US Israel strike News: ଇସ୍ରାଏଲକୁ ପୁଣି ଆକ୍ରମଣ କଲେ ହୁତି ବିଦ୍ରୋହୀ, ମିସାଇଲ୍, ଡ୍ରୋନ୍ ସାହାଯ୍ୟରେ ଚାରିଆଡ଼ୁ ଆକ୍ରମଣ

NEWS7
todays-pradiction

ଜେରୁଜେଲମଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବା ପରେ ହୁତି ବିଦ୍ରୋହୀମାନେ ପୁଣିଥରେ ଇସ୍ରାଏଲ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଛନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମ ଆସୋସିଏଟ୍ ପ୍ରେସରେ ଏହି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଯେ ୟେମେନରେ ଇରାନ-ସମର୍ଥିତ ହୁଥିମାନେ ଘୋଷଣା କରିଛନ୍ତି ଯେ ସେମାନେ ଲୋହିତ ସାଗରରେ ଜାହାଜ ଚଳାଚଳ ମାର୍ଗ ଦେଇ ଇସ୍ରାଏଲ ଉପରେ ଆକ୍ରମଣ କରିବେ। କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ ପୁଣି ଆରମ୍ଭ ହେବ। ତେହେରାନକୁ ସମର୍ଥନ କରିବା ଲକ୍ଷ୍ୟରେ ଏହି ଆକ୍ରମଣ କରିବ ବୋଲି ହୁତିମାନେ କହିଛନ୍ତି।

କିଛିଦିନ ହେବ ଆମେରିକା ଇରାନ ଉପରେ ଆକ୍ରମଣ କରିବା ନେଇ ଯୋଜନା କରି ଆସୁଥିଲା। ଇରାନ ବି ଆମେରିକାକୁ ଧମକ ଦେଇ ଆସୁଥିଲା। ହେଲେ ଶନିବାର ଇସ୍ରାଏଲ ଆମେରିକା ମିଳିତ ଭାବେ ଇରାନକୁ ଆଟାକ କରି ମଧ୍ୟପ୍ରାଚ୍ୟରେ ପୁଣି ଅଶାନ୍ତିର ବାତାବରଣ ସୃଷ୍ଟି କରିଛନ୍ତି। ଇରାନ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ ଜାରି ରଖିଛି। ଆଉ ଏବେ ଇରାନର ସମର୍ଥନରେ ବାହାରିଛନ୍ତି ହୁତି ବିଦ୍ରୋହୀ ଇସ୍ରାଏଲକୁ ଚାରିପଟୁ ଆକ୍ରମଣ କରିବ ବୋଲି ବିଦ୍ରୋହୀମାନେ ଧମକ ଦେଇଛନ୍ତି।

ସେପଟେ ଆଉ ଏକ ରିପୋର୍ଟ ଅନୁସାରେ ହୁତିମାନେ ଆମେରିକାର ଆକ୍ରମଣ ପରେ ପରେ ଇସ୍ରାଏଲ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଛନ୍ତି। ଆକ୍ରମଣକାରୀମାନେ ଇସ୍ରାଏଲ ଆଡ଼କୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ଇରାନ ମଧ୍ୟ ଇସ୍ରାଏଲ ଆଡ଼କୁ ଅନେକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି, କିନ୍ତୁ ସେଥିମଧ୍ୟରୁ ଅଧିକାଂଶ ଇସ୍ରାଏଲୀ ସେନା ଦ୍ୱାରା ପ୍ରତିରୋଧ କରି ଖସାଇ ଦିଆଯାଇଛି।

ନଭେମ୍ବର ୨୦୨୫ରେ ଗାଜା ଶାନ୍ତି ଯୋଜନା କାର୍ଯ୍ୟକାରୀ ହେବା ପରେ ହୁଥିମାନେ ଜାହାଜ ଏବଂ ଇସ୍ରାଏଲ ଉପରେ ଆକ୍ରମଣ ବନ୍ଦ କରିଦେଇଥିଲେ। ତା’ ପୂର୍ବରୁ ୭ ଅକ୍ଟୋବର ୨୦୨୩ରେ ଗାଜା ଯୁଦ୍ଧ ଆରମ୍ଭ ହେବା ପରେ ବିଦ୍ରୋହୀମାନେ ଇସ୍ରାଏଲୀ ଜାହାଜ ଏବଂ ଇହୁଦୀ ରାଷ୍ଟ୍ର ସହିତ ଜଡିତ ଅନ୍ୟ ଟ୍ୟାଙ୍କର ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଇରାନର ନେତୃତ୍ୱକୁ ମାଟିରେ ମିଶାଇ ଦେବାକୁ ଧମକ ଦେଇଛନ୍ତି।