଙ୍କୁ ଅସୁବିଧାର ସାମ୍‌ନା କରିବାକୁ ପଡ଼ୁଛି। ବିଶେଷ କରି ଟ୍ରାଭେଲ ଏଜେଣ୍ଟସ କିମ୍ବା ପୋର୍ଟାଲରୁ ବୁକିଂରେ ରିଫଣ୍ଡ୍‌ରେ ବିଳମ୍ବ ସାଧାରଣ ।

ଡିଜିସିଏର ଏହି ପଦକ୍ଷେପ ଦ୍ବାରା ଏଭଳି ଅସୁବିଧାର ସମାଧାନ ହୋଇପାରିବ। ଯାତ୍ରୀଙ୍କୁ ସୁବିଧା ହେବ। ତେବେ ବିଶେଷଜ୍ଞଙ୍କ ଅନୁସାରେ ଏହା ଯାତ୍ରୀଙ୍କ ପାଇଁ ବେଶ ଭଲ ହେବ। ଅବଶ୍ୟ କିଛି ଏୟାରଲାଇନ୍ସଙ୍କ ଅନୁସାରେ ଏଥିରେ ସେମାନଙ୍କର ଆୟ ଉପରେ ପ୍ରଭାବ ପଡ଼ିପାରେ।