ନାବାଳିକା ପ୍ରେମିକାକୁ ପିଟି ହତ୍ୟା କରି ବିଷ ପିଇବା ଘଟଣା, ଏମ୍ସରେ ପ୍ରେମିକର ମୃତ୍ୟୁ

NEWS7
three-broker-arrested-from-rto-office-and-gajapati-medical

ନୟାଗଡ଼: ନାବାଳିକା ପ୍ରେମିକାକୁ ପିଟି ହତ୍ୟା କରି ବିଷ ପିଇଲା ପ୍ରେମିକ ଘଟଣାରେ ପ୍ରେମିକର ମୃତ୍ୟୁ। ନାବାଳିକାର ମୃତ୍ୟୁ ଘଟି ସାରିଥିବା ବେଳେ ପ୍ରେମିକ ପୂର୍ଣ୍ଣ ନାୟକର ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ଵର ଏମ୍ସରେ ମୃତ୍ୟୁ ଘଟିଛି । ପୂର୍ବରୁ ନୟାଗଡ଼ ମେଡିକାଲରେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା। ଏମିତି ଚାଞ୍ଚଲ୍ୟକର ଏବଂ ଅଭାବନୀ ଘଟଣା ନୟାଗଡ଼ ଶରଣକୂଳ ଥାନା ମଗରବନ୍ଧ ଗାଁରେ ଘଟିଛି।

ସୂଚନା ଅନୁଯାୟୀ, ମଗରବନ୍ଧ ଗାଁର ପୂର୍ଣ୍ଣ ଗତ ୨ ବର୍ଷ ହେଲା ନିଜ ଗାଁର ଜଣେ ନାବାଳିକାକୁ ଏକତରଫା ପ୍ରେମ କରୁଥିଲା । ଏନେଇ ନାବାଳିକାର ପରିବାର ଲୋକେ ପୂର୍ଣ୍ଣର ବାପାମାଆଙ୍କୁ ଜଣାଇଥିଲେ ମଧ୍ୟ ପରିବାର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା । ଏପରିକି ନାବାଳିକା ଜଣକ ସ୍କୁଲ୍ ଏବଂ ଟ୍ୟୁସନ୍ ଯିବା ସମୟରେ ପୂର୍ଣ୍ଣ ବାରମ୍ବାର ତାକୁ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା।

ତେବେ ସୋମବାର ନାବାଳିକା ଜଣକ ଟ୍ୟୁସନ ଯାଉଥିବା ସମୟରେ ବିନାୟକପୁର ଶିବ ମନ୍ଦିର ନିକଟରେ ପୂର୍ଣ୍ଣ ନାବାଳିକାର ମୁଣ୍ଡକୁ ଏକ ପାଇପରେ ପିଟିଦେଇଥିଲା। ଏହାପରେ ତାଙ୍କୁ ଜବରଦସ୍ତି ତାକୁ ବିଷ ପିଆଇ ଦେଇଥିଲେ । ପରେ ପୂର୍ଣ୍ଣ ନିଜେ ମଧ୍ୟ ବିଷ ପିଇଦେଇଥିଲା । ସ୍ଥାନୀୟ ଯୁବକମାନେ ଉଭୟଙ୍କୁ ନୟାଗଡ ମେଡିକାଲ ନେଇଥିଲେ । ଡାକ୍ତର ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ଜଣାପଡିବା ପରେ ନୟାଗଡ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା । ପୂର୍ଣ୍ଣକୁ ଗୁରୁତର ଅବସ୍ଥାରେ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ଣ୍ଣର ମୃତ୍ୟୁ ଘଟିଛି।