T 20 World Cup: ଭାରତ-ପାକିସ୍ତାନ ମହାମୁକାବିଲା, ପୁଣି ଥରେ ହାତ ମିଳାଇଲେ ନାହିଁ ସୂର୍ଯ୍ୟକୁମାର-ସଲମାନ

NEWS7
todays-prediction-441

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ଵକପ୍ ୨୦୨୫ରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ ଓ ପାକିସ୍ତାନ। ମାତ୍ର ଏହି ମୁକାବିଲା ପୂର୍ବରୁ ଦୁଇ ଦେଶ ମଧ୍ୟରେ ଗରମାଗରମ ଉଚ୍ଚସ୍ତରରେ ରହିଛି। ଏହାର ଝଲକ ଟସ୍ ସମୟରେ ଦେଖିବାକୁ ମିଳିଛି। ଟସ୍ ପଡ଼ିବା ବେଳେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପୁଣି ଥରେ ପାକିସ୍ତାନର ଅଧିନାୟକ ସଲମାନ ଆଘାଙ୍କ ସହ ହାତ ମିଳାଇ ନାହାନ୍ତି। ଏସିଆ କପରୁ ଜାରି ଟିମ୍ ଇଣ୍ଡିଆର ନୋ ହ୍ୟାଣ୍ଡସେକ ପଲିସିକୁ ବିଶ୍ଵକପରେ ମଧ୍ୟ ଜାରି ରହିଛି।

ଏହି ମୁକାବିଲା କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳା ଯାଉଛି। ଏହି ମ୍ୟାଚରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏବେ ମ୍ୟାଚ୍ ସରିବା ପରେ ମଧ୍ୟ ଦୁଇ ଦେଶର ଖେଳାଳି ଓ ସହାୟକ ଷ୍ଟାଫ ମଧ୍ୟରେ ହାତ ନ ମିଳାଇବାର ସମ୍ଭାବନା ରହିଛି। ସୂର୍ଯ୍ୟକୁମାର ପହଲଗାମ ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରର ସମ୍ମାନ ଓ ଅପରେସନ ସିନ୍ଦୂର ପରେ ଭାରତୀୟ ସେନା ପ୍ରତି ଏକଜୁଟତା ଦେଖାଇବା ପାଇଁ ପାକିସ୍ତାନ ଖେଳାଳିଙ୍କ ସହ ହାତ ନ ମିଳାଇବାର ନୀତି ଆପଣାଇଥିଲେ।

ମ୍ୟାଚ୍ ପୂର୍ବରୁ ଏହା ତେବେ ସ୍ପଷ୍ଟ ହୋଇ ଯାଇଥିଲା ଯେବେ ସୂର୍ଯ୍ୟକୁମାର ଓ ସଲମାନ ଉଭୟ କରମର୍ଦ୍ଦନ ନେଇ କିଛି ସ୍ପଷ୍ଟ ଭାବେ କହି ନ ଥିଲେ। ପାକିସ୍ତାନର ଅଧିନାୟକ ସଲମାନ ଆଘା ଏତିକି କହିଥିଲେ ଯେ, ଆମେ କ୍ରିକେଟ୍ ଭାବନାକୁ ବଜାୟ ରଖିବାକୁ ଚାହିଁବୁ। ଏପ୍ରିଲ ମାସରେ ପହଲଗାମ ଆତଙ୍କୀ ହମଲାର ତିକ୍ତ ସ୍ମୃତି ଏବେ ବି ତାଜା ରହିଛି। ଆଉ ଭାରତୀୟ ଅଧିନାୟକ ଏହି ନୀତିକୁ ବଜାୟ ରଖିଛନ୍ତି।

ମ୍ୟାଚରେ ଟସ୍ ଜିତି ପାକିସ୍ତାନ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଉ ପ୍ରଥମେ ବ୍ୟାଟିଂ କରିବ ଭାରତ। ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ ଘଟିଛି। ପାକିସ୍ତାନ ଦଳରେ କୌଣସି ପରିବର୍ତ୍ତନ ଘଟି ନାହିଁ। ଭାରତ ଆଶା ଅନୁଯାୟୀ ଦୁଇଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଛି। ସୁସ୍ଥ ହେବା ପରେ ଅଭିଷେକ ଶର୍ମା ଚୂଡ଼ାନ୍ତ ଏକାଦଶକୁ ଫେରିଛନ୍ତି। ଆଉ ସଞ୍ଜୁ ସାମସନଙ୍କୁ ବେଞ୍ଚରେ ବସିବାକୁ ପଡ଼ିଛି। ଅନ୍ୟପଟେ ପରିବେଶ, ପିଚ୍ ଓ ଷ୍ଟାଡିୟମକୁ ଦୃଷ୍ଟିରେ ରଖି କୁଲଦୀପ ଯାଦବଙ୍କ ଚୂଡ଼ାନ୍ତ ଏକାଦଶରେ ଏଣ୍ଟ୍ରି ହୋଇଛି। ଅର୍ଶଦୀପ ସିଂଙ୍କୁ ଆଜି ବାହାରେ ବସିବାକୁ ପଡ଼ିଛି।