ଭାରତର ଜଙ୍ଗଲରେ କଳା ହରିଣ, ପାଟ୍ରୋଲିଂ ବେଳେ ଡିଏଫଓ ଦେଖିଲେ ବିରଳ ଜନ୍ତୁ, ଭିଡିଓ ଭାଇରାଲ

NEWS7
the-monsoon-session-of-parliament-can-begin-on-september-14

କୋଲକାତା, ୦୮/୦୧: ହରିଣ ସମସ୍ତେ ଦେଖିଥିବେ । ଯାହାର ରଙ୍ଗ ଇଷତ ହଳଦିଆ । କୁଷ୍ଣସାର ମୃଗ ବି ଅଛନ୍ତି । ଯେଉଁମାନଙ୍କ ଶରୀର ଧଳା ଏବଂ କଳା ରଙ୍ଗର ହୋଇଥାଏ । ତେବେ ଭାରତୀୟ ତଙ୍ଗଲରେ ଏକ ସମ୍ପୂର୍ଣ୍ଣ କଳା ହରିଣ ଦେଖିବାକୁ ମିଳିଛି ।

ରିପୋର୍ଟ ଅନୁସାରେ, ପଶ୍ଚିମବଙ୍ଗର କୁରସେଓଙ୍ଗ୍ ଅଞ୍ଚଳରେ ରହିଛି ଡୋହିଲ୍ ଜଙ୍ଗଲ । ସବୁଦିନ ଭଳି ବୁଧବାର ସ୍ଥାନୀୟ ଡିଏଫଓ ଜଙ୍ଗଲରେ ପାଟ୍ରୋଲିଂ କରିବାକୁ ଯାଇଥିଲେ । କିନ୍ତୁ ତାଙ୍କ ନଜର ଏକ କଳା ରଙ୍ଗର ଜୀବ ଉପରେ ପଡିଥିବା । ପ୍ରଥମେ ସେ କିଛି ବୁଝିପାରିନଥିଲେ । ପରେ ଏହି ଜୀବର ଫଟୋ ଉଠାଇବା ପରେ ଏହା ହରିଣ ବୋଲି ଜଣାପଡିଥିଲା । ଯାହା ଏକ ବୁଦା ପଛରେ ରହି ଘାସ ଖାଉଥିଲା ।

ବନ ଅଧିକାରୀଙ୍କ କହିବାନୁସାରେ, ଆଗରୁ କେବେ ଏମିତି ଦେଖିବାକୁ ମିଳିନି । ଏପରି ହରିଣ ସାଧାରଣ ଭାବେ ଦେଖିବାକୁ ମିଳନ୍ତିନି । ଏହା ଏକ ବିରଳ ଘଟଣା । ଜିନ୍ ଗତ କାରଣରୁ ହରିଣଟି କଳା ରଙ୍ଗର ବୋଲି ଅଧିକାରୀ କହିଛନ୍ତି ।

ପୂର୍ବରୁ ଦାର୍ଜିଲିଂ ନିକଟବର୍ତ୍ତୀ କିଛି ଜଙ୍ଗଲରେ କଳା ହରିଣ ଥିବା ଲୋକେ କହୁଥିଲେ । ହେଲେ ତାହାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିପାରିନଥିଲା । ଏବେ କିନ୍ତୁ ଡୋହିଲ୍ ଜଙ୍ଗଲର ଭିଡିଓ ଆସିବା ପରେ ହରିଣ ବାବଦରେ ଆଲୋଚନା ସତ ପ୍ରମାଣିତ ହୋଇଛି ।

ବନ୍ୟଜନ୍ତୁ ବିଶେଷଜ୍ଞଙ୍କ କହିବାନୁସାରେ, ହରିଣ ଶରୀରରେ ମେଲାନିନ୍ ମାତ୍ରା କମ୍ ରହିଥାଏ । କିନ୍ତୁ କିଛି ହରିଣଙ୍କ କ୍ଷେତ୍ରରେ ଏହା ଢେର୍ ଅଧିକ । ମେଲାନିନ୍ ଅଧିକ ରହିବା କାରଣରୁ ହରିଣର ରଙ୍ଗରେ ପରିବର୍ତ୍ତନ ଆସିଥାଏ । ଜଙ୍ଗଲରେ ରହୁଥିବା ବାର୍କିଂ ଡିଅର କ୍ଷେତ୍ରରେ ଜିନ୍ ଗତ ପରିବର୍ତ୍ତନ ଅଧିକ ହୋଇଥାଏ ।

ସୂଚନାଯୋଗ୍ୟ, ଭାରତରେ ବିଭିନ୍ନ ପ୍ରକାର ହରିଣ ବସବାସ କରନ୍ତି । ଏହାସହ ଜିନ୍ ଗତ ପରିବର୍ତ୍ତନରେ ଭାରତୀୟ ପଶୁପକ୍ଷୀ ସଦାବେଳେ ଆଗରେ । ପୂର୍ବରୁ କଳା ମହାବଳ ଏବଂ କଲରାପତରିଆ ବାଘ ଠାବ ହୋଇଛନ୍ତି । ଏବେ କଳା ହରିଣ ଆସିବା ପରେ ଏହାର ସୁରକ୍ଷା ପାଇଁ ଦାବି ଜୋର୍ ଧରିଛି ।