LIVE TV

ନିମନ୍ତ୍ରଣ ମିଳିଲେ ପୁଟିନ ଓ ଟ୍ରମ୍ପଙ୍କ ମିଟିଂରେ ଯୋଗଦେବେ ଜେଲେନସ୍କି : ୟୁକ୍ରେନ

NEWS7
threatened-to-the-cm

କିଭ୍ ୨୧।୧୦: ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲେନସ୍କି କହିଛନ୍ତି ଯଦି ତାଙ୍କୁ ନିମନ୍ତ୍ରଣ ମିଳେ ତେବେ ସେ ହଙ୍ଗେରୀର ବୁଦାପେଷ୍ଟରେ ଅନୁଷ୍ଠିତ ହେବାକୁ ଯାଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ବୈଠକରେ ଯୋଗ ଦେବେ। ଏ ନେଇ ଟ୍ରମ୍ପ ଗତ ସପ୍ତାହରେ ପୁଟିନଙ୍କ ସହିତ କଥା ହୋଇଥିଲେ, ଦିନକ ପରେ ସେ ହ୍ୱାଇଟ୍ ହାଉସ୍ ରେ ଜେଲେନସ୍କିଙ୍କୁ ସ୍ୱାଗତ କରିଥିଲେ ଓ ଖୁବ୍ ଶୀଘ୍ର ସେ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାକୁ ଉପାୟ ଉପରେ ନିକଟ ଭବିଷ୍ୟତରେ ଋଷିଆ ରାଷ୍ଟ୍ରପତିଙ୍କ ସହିତ ପୁଣି ଆଲୋଚନା କରିପାରନ୍ତି ବୋଲି ଘୋଷଣା କରିଥିଲେ।

ଜେଲେନସ୍କି ଆମେରିକୀୟ ବ୍ରଡକାଷ୍ଟର ଏନବିସିକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ‘ଯଦି ଆମେ ବାସ୍ତବରେ ନ୍ୟାୟପୂର୍ଣ୍ଣ ଓ ସ୍ଥାୟୀ ଶାନ୍ତି  ଚାହୁଁଛେ ତେବେ ଏଥି ପାଇଁ ବାର୍ତ୍ତାରେ ଆମ ଦୁଇପକ୍ଷଙ୍କ ଆବଶ୍ୟକତା ରହିଛି’। ହଁ ପୁଟିନ ଜଣେ ଆକ୍ରମଣକାରୀ ଓ ୟୁକ୍ରେନ ପୀଡ଼ିତ ଏବଂ ସଂଘର୍ଷ କରୁଛି। ସେ ଏହା ବି ସ୍ପଷ୍ଟ କରିଛନ୍ତି ଯେ ୟୁକ୍ରେନ ସମ୍ପର୍କିତ ପ୍ରସଙ୍ଗର କୌଣସି ସମାଧାନ ୟୁକ୍ରେନ ହସ୍ତକ୍ଷେପ ବିନା ସମ୍ଭବ ନୁହେଁ।

ଋଷିଆ ୨୪ ପେବୃଆରୀ ୨୦୨୨ରେ ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲା। ଟ୍ରମ୍ପ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ଦିନ, ଅର୍ଥାତ ପାଖାପାଖି ୯ ମାସ ପୂର୍ବେ ଏହି ଯୁଦ୍ଧକୁ ସମାପ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଟ୍ରମ୍ପ  ମସ୍କୋକୁ ମୌଖିକ ରିହାତି ପ୍ରଦାନ କରିବା ସତ୍ତ୍ୱେ ଯୁଦ୍ଧ ବନ୍ଦ ହେବା ବଦଳେ ଭୀଷଣ ରୂପ ଧାରଣ କରିଛି। ଜେଲେନସ୍କି ଏହି ଯୁଦ୍ଧ ସମାପ୍ତ ପାଇଁ ବୈଠକ ନିମନ୍ତେ ଋଷିଆର ମିତ୍ର ଦେଶ ହଙ୍ଗେରୀକୁ ଚୟନ କରାଯିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ‘ଜଣେ ପ୍ରଧାନମନ୍ତ୍ରୀ ଯିଏ ସବୁ ରାସ୍ତାରେ ୟୁକ୍ରେନକୁ ଅଟକାଉଛନ୍ତି ସେ ସକରାତ୍ମକ ଭାବେ ୟୁକ୍ରେନବାସୀଙ୍କ ଲାଗି କିଛି କରିପାରିବେ ତାହା ମୋତେ ଲାଗୁ ନାହିଁ’।

