ଇରାନର ନୂଆ ସୁପ୍ରିମ ଲିଡର ମୋଜତାବା ଖାମିନୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବଡ଼ ଅପଡେଟ୍: 'ଯୁଦ୍ଧରେ ଆହତ ହୋଇ...

NEWS7
todays-prediction-777

ତେହେରାନ,୧୧/୦୩: ଆମେରିକା-ଇସ୍ରାଏଲ୍ ଆକ୍ରମଣ ଏବଂ ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମିନୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯୁଦ୍ଧରେ ଆହତ ହୋଇଥିଲେ ମଧ୍ୟ ୫୬ ବର୍ଷୀୟ ମୋଜତାବା ବର୍ତ୍ତମାନ "ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସୁସ୍ଥ" ଅଛନ୍ତି ବୋଲି ଇରାନ ରାଷ୍ଟ୍ରପତି ମାସୁଦ ପେଜେସକିଆନଙ୍କ ପୁଅ ୟୁସେଫ୍ ପେଜେସକିଆନ ସୂଚନା ଦେଇଛନ୍ତି।

ରାଷ୍ଟ୍ରପତିଙ୍କ ପୁଅ କଣ କହିଲେ?

ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ ପୂର୍ବତନ ସର୍ବୋଚ୍ଚ ନେତା ଅଲି ଖାମିନୀଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମୋଜତାବାଙ୍କୁ ଦେଶର ନୂଆ ନେତା ଭାବେ ନିଯୁକ୍ତି ଦିଆଯାଇଛି। ତେବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସେ ସାର୍ବଜନୀନ ଭାବେ କେଉଁଠି ନଜର ଆସିନଥିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗିରହିଥିଲା।

ଏହାର ଅବସାନ ଘଟାଇ ସରକାରୀ ଉପଦେଷ୍ଟା ତଥା ରାଷ୍ଟ୍ରପତିଙ୍କ ପୁଅ ୟୁସେଫ୍ ନିଜ ଟେଲିଗ୍ରାମ୍ ଆକାଉଣ୍ଟରେ ଲେଖିଛନ୍ତି, "ମୁଁ ଖବର ପାଇଲି ଯେ ଶ୍ରୀ ମୋଜତାବା ଖାମିନୀ ଆହତ ହୋଇଛନ୍ତି। ଏହାପରେ ମୁଁ କିଛି ସମ୍ପର୍କୀୟ ଓ ବନ୍ଧୁମାନଙ୍କୁ ପଚାରି ବୁଝିଲି। ସେମାନେ ମୋତେ କହିଲେ ଯେ, ଭଗବାନଙ୍କ କୃପାରୁ ସେ ସୁରକ୍ଷିତ ଏବଂ ସୁସ୍ଥ ଅଛନ୍ତି।" ଏହା ପୂର୍ବରୁ ଇରାନର ରାଷ୍ଟ୍ରୀୟ ଗଣମାଧ୍ୟମ ମୋଜତାବାଙ୍କୁ "ରମଜାନ ଯୁଦ୍ଧର ଜଣେ ଆହତ ଯୋଦ୍ଧା" ବୋଲି ସମ୍ବୋଧିତ କରିଥିଲା, କିନ୍ତୁ ତାଙ୍କ ଆଘାତ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇନଥିଲା।

ଗୁପ୍ତ ସ୍ଥାନରେ ନେଇଛନ୍ତି ଆଶ୍ରୟ

ଆମେରିକାର ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ:

ମୋଜତାବା ଖାମିନୀଙ୍କ ଗୋଡ଼ ସମେତ ଶରୀରର କେତେକ ସ୍ଥାନରେ ଆଘାତ ଲାଗିଛି। ତେବେ ସେ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି ଏବଂ ଏକ ଅତ୍ୟନ୍ତ ସୁରକ୍ଷିତ ତଥା ଗୁପ୍ତ ସ୍ଥାନରେ ଆଶ୍ରୟ ନେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ତାଙ୍କର ଯୋଗାଯୋଗ ବ୍ୟବସ୍ଥାକୁ ଅତ୍ୟନ୍ତ ସୀମିତ ରଖାଯାଇଛି।

ପ୍ରଥମ ଥର ପାଇଁ ବାପାଙ୍କ ପରେ ପୁଅ ନେତା

ସୂଚନାଯୋଗ୍ୟ ଯେ, ଚଳିତ ମାସ ଆରମ୍ଭରେ ଇରାନର 'ଆସେମ୍ବ୍ଲିଅଫ୍ ଏକ୍ସପର୍ଟ୍ସ' ଦ୍ୱାରା ମୋଜତାବାଙ୍କୁ ନୂଆ ସୁପ୍ରିମ ଲିଡର ଭାବେ ଚୟନ କରାଯାଇଥିଲା। ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନର ଇତିହାସରେ ଏହା ପ୍ରଥମ ଥର, ଯେତେବେଳେ ସର୍ବୋଚ୍ଚ ନେତା ପଦବୀ ଜଣେ ପିତାଙ୍କ ପରେ ତାଙ୍କ ପୁଅଙ୍କୁ ହସ୍ତାନ୍ତର କରାଯାଇଛି।