ଖୁବ୍‌ଶୀଘ୍ର ବସିବ ମହାନଦୀ ଉଚ୍ଚସ୍ତରୀୟ କମିଟି ବୈଠକ, ସମସ୍ତ ତଥ୍ୟ ପ୍ରସ୍ତୁତ କରିବାକୁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ

NEWS7
the-person-had-got-insurance-of-24-crores-to-get-it-out-himself-got-his-hands-and-feet-cut-off-from-the-train

ଭୁବନେଶ୍ବର ୧୧।୧୨: ଖୁବ୍ଶୀଘ୍ର ବସିବ ମହାନଦୀ ଜଳ ବିବାଦ ପାଇଁ ଗଠନ ହୋଇଥିବା ଉଚ୍ଚସ୍ତରୀୟ କମିଟି ବୈଠକ । ସମସ୍ତ ତଥ୍ୟ ପ୍ରସ୍ତୁତ କରିବାକୁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ମହାନଦୀ କମିଟିର ସଦସ୍ୟ ତଥା ରାଜସ୍ୱ ମନ୍ତ୍ରୀ କହିଛନ୍ତି, ବୁଧବାର ଜଳସମ୍ପଦ ବିଭାଗ ସଚିବଙ୍କ ସହ କମିଟି ଅଧ୍ୟକ୍ଷ କେ.ଭି. ସିଂହଦେଓ କଥା ହୋଇଛନ୍ତି । ଖୁବଶୀଘ୍ର ଜଳସମ୍ପଦ ବିଭାଗ ସମସ୍ତ ବୈଷୟିକ ଦିଗ ଉପରେ ରିପୋର୍ଟ ଦେବେ । ଛତିଶଗଡ଼ ଏହା ଭିତରେ ଅନେକ ବ୍ୟାରେଜ ନିର୍ମାଣ କରିଦେଇଛି ।

କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାର ସହ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଏହି କମିଟି କାମ କରିବ । ଛତିଶଗଡ ସରକାରଙ୍କ ସହିତ ରାଜନୈତିକ ଆଲୋଚନା କରିବୁ । କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ, କେନ୍ଦ୍ର ଜଳ ଆୟୋଗଙ୍କୁ ଦେଖା କରିବୁ । ଟ୍ରିବ୍ୟୁନାଲରେ ଏବଂ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାର ଶୁଣାଣି କେମିତି ତ୍ୱରାନ୍ୱିତ ହେବ ସେ ନେଇ କାମ କରିବ କମିଟି ।

ଉଲ୍ଲେଖଯୋଗ୍ୟ ଯେ,ମହାନଦୀ ଜଳ ବିବାଦ ପାଇଁ ଗଠିତ ହୋଇସାରିଛି ଉଚ୍ଚସ୍ତରୀୟ କମିଟି । ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ୭ ଜଣିଆ କମିଟି ଗଠିତ ହୋଇଛି । ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ପ୍ରାସଙ୍ଗିକ ଦିଗକୁ ପରୀକ୍ଷା କରିବ କମିଟି । କମିଟିରେ ସୁରେଶ ପୂଜାରୀ,ପୃଥ୍ବୀରାଜ ହରିଚନ୍ଦନ,ସମ୍ପଦ ସ୍ବାଇଁ,ସରୋଜ ପ୍ରଧାନ,ନିରଞ୍ଜନ ପୂଜାରୀ,ଜୟନାରାୟଣ ମିଶ୍ର ଓ ସୋଫିଆ ଫିର୍ଦ୍ଦୋସ ସଦସ୍ୟ ରହିଛନ୍ତି ।