ୟୁକ୍ରେନ ଓ ୟୁରୋପୀୟ ସଂଘ ପ୍ରତି ହେଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନଙ୍କ ନକରାତ୍ମକ ଭାବନା ରହିଛି। ୧୯୯୪ରେ ବୁଦାପେଷ୍ଟ ଏକ ଅସଫଳ ବୁଝାମଣାର ସ୍ଥଳ ମଧ୍ୟ ଥିଲା। ଋଷିଆ, ୟୁକ୍ରେନ, ବେଲାରୁଷ ଓ କାଜିକସ୍ତାନ ଦ୍ୱାରା ସ୍ୱାକ୍ଷରିତ ବୁଦାପେଷ୍ଟ ଜ୍ଞାପନରେ ପୂର୍ବତନ ସୋଭିୟେତ ରାଜ୍ୟଙ୍କ ସ୍ୱାଧୀନତା ଓ ସୁରକ୍ଷାର ଗ୍ୟାରେଣ୍ଟିର କଥା ମଧ୍ୟ ଥିଲା। ଏହା ବଦଳେ ସେ ସମୟରେ ରାଜ୍ୟମାନଙ୍କରେ ଥିବା ସବୁ ସୋଭିୟେତ ପରମାଣୁ ଅସ୍ତ୍ର ଫେରସ୍ତ କରାଯିବାର ସର୍ତ୍ତ ଥିଲା। ଏଣୁ ଆଉ ଏକ ବୁଦାପେଷ୍ଟ ପରିଦୃଷ୍ୟ ଯେ ସଫଳ ହେବ ତାହା ମୁଁ ଭାବି ପାରୁନାହିଁ ବୋଲି ଜେଲେନସ୍କି କହିଛନ୍ତି।

ଏହା ପୂର୍ବରୁ କିଭ କହିଥିଲା ଯେ ସେ ତୁର୍କି, ସ୍ୱିଜରଲ୍ୟାଣ୍ଡ ଓ ଭଟିକାନ ସହିତ କୌଣସି ନିରପେକ୍ଷ ଦେଶରେ ଜେଲେନସ୍କି, ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ତ୍ରିପକ୍ଷୀୟ ବୈଠକରେ ଯୋଗ ଦେବାକୁ ପ୍ରସ୍ତୁତ। ତେବେ ଜେଲେନସ୍କିଙ୍କ ଏହି ପରାମର୍ଶ ନେଇ ଟ୍ରମ୍ପ କୌଣସି ଟିପ୍ପଣୀ କରି ନାହାନ୍ତି। ହେଲେ ସେ ଯୁଦ୍ଧ ସମାପ୍ତ କରିବାର ରାସ୍ତା ଖୋଜୁଥିବା କହିଛନ୍ତି। ଏହା ପୂର୍ବରୁ ଟ୍ରମ୍ପ ଗତ ଶୁକ୍ରବାର ୟୁକ୍ରେନକୁ ଟମ ହକ୍ ମିଜାଇଲ ଦେବାକୁ ମନା କରିଦେଇଥିଲେ ଓ କହିଥିଲେ ଋଷିଆ ନିୟନ୍ତ୍ରଣକୁ ଯାଇସାରିଥିବ ଅଞ୍ଚଳକୁ ୟୁକ୍ରେନ ଛାଡି ଦେଉ।