Parliament Budget Session Day-3: ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ

NEWS7
todays-prediction-290

  • ସଂସଦରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ବିବାଦ ଏବେ ଉଗ୍ର ହୋଇଛି
  • ବାଚସ୍ପତି ଓମ ବିରଳାଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଚର୍ଚ୍ଚାରେ ଉତ୍ତେଜକ ବାକ୍ୟ ବିନିମୟ ହୋଇଛି
  • ଚର୍ଚ୍ଚା ଶେଷରେ ଗୃହରେ ଭୋଟ ହୋଇଥିଲା ଏଥିରେ ବିରୋଧୀ ହାରି ଯାଇଛନ୍ତି 

ନୂଆଦିଲ୍ଲୀ ୧୧।୩: ସଂସଦ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ବିବାଦ ଏବେ ଉଗ୍ର ହୋଇଛି। ବିରୋଧୀ ଦଳ ଲୋକସଭା ବାଚସ୍ପତି ଓମ ବିରଳାଙ୍କ ବିରୋଧରେ ଆଣିଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ବୁଧବାର ମଧ୍ୟ ଚର୍ଚ୍ଚା ହୋଇଛି। ଏହି ଚର୍ଚ୍ଚା କାଳରେ ସଦନ ଶାସକ ଓ ବିରୋଧୀଙ୍କ ମଧ୍ୟରେ ବେଶ୍ ଉତ୍ତେଜକ ବାକ୍ୟ ବିନିମୟ ହୋଇଛି। ଏହି ଚର୍ଚ୍ଚାରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଭାଗ ନେଇଥିଲେ ଓ ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ତେବେ ଆଗତ ପ୍ରସ୍ତାବକୁ ନେଇ ଗୃହରେ ହୋଇଥିବା ଭୋଟରେ ବିରୋଧୀ ହାରି ଯାଇଛନ୍ତି। ଏଣୁ ବାଚସ୍ପତିଙ୍କ ବିରୋଧରେ ଆଗତ ଅବିଶ୍ୱାସ ପ୍ରସ୍ତାବ ଖାରଜ ହୋଇଯାଇଛି।

ରବିଶଙ୍କର ପ୍ରସାଦ କହିଲେ ଟିପ୍ପଣୀ ଅସଂସଦୀୟ
ଅବିଶ୍ୱାସ ପ୍ରସ୍ତାବ ଚର୍ଚ୍ଚା କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ରାହୁଲ ଗାନ୍ଧିଙ୍କ ଟିପ୍ପଣୀ ଗୃହରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଥିଲା। ଶାସକଦଳ ସଦସ୍ୟ ରବିଶଙ୍କର ପ୍ରସାଦ ବିରୋଧୀ ଦଳ ନେତାଙ୍କ ଟିପ୍ପଣୀକୁ ଅସଂସଦୀୟ କହି ରେକର୍ଡରୁ ହଟାଇବାକୁ ଦାବି କରିଥିଲେ। ଏହି ଅବସରରେ ରାହୁଲ ଓ ରବିଶଙ୍କର ପ୍ରସାଦଙ୍କ ମଧ୍ୟରେ ଜୋରଦାର ବାକ୍ୟଯୁଦ୍ଧ ହୋଇଥିଲା। ଏହି ଚର୍ଚ୍ଚା କାଳରେ କଂଗ୍ରେସ ସାଂସଦ କେ.ସି ବେଣୁଗୋପାଲ ପୁଣିଥରେ ଏପଷ୍ଟିନ ଫାଇଲ ଓ ଭାରତ-ଆମେରିକା ଟ୍ରେଡ ଡିଲ ପ୍ରସଙ୍ଗ ଉଠାଇଥିଲେ। ଏଣୁ ସଂସଦରେ ଜୋରଦାର ହଙ୍ଗାମା ହୋଇଛି।

