ଟି-୨୦ ବିଶ୍ୱକପର ଅଜବ ଇତିହାସ: ୯ଟି ସଂସ୍କରଣ ସରିଛି, ହେଲେ କେବେ ଜିତିନି ଆୟୋଜକ ଟିମ୍

NEWS7
todays-prediction-454

ନୂଆଦିଲ୍ଲୀ: ଫେବୃଆରୀ ୭ରୁ T20 ବିଶ୍ୱକପ୍ 2026 । କପ୍ ପାଇଁ ଲଢ଼ିବେ ମୋଟ ୨୦ଟି ଦଳ । ଭାରତ ଏବଂ ଶ୍ରୀଲଙ୍କା ଏକାଠି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛନ୍ତି । ଲଗାତାର ଦ୍ବିତୀୟ ଥର ପାଇଁ କପ୍ ହାତେଇବାକୁ ଚେଷ୍ଟା କରିବ ଡିଫେଣ୍ଡିଂ ଚାମ୍ପିଅନ ଭାରତ । ଟି-୨୦ ବିଶ୍ବକପ ଇତିହାସରେ କୌଣସି ଦଳ ଲଗାତାର କପ୍ ଜିତିନାହିଁ । ୨୦୦୭ରୁ ଆରମ୍ଭ ହୋଇଥିବା ଟି-୨୦ ବିଶ୍ବକପ ଦଶମ ସଂସ୍କରଣ ଲାଗି ସବୁ ଦଳ ତୟାର । ଭାରତ ଏବେ ଦମଦାର ଫର୍ମରେ ଥିବା ବେଳେ, ବାକି ଦଳ ମଧ୍ୟ କପ୍ ନେବାକୁ ଉତ୍ସୁକ । ଏପର୍ଯ୍ୟନ୍ତ ବିଶ୍ୱର କେବଳ ତିନୋଟି ଦଳ ଦୁଇଥର ଟି-୨୦ ବିଶ୍ୱକପ୍ ଜିତିଛନ୍ତି । କିନ୍ତୁ ଘରୋଇ ଗ୍ରାଉଣ୍ଡରେ କୌଣସି ଦଳ ଜିତିନାହାନ୍ତି ଟ୍ରଫି ।

ଟିମ୍ ଇଣ୍ଡିଆ ଏଥର ଯଦି ଚାମ୍ପିଅନ୍ ହେବାରେ ସଫଳ ହୁଏ, ତେବେ ଭାରତ ସର୍ବାଧିକ ଥର ବିଜୟୀ ହେବାର ସୌଭାଗ୍ୟ ଅର୍ଜନ କରିବ । ପ୍ରଥମ ଟି-୨୦ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା ଭାରତ । ୨୦୦୭ରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍ ର ପ୍ରଥମ ସଂସ୍କରଣରେ, ଭାରତୀୟ ଦଳ ଏକ ରୋମାଞ୍ଚକର ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଟାଇଟଲ୍ ଜିତିଥିଲା। ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ, ଟିମ୍ ଇଣ୍ଡିଆ ଜିତିଥିଲା ଏହି ଟାଇଟଲ୍ । ୨୦୦୯ରେ ପାକିସ୍ତାନ ଟି-୨୦ ବିଶ୍ୱକପ୍ ଜିତିଥିଲା । ଦୀର୍ଘ ଅପେକ୍ଷା ପରେ ୨୦୨୪ରେ ରୋହିତ ଶର୍ମାଙ୍କ ଅଧିନାୟିକତ୍ବରେ କପ୍ ଜିତିଥିଲା ଭାରତୀୟ ଟିମ୍ ।

ସେପଟେ ଟି-୨୦ ବିଶ୍ବକପ୍କୁ ନେଇ ଉତ୍ସାହ ଯେତିକି, ଆଶଙ୍କା ମଧ୍ୟ ସେତିକି । ଯେଉଁ ଦେଶ ଟି-୨୦ ବିଶ୍ବକପ୍ ଆୟୋଜନ କରେ, ସେହି ଦଳ ଟ୍ରଫି ଜିତିପାରେ ନାହିଁ । ଯେମିତିକି ଭାରତ, ଦୁଇ ଥର ଟାଇଟଲ୍ ବିଦେଶ ମାଟିରେ ଜିତିଛି । ପ୍ରଥମେ ୨୦୦୭ରେ ଜୋହାନ୍ସବର୍ଗରେ ଟାଇଟଲ ଜିତିଥିଲା ଭାରତ । ସେବେ ଆୟୋଜକ ଥିଲା ଦକ୍ଷିଣ ଆଫ୍ରିକା । ସେହିଭଳି ୨୦୨୪ରେ ଓ୍ବେଷ୍ଟଇଣ୍ଡିଜ୍ରେ ଟ୍ରଫି କବଜା କରିଥିଲା ରୋହିତ ସେନା । ସେତେବେଳେ ବିଶ୍ବକପ ଆୟୋଜକ ଥିଲେ ଆମେରିକା ଏବଂ ଓ୍ବେଷ୍ଟ ଇଣ୍ଡିଜ୍ । ଏମିତି ଅଜବ ସଂଯୋଗ ସବୁ ଟିମ୍ ସହିତ ଘଟିଛି । ଆୟୋଜକ ଦେଶ କେବେ ଜିତିପାରିନି ଟ୍ରଫି ।

