ହାଜତରେ ହିନ୍ଦୁ ରାଜନେତାଙ୍କୁ ମାରିଦେଲେ ! ବାଂଲାଦେଶରେ ବଢୁଛି ସଂଖ୍ୟାଲଘୁ ବିରୋଧୀ ହିଂସା

NEWS7
todays-prediction-161

ନୂଆଦିଲ୍ଲୀ, ୧୩/୦୧:ହାଜତରେ ମାରିଦେଲେ । ବାଂଲାଦେଶରେ ଏବେ ଅସହାୟ ହିନ୍ଦୁ । ଦେଶର ପ୍ରସିଦ୍ଧ ଗାୟକ ତଥା ଆଓ୍ୱାମି ଲିଗର ବରିଷ୍ଠ ନେତା ପ୍ରଳୟ ଚକି ଜେଲ୍ ହାଜତରେ ପ୍ରାଣ ହରାଇଛନ୍ତି । ତାଙ୍କୁ ହାଜତରେ ହତ୍ୟା କରାଯାଇଥିବା ଦଳର କିଛି କର୍ମୀ ଅଭିଯୋଗ କରିଛନ୍ତି । ତେବେ ଚିକିତ୍ସା ନମିଳିବାରୁ ସେ ପ୍ରାଣ ହରାଇଥିବା ପରିବାର ଲୋକେ କହିଛନ୍ତି ।

୨୦୨୪ରେ ବାଂଲାଦେଶରେ ଘଟିଥିବା ଏକ ବିସ୍ଫୋରଣ ମାମଲାରେ ପ୍ରଳୟଙ୍କୁ ଗିରଫ କରାଯାଇଥିଲା । ସେ ସେଖ୍ ହସିନାଙ୍କ ସହଯୋଗୀ ଥିଲେ । ଗତ ଡିସେମ୍ବର୧୬ରୁ ତାଙ୍କୁ ହାଜତରେ ରଖାଯାଇଥିଲା । ହେଲେ ରବିବାର ସେ ପ୍ରାଣ ହରାଇଛନ୍ତି । ଦିଲାଲପୁରରେ ଥିବା ବାସଭବନରୁ ପ୍ରଳୟଙ୍କୁ ପୋଲିସ ଘୋଷାରି ନେଇ ଜବରଦସ୍ତି ହାଜତରେ ରଖିଥିବା ପରିବାର ଲୋକେ କହିଛନ୍ତି ।

ପ୍ରଳୟଙ୍କ ମୃତ୍ୟୁ ଖବର ଆସିବା ପରେ ବାଂଲାଦେଶରେ ସଂଖ୍ୟାଲଘୁ କେତେ ଅସୁରକ୍ଷିତ ତାହା ସ୍ପଷ୍ଟ ହୋଇଯାଇଛି । ଏଠାରେ ଲଗାତାର ଭାବେ ହିନ୍ଦୁ ବିରୋଧୀ ହିଂସା ଦେଖିବାକୁ ମିଳୁଛି । ହିନ୍ଦୁ ବ୍ୟକ୍ତି, ସଙ୍ଗଠନକୁ ଟାର୍ଗେଟ୍ କରାଯାଉଛି ।

ପ୍ରଳୟଙ୍କ ପୁଅ ସୋନୀ ଚକି କହିଛନ୍ତି ଯେ, ବାପା କୌଣସି ମାମଲାରେ ସାମିଲ ନଥିଲେ । ତଥାପି ପୋଲିସ ତାଙ୍କୁ ଗିରଫ କରିଥିଲା । ଦୀର୍ଘଦିନ ଧରି ଅନେକ ରୋଗରେ ସେ ପୀଡିତ ଥିଲେ । ଜେଲରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । କିନ୍ତୁ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଏନେଇ କିଛି ଜଣାଇ ନଥିଲେ । ଅନ୍ୟମାନଙ୍କଠୁ ଖବର ପାଇଁ ସେ ହସ୍ପିଟାଲ ଯାଇଥିଲେ । ସେଠାରେ ତାଙ୍କୁ ସଠିକ୍ ଚିକିତ୍ସା ମିଳିନଥିବା ଜଣାପଡିଥିଲା ।

ପବନା ଜେଲ କର୍ତ୍ତୃପକ୍ଷ ମହମ୍ମଦ ଓମାର୍ ଫାରୁକ୍ କହିଛନ୍ତି ଯେ, ପ୍ରଳୟ ଅନେକ ରୋଗରେ ପୀଡିତ ଥିଲେ । ତାଙ୍କୁ୬୦ବର୍ଷ ହୋଇସାରିଥିଲା । ମଧୁମେହ ସହ ହୃଦରୋଗ ପାଇଁ ସେ ଔଷଧ ଖାଉଥିଲେ । ଶୁକ୍ରବାର ତାଙ୍କୁ ହୃଦଘାତ ଦେଇଥିଲା । ଏହାପରେ ସ୍ଥାନୀୟ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ପରେ ରାଜଶାହି ମେଡିକାଲ କଲେଜ ନିଆଯାଇଥିଲା । ସେଠାରେ ରାତିଟାରେ ପ୍ରଳୟ ପ୍ରାଣ ହରାଇଥିଲେ । ତେବେ ପରିବାର ପକ୍ଷରୁ ଆସିଥିବା ଅଭିଯୋଗକୁ ସେ ଖଣ୍ଡନ କରିଦେଇଛନ୍ତି ।