I-PAC ମାମଲାରେ ସୁପ୍ରିମକୋର୍ଟକୁ ଯାଇପାରେ ED, ଆଇନଗତ ବିକଳ୍ପ ପାଇଁ ଜାରି ରହିଛି ମନ୍ଥନ

NEWS7
the-number-of-covid-19-positives-in-the-state-was-60

ନୂଆଦିଲ୍ଲୀ ୯।୧: ଆଇ-ପିଏସି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବେ ସୁପ୍ରିମକୋର୍ଟକୁ ଯିବାକୁ ବିଚାର କରୁଛି। ସୂତ୍ର ଅନୁସାରେ ଇଡି ଲିଗାଲ ଟିମ୍ ସବୁ ଆଇନଗତ ବିକଳ୍ପ ଉପରେ ବିଚାର କରୁଛନ୍ତି ଓ ଏ ନେଇ ଖୁ୍ବ ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ। ଏହି ମାମଲାରେ ଶୁକ୍ରବାର କୋଲକାତା ହାଇକୋର୍ଟରେ ଶୁଣାଣି ହୋଇ ନାହିଁ। ଅନ୍ୟପକ୍ଷରୁ ତତ୍କାଳ ଶୁଣାଣି ନିମନ୍ତେ ଇଡିର ଆବେଦନକୁ ମୁଖ୍ୟବିଚାରପତି ଜଷ୍ଟିସ୍ ସୁଜୟ ପାଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅଗ୍ରାହ୍ୟ କରିଦେଇଛନ୍ତି ଓ କହିଛନ୍ତି ଜଷ୍ଟିସ୍ ସୁଭ୍ରା ଘୋଷଙ୍କ ଏକଲ ପୀଠ ଦ୍ୱାରା ନିର୍ଦ୍ଧାରିତ ତାରିଖରେ ମାମଲାର ଶୁଣାଣି ହେବ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୮ ଜାନୁୟାରୀ ଗୁରୁବାର ଇଡି ଆଇ-ପିଏସି କାର୍ଯ୍ୟାଳୟ ଓ ଏହାର ସହ ସଂସ୍ଥାପକ ପ୍ରତୀକ ଜୈନଙ୍କ ଆବାସ ଉପରେ ଚଢଉ କରିଥିଲା। ଏହାର ସୂଚନା ମିଳିବାମାତ୍ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳରେ ପହଞ୍ଚିବା ସହ ଜରୁରି କାଗଜପତ୍ର ନିଜ ନିୟନ୍ତ୍ରଣକୁ ନେଇଥିଲେ। ମମତା ଅଭିଯୋଗ କରିଛନ୍ତି ଯେ ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ଇଡି ତୃଣମୂଳ କଂଗ୍ରେସ (ଟିଏମସି)ର ଗୋପନ କାଗଜପତ୍ର, ହାର୍ଡ ଡିସ୍କ ଓ ଗୋପନୀୟ ସଙ୍ଗଠନାତ୍ମକ ଡାଟା ହାତେଇବାକୁ ଉଦ୍ୟମ କରିଛି। ଏହାର କୌଣସି ପ୍ରକାରର ଆର୍ଥିକ ଅନିୟମିତତା ସହିତ ସମ୍ପର୍କ ନାହିଁ।

ତେବେ ଇଡି କହିଛି ଯେ ଯେତେବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳରେ ପହଞ୍ଚିଲେ ସେଠାରେ ଏକ ଡ୍ରାମା ଭଳି ପରିସ୍ଥିତି ଉପୁଜିଥିଲା। ମମତା ବାନାର୍ଜୀ ଘଟଣାସ୍ଥଳରେ ଥିବା ପ୍ରତୀକ ଜୈନଙ୍କ ଫୋନକୁ ନିଜେ ନେଇଯାଇଥିଲେ ଓ ପାଖରେ ରଖିଥିଲେ। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜି) ଇଡିର ୩ ଜଣ ଅଧିକାରୀଙ୍କୁ କିଛି ବି ରେକର୍ଡ କରିବାକୁ ମନା କରିଥିଲେ ଓ ସେମାନେ ଯେପରି କିଛି ଜବତ କି ରିକଭରି ନ କରନ୍ତି ତାହା ସୁନିଶ୍ଚିତ କରିଥିଲେ।

ଇଡି ଅଧିକାରୀମାନେ କହିଛନ୍ତି ଯେ ଘଟଣାସ୍ଥଳରେ ଇଡିର ମାତ୍ର ୩ ଜଣ ଅଧିକାରୀ ଥିବା ବେଳେ ଅନ୍ୟ ପଟେ ଏକ ଡଜନରୁ ଅଧିକ ପୋଲିସ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ ‘ଜେଡ’ ସିକ୍ୟୁରିଟି ଟିମ୍ ଉପସ୍ଥିତ ଥିଲେ। ସୂତ୍ର ଅନୁସାରେ ଇଡି ଅଧିକାରୀମାନଙ୍କୁ ଡରେଇବାକୁ ଓ ଧମକେଇବାକୁ ଚେଷ୍ଟା କରାଯାଇଥିଲା ଏବଂ ରିପୋର୍ଟରେ ଅସଲ କଥା ଲେଖିବାକୁ ବାରଣ କରାଯାଇଥିଲା। ଇଣ୍ଡିପେଣ୍ଡେଣ୍ଟ ୱିଟନେସ୍ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। କୋଲକାତା ପୋଲିସ ଓ ସିଏମଙ୍କ କର୍ମଚାରୀ ସେମାନଙ୍କୁ ଡରେଇବାକୁ ଚେଷ୍ଟା କରିଥିଲେ।