୨୦୧୬ରେ ଟି-୨୦ ବିଶ୍ବକପ୍ର ଆୟୋଜକ ଥିଲା ଭାରତ କିନ୍ତୁ ଚାମ୍ପିଅନ ହୋଇଥିଲା ଓ୍ବେଷ୍ଟ ଇଣ୍ଡିଜ୍ । ୨୦୦୭ରେ ଦକ୍ଷିଣ ଆଫ୍ରିକା, ୨୦୦୯ରେ ଇଂଲଣ୍ଡ, ୨୦୧୦ରେ ଓ୍ବେଷ୍ଟ ଇଣ୍ଡିଜ୍ ଆୟୋଜକ ଥିଲେ । ୨୦୧୨ରେ ଶ୍ରୀଲଙ୍କା, ୨୦୧୪ରେ ବାଂଲାଦେଶ ଥିଲା ଆୟୋଜକ । ଭାରତ ୨୦୧୬, ୟୁଏଇ ଏବଂ ଓମାନ ୨୦୨୧ ରେ ବିଶ୍ବକପ୍ ଆୟୋଜନ କରିଥିଲେ । ସେହିଭଳି ଅଷ୍ଟ୍ରେଲିଆ ୨୦୨୨ ଏବଂ ଆମେରିକା-ଓ୍ବେଷ୍ଟ ଇଣ୍ଡିଜ୍ ୨୦୨୪ରେ ଥିଲେ ଆୟୋଜକ । କିନ୍ତୁ ଚାମ୍ପିଅନ ଟିମ୍ ଥିଲେ ଭିନ୍ନ ।

ଗତ ୯ଟି ସଂସ୍କରଣରେ ଆୟୋଜକ୍ ଦଳ ଏବଂ ବିଜୟୀ ଟିମ୍ ଭିନ୍ନ । ୨୦୦୭ରେ ଜିତିଥିଲା ଭାରତ । ୨୦୦୯ରେ ପାକିସ୍ତାନ, ୨୦୧୦ରେ ଇଂଲଣ୍ଡ ଏବଂ ୨୦୧୨ରେ ଓ୍ବେଷ୍ଟଇଣ୍ଡିଜ୍ । ୨୦୧୪ରେ ଶ୍ରୀଲଙ୍କା, ୨୦୧୬ରେ ଓ୍ବେଷ୍ଟ ଇଣ୍ଡିଜ୍ ଏବଂ ୨୦୨୧ରେ ଅଷ୍ଟ୍ରେଲିଆ ଜିତିଥିଲା ଟ୍ରଫି । ସେହିଭଳି ୨୦୨୨ରେ ଇଂଲଣ୍ଡ ଏବଂ ୨୦୨୪ରେ ଚାମ୍ପିଅନ ହୋଇଥିଲା ଭାରତ । ଆଜି ପର୍ଯ୍ୟନ୍ତ ଟି-୨୦ ବିଶ୍ବକପ୍ରେ ଭାରତ, ଓ୍ବେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ ଦୁଇ ଥର ଲେଖାଏଁ ଚାମ୍ପିଅନ ହୋଇଛନ୍ତି । ପାକିସ୍ତାନ, ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ଥରେ ଲେଖାଏଁ ନେଇଛନ୍ତି ଟ୍ରଫି ।

ଅନ୍ୟପକ୍ଷରେ ଏଥର ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଟି-୨୦ ବିଶ୍ବକପ୍ ଆୟୋଜନ କରୁଛନ୍ତି । ଭାରତୀୟ ଟିମ୍ ଦମଦାର ଫର୍ମରେ ଥିବା ବେଳେ ଟପଟୁ ବଟମ୍ ସବୁ ପ୍ଲେୟାର ତୟାର । ପ୍ରଥମେ ଫେବ୍ରୁଆରୀ ୭ରେ ଆମେରିକାକୁ ଭେଟିବ ଭାରତ । ଏସବୁ ଭିତରେ ଖେଳପ୍ରେମୀଙ୍କ ମନରେ ଆଶଙ୍କା । ଏଥର ଟ୍ରଫି ଜିତପାରିବ ତ ଭାରତ ? ନା ଭାଙ୍ଗିବ ପରମ୍ପରା, ଟ୍ରଫି ହାତେଇବ ସୂର୍ଯ୍ୟ ସେନା ? ମାର୍ଚ୍ଚ ୮ରେ ଆସିବ ଫାଇନାଲ୍ ଫୈସଲା । ଆଉ ସ୍ପଷ୍ଟ ହୋଇଯିବ, ବିଜେତା କିଏ ?