ଦେଶ ବଦାନାମ ହୋଇଛି କହିଲେ ଅମିତ ଶାହ
ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଲୋକସଭା ବାଚସ୍ପତିଙ୍କ ବିରୋଧରେ ଯେଉଁ ଅବିଶ୍ୱାସ ପ୍ରସ୍ତାବ ଆଗତ କରାଯାଇଛି ଏହା କୌଣସି ସାଧାରଣ ଘଟଣା ନୁହେଁ। ପ୍ରାୟ ୪ ଦଶନ୍ଧୀ ପରେ ଲୋକସଭା ବାଚସ୍ପତିଙ୍କ ବିରୋଧରେ ଏପରି ପ୍ରସ୍ତାବ ଆଗତ ହୋଇଛି। ସଂସଦୀୟ ରାଜନୀତି ଓ ସଦନ ଲାଗି ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ବାଚସ୍ପତି କୌଣସି ଦଳର ନୁହନ୍ତି, ସେ ଏକ ପ୍ରକାର ସଂସଦରେ ସବୁ ସଦସ୍ୟଙ୍କ ଅଧିକାରର ସେ ସଂରକ୍ଷକ। ବାଚସ୍ପତି ତାଙ୍କ କର୍ତ୍ତବ୍ୟ ଅନୁସାରେ ସବୁ ଦଳର ସଦସ୍ୟଙ୍କୁ ସଂରକ୍ଷଣ ଦେଇଛନ୍ତି। ତେବେ ବିରୋଧୀ ଦଳଙ୍କ ଅବିଶ୍ୱାସ ପ୍ରସ୍ତାବ ଯୋଗୁ ଦେଶ ବଦନାମ ହୋଇଛି।

ଲାଗୁଛି ପ୍ରସ୍ତାବ ବିରୋଧୀ ଦଳ ନେତାଙ୍କ ବିରୋଧରେ ଆଗତ ହୋଇଛି
ଅମିତ ଶାହଙ୍କ ସମ୍ବୋଧନ କାଳରେ ଲୋକସଭାରେ ବିରୋଧୀ ଦଳ ହଟ୍ଟଗୋଳ କରିଥିଲେ। ଏଣୁ ପୀଠାସୀନ ଅଧିକାରୀ ଜଗଦମ୍ବିକା ପାଲଙ୍କୁ ମଝିରେ ମଝିରେ ଗୃହ କାର୍ଯ୍ୟ ରୋକିବାକୁ ପଡୁଥିଲା। ଅବିଶ୍ୱାସ ପ୍ରସ୍ତାବ ଚର୍ଚ୍ଚାରେ ବିରୋଧୀ ଦଳ ସାଂସଦ ତାରିକ ଅନୱର କହିଛନ୍ତି ଯେ ‘ବିରୋଧୀ ଦଳ ବକ୍ତା (ରାହୁଲ ଗାନ୍ଧି) ସବୁ ବିଷୟ ସ୍ପଷ୍ଟ ରୂପେ ସଦନରେ ରଖିଛନ୍ତି। ଏଥିରେ ଶାସକ ଦଳ ପକ୍ଷରୁ ଯେଉଁ ଭାଷା ବ୍ୟବହାର କରାଯାଇଛି ତାହା ବିରୋଧୀ ଦଳ ନେତାଙ୍କୁ ନେଇ। ଏଣୁ ଏଥିରୁ ଲାଗୁଛି ଅବିଶ୍ୱାସ ପ୍ରସ୍ତାବ ଲୋକସଭା ବାଚସ୍ପତିଙ୍କ ବିରୋଧରେ ନୁହେଁ ବିରୋଧୀ ଦଳ ନେତାଙ୍କ ବିରୋଧରେ ଆଗତ ହୋଇଛି। ଏଥିରୁ ସରକାରଙ୍କ ସବୁ ଧ୍ୟାନ କେବଳ ଓ କେବଳ ବିରୋଧୀ ଦଳ ନେତାଙ୍କ ଉପରେ କେନ୍ଦ୍ରିତ ଥିବା ଭଳି ଲାଗୁଥିବା ସେ କହିଛନ୍ତି।