ବୁମରାହଙ୍କୁ ତିଆରି କରିଥିବା ବିଶ୍ୱକର୍ମା ! ଏମିତି ମ୍ୟାଜିକ ଶିଖାଇଛନ୍ତି, ବୋଲିଂ ଆଗରେ ହିଟର୍ ବି ଫ୍ଲପ୍

NEWS7
tide-security-in-puri-due-to-new-year

ନୂଆଦିଲ୍ଲୀ: ହାଇସ୍କୋରିଂ ମ୍ୟାଚ। ଯେତିକି ଉତ୍କଣ୍ଠା, ସେତିକି ସଂଘର୍ଷ। T20 ବିଶ୍ୱକପ୍ ସେମିଫାଇନାଲ। ଇଂଲଣ୍ଡକୁ ବିଶାଳ ଟାର୍ଗେଟ୍ ଦେଇଥିଲା ଭାରତ। ୨୫୩ ରନର ବିଶାଳ ସ୍କୋର। ତଥାପି ଡେଞ୍ଜର ଜୋନରେ ଥିଲା ଟିମ୍ ଇଣ୍ଡିଆ। ନିଦ ହଜାଇ ଦେଇଥିଲେ ଇଂଲଣ୍ଡର 22 ବର୍ଷୀୟ ବ୍ୟାଟର୍ ଜାକବ୍ ବେଥେଲ୍। ଏତେ ଆକ୍ରମଣାତ୍ମକ ଇନିଂସ ଖେଳିଥିଲେ ଯେ ଶେଷ ଓଭରରେ ବି ଦେଖିବାକୁ ମିଳିଥିଲା ହାଇଭୋଲ୍ଟେଜ ଡ୍ରାମା। ଭାରତୀୟ ଫ୍ୟାନ୍ସଙ୍କୁ ଚୁପ କରାଇଦେଇଥିଲା ବେଥେଲ୍ ଶୋ। ବୋଲର ଫ୍ଲପ୍। ନକଆଉଟ୍ରେ ରକ୍ଷାକର୍ତ୍ତା ସାଜିଲେ ଜସପ୍ରିତ ବୁମରାହ। ଡେଥ୍ ଓଭରରେ ଦମଦାର ପ୍ରଦର୍ଶନ। ଶେଷ ଦୁଇ ଓଭରରେ ମାତ୍ର ୧୪ ରନ। ସେମିରେ ଭାରତକୁ ଜିତାଇଲେ ମ୍ୟାଚ୍।

ଭାରତକୁ ଜିତାଇ ଦଶନ୍ଧିର ବେଷ୍ଟ ବୋଲରଙ୍କ ମଧ୍ୟରୁ ଜଣେ ବୋଲି ପ୍ରମାଣିତ କରିଛନ୍ତି ଜସପ୍ରିତ ବୁମରାହ। ବୁମରାହଙ୍କ ଚମତ୍କାରିତା ପଛରେ ରହିଛି ଅହମ୍ମଦାବାଦର ଜଣେ ବୟସ୍କ ପ୍ରଶିକ୍ଷକ। ନାଁ କିଶୋର ତ୍ରିବେଦୀ । ଅହମ୍ମଦାବାଦର SPIPA କର୍ପୋରେଟ୍ ରୋଡ୍ ନିକଟରେ ରହିଛି ସାଧାରଣ କ୍ରିକେଟ ଗ୍ରାଉଣ୍ଡ। ନା ଏଠି ଅଛି ବଡ଼ ଏକାଡେମୀ ନା ଅଛି କ୍ରିକେଟ୍ ଫାସିଲିଟି। କିନ୍ତୁ ଏହି ପଡ଼ିଆରୁ ହିଁ ପଡ଼ିଥିଲା ବୁମରାହଙ୍କ ମୂଳଦୁଆ। ୭୯ ବର୍ଷୀୟ କିଶୋର ତ୍ରିବେଦୀଙ୍କ ରୟାଲ୍ କ୍ରିକେଟ୍ ଏକାଡେମୀରେ ଯୋଗ ଦେଇଥିଲେ ବୁମରାହ। ଫାଷ୍ଟ ବୋଲରଙ୍କୁ ଗ୍ରୁମିଂ କରିବାରେ କିଶୋର ଜଣେ ମାଷ୍ଟର। ତାଙ୍କ କ୍ୟାରିଅରରେ ସେ ଅନେକ ଖେଳାଳିଙ୍କୁ ତାଲିମ ଦେଇଛନ୍ତି। ତାଙ୍କ ପୁଅ ସିଦ୍ଧାର୍ଥ ତ୍ରିବେଦୀ ରାଜସ୍ଥାନ ରୟାଲ୍ସ (RR) ପାଇଁ IPLରେ ଖେଳିଛନ୍ତି ସତ କିନ୍ତୁ ତାଙ୍କର ସବୁଠାରୁ ବଡ଼ ଆବିଷ୍କାର ହେଉଛି ଜସପ୍ରିତ ବୁମରାହ।

ତ୍ରିବେଦୀ ପ୍ରଥମ ଥର ଯେତେବେଳେ ସେ ୧୬ ବର୍ଷ ବୟସରେ ଅହମ୍ମଦାବାଦର ନିର୍ମଳ ହାଇସ୍କୁଲରେ ପଢ଼ୁଥିଲେ ଜସପ୍ରିତ। ସେହି ସମୟରେ ବୁମରାହଙ୍କୁ ପ୍ରଥମଥର ପାଇଁ ଭେଟିଥିଲେ ତ୍ରିବେଦୀ। ଦେଖିବାକୁ ପତଲା। ଦ୍ରୁତ ବୋଲିଂ କରିବାରେ ମାହିର। ତାଙ୍କର ବୋଲିଂ ଶୈଳୀକୁ ଚିହ୍ନିପାରିଥିଲେ ତ୍ରିବେଦୀ। ସେ ବୁମରାହ ତ୍ରୁଟି ଦେଖିନଥିଲେ ବରଂ ସମ୍ଭାବନା ଦେଖିଥିଲେ।

