LIVE TV

ଲାଗିଛି ଜଗାର ଡୋରି ; ରାଜସ୍ଥାନ କରୋଲିରୁ ପୁରୀ, ଦଣ୍ଡବତ ମୁଣ୍ଡିଆ ମାରି ୧୮ଶହରୁ ଅଧିକ କିଲୋମିଟର ଯାତ୍ରା

NEWS7
todays-prediction-375

ଝାରସୁଗଡ଼ା : ଧନ୍ୟ ତୁମେ ପ୍ରଭୁ... ଧନ୍ୟ ତୁମ ଲୀଳା... ଦରଶନ ଟିକେ ଦବ ବୋଲି ଏତେ କଲବଲ। ଆଣ୍ଠୁ ଗଣ୍ଠି ପରା ମୋର ଛିଡି ଗଲାଣି। ତୁମକୁ କଣ ଏ ସବୁ ଦେଖାଯାଉନି। ଦେଖା ଯିବନି କେମିତି ତୁମେ ପରା ଜଗତର ନାଥ। ରତ୍ନ ସିଂହାସନରେ ବସି ସବୁ ଦେଖୁଛ ହେଲେ ମୋର ପରୀକ୍ଷା ନେଉଛ କାହିଁକି। ଜାଣିବାକୁ ଚାହୁଁଛ ମୁଁ ତୁମ ଦରଶନ କରିପାରୁଛି ନା ନାହିଁ। ହଁ ତୁମେ ବି ଜିଦିଆ ହେଲେ ମୁଁ କୋଉ କମ୍ କି। ଛୋଟିଆ ଭକତ ହେଲେ ବି ତୁମର ଦରଶନ ପାଇଁ ଦଣ୍ଡବତ ମୁଣ୍ଡିଆ ମାରି ଯାଉଛି। ଶକ୍ତି ଦିଅ.. ଆଶିଷ ଦିଅ ... ସାଆନ୍ତ ମୁଁ ଯେମିତି ତୁମକୁ ଟିକେ ଦେଖି ପାରିବି। ମୋ ପାଖରେ ନାହିଁ ଭକ୍ତ ସାଲବେଗ ପରି ଭକ୍ତି ନା ଦାସିଆ ବାଉରି ପରି ଧର୍ଯ୍ୟ କିନ୍ତୁ ମୋତେ ଛୋଟିଆ ଭକତ ଭାବି ମୋ ମୁଣ୍ଡରେ ହାତ ରଖିଥିବ ପ୍ରଭୁ...ଏ ହେଉଛି ଜଣେ ଭକ୍ତର ଆବେଗ। ସେ ଜଗା ଦର୍ଶନ ପାଇଁ ଯାଉଛନ୍ତି କିନ୍ତୁ ମନରେ ଏମିତି କିଛି ଗୁଣୁଗୁଣଉଛନ୍ତି।

ସେ ହେଉଛନ୍ତି ଭକ୍ତ ରାଜଗିରି ମହାରାଜା। ବଡ଼ କଥା ହେଉଛି ଜଗାକୁ ଦେଖିବେ ବୋଲି ସୁଦୂର ରାଜସ୍ଥାନର କରୋଲିରୁ ପୁରୀ ଜଗନ୍ନାଥ ଧାମକୁ ଚାଲି ଚାଲି ଦଣ୍ଡବତ ମୁଣ୍ଡିଆ ମାରି ଯାତ୍ରା କରୁଛନ୍ତି। ଦୀର୍ଘ ୧୮ଶହରୁ ଉର୍ଦ୍ଧ୍ୱ କିଲୋମିଟରର ଏହି ଯାତ୍ରାକୁ ସେ ଗତ ଏପ୍ରିଲ ୧୮ତାରିଖରେ ଆରମ୍ଭ କରିଥିଲେ । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ରାଜ୍ୟ ଦେଇ ଦୀର୍ଘ ୮ମାସ ପରେ ଏବେ ଓଡିଶା ପହଞ୍ଚିଛନ୍ତି ।

ଦିନକୁ ୧୦ ରୁ ୧୨ କିଲୋମିଟର ଯାତ୍ରା କରିଥିବା ବାବା ରାଜଗିରି ମହାରାଜ ବାଟରେ ସନାତନ ଧର୍ମର ପ୍ରଚାର ପ୍ରସାର ବି କରୁଛନ୍ତି। ତାଛଡ଼ା ବାପା ମାଆଙ୍କୁ ସମ୍ମାନ, ପଶ୍ଚିମ ପରମ୍ପରାର ତ୍ୟାଗ, ଗୋ ହତ୍ୟା ବନ୍ଦ୍ ପରି ବିଭିନ୍ନ ବାର୍ତ୍ତା ଦେଇ ଏହି ଯାତ୍ରା କରୁଛନ୍ତି । ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ସେ ବ୍ୟାକୁଳ ଥିବାବେଳେ ଖରା ବର୍ଷା ଶୀତକୁ ଖାତିର ନକରି ନିଜ ଯାତ୍ରାରେ ଆଗେଇ ଚାଲିଛନ୍ତି। ଏବେ ଭକ୍ତ ଭଗବାନ ମିଳନକୁ ଆଉ କିଛି ସମୟର ଅପେକ୍ଷା।