ସେ ନେଟ୍ସରେ କିଛି ଦିନ ଧରି ବୁମରାହଙ୍କୁ ଅତି ନିକଟରୁ ନିରୀକ୍ଷଣ କରିଥିଲେ। ସେ ଅନୁଭବ କରିଥିଲେ ଯେ ତାଙ୍କ ହାତର ହାଇପରଏକ୍ସଟେନ୍ସନ୍ ତାଙ୍କୁ ସାଧାରଣ ବୋଲରଙ୍କ ତୁଳନାରେ ଭିନ୍ନ ଆଙ୍ଗେଲରେ ବଲ ଛାଡିବାକୁ ଅନୁମତି ଦେଇଥିଲା। ଏହା ବ୍ୟାଟରଙ୍କ ପାଇଁ ବଲକୁ ପଢିବା କଷ୍ଟକର କରିଦେଇଥିଲା। ତଥାପି, ସେହି ସମୟରେ, ବୁମରାହ କ୍ରିକେଟରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉ ନଥିଲେ। ସେ ମନଇଚ୍ଛା କ୍ରିକେଟ୍ ଅଭ୍ୟାସ ପାଇଁ ଆସୁଥିଲେ।

ଏହାଦେଖି ତାଙ୍କୁ ଶୃଙ୍ଖଳିତ କରିବାକୁ ନିଷ୍ପତ୍ତି ନେଇଥିଲେ କିଶୋର ତ୍ରିବେଦୀ। ବୁମରାହଙ୍କୁ ଘରର ଦାୟିତ୍ୱ ଦେବାକୁ ମାଆ ଦଲଜିତଙ୍କୁ କହିଥିଲେ। ଯାହାଦ୍ୱାରା ସେ ତାଙ୍କ କ୍ୟାରିୟର ଓ ଭବିଷ୍ୟତ ପ୍ରତି ଯତ୍ନବାନ ହେବେ। ଏହା ପରେ, ବୁମରାହଙ୍କ ଦୈନନ୍ଦିନ କାର୍ଯ୍ୟଧାରା ବଦଳିଗଲା। ଯଦି ସେ ପ୍ରାକ୍ଟିସ ନକରନ୍ତି ତେବେ ତାଙ୍କୁ ପରଦିନ ନେଟ୍ସ ପଛରେ ଠିଆ ହେବାକୁ ପଡିବ। ଧୀରେ ଧୀରେ, ସେ ଅନୁଭବ କଲେ ଯେ ଜଣେ ମହାନ ଖେଳାଳି ହେବା ପାଇଁ ନିୟମିତ କଠିନ ପରିଶ୍ରମ ଜରୁରୀ।

ତ୍ରିବେଦୀଙ୍କ ଏଭଳି କାର୍ଯ୍ୟକୁ ଦେଖି ଅନ୍ୟ ଖେଳାଳିମାନେ ତାଙ୍କ ଅଜବ କାର୍ଯ୍ୟକୁ ପରିହାସ କରୁଥିଲେ। ତ୍ରିବେଦୀ ବୁମରାହଙ୍କୁ ବୋଲିଂର ଶୈଳୀ ଶିଖାଇଥିଲେଲେ। ୟର୍କର, ବାଉନ୍ସର, କଟର ଏବଂ ବିଭିନ୍ନ ଗତିରେ ବୋଲିଂ କରିବାର ଟେକନିକ୍। ଆଉ ଆଜି ବୁମରାହ ନୂଆ ପିଢ଼ିର ଆଇକନ୍। ଅନଷ୍ଟପବେଲ୍। ଡେଥ୍ ଓଭରରେ ଓ୍ୱିକେଟ୍ ଟେକର।

ୱାଙ୍ଖଡେରେ ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ବୁମରାହ । ବୁମରାହ ତାଙ୍କର ପ୍ରଥମ ବଲରେ ଇଂଲଣ୍ଡ କ୍ୟାପ୍ଟେନ ହ୍ୟାରି ବ୍ରୁକଙ୍କୁ ଆଉଟ୍ କରିଥିଲେ। ମୋଟ ୪ ଓଭରରେ ୩୩ ରନ୍ ଦେଇଥିଲେ। ଶେଷ ଦୁଇ ଓଭରରେ ମାତ୍ର ୧୪ ରନ ଦେଇଥିଲେ। ଯାହା ଇଂଲଣ୍ଡର ବିଜୟ ଲକ୍ଷ୍ୟକୁ ବାଟବଣା କରିଦେଇଥିଲା। ଭାରତ ବିଜୟ ହୋଇଥିଲା। ଗୁରୁବାର ଓ୍ୱାଙ୍ଖଡେରେ ଖେଳାଯାଇଥିବା ମ୍ୟାଚରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିଲେ ସଞ୍ଜୁ ସାମସନ। କିନ୍ତୁ ସେ ବୁମରାହଙ୍କୁ ପ୍ରଶଂସା କରି କହିଥିଲେ ଜସପ୍ରିତ ବୁମରାହ ଆଗାମୀ ପିଢ଼ିର ପ୍ରତିଭା। ଭାରତର ବିଜୟ ପାଇଁ ସେ ସମସ୍ତ ଶ୍ରେୟ ପାଇବାକୁ ଯୋଗ୍ୟ।