ସରକାରୀ ବିମାନରେ ଯାତ୍ରା କଲେ ଧୀରେନ୍ଦ୍ର ଶାସ୍ତ୍ରୀ, ପାଦ ଛୁଇଁ ମୁଣ୍ଡିଆ ମାରିଲେ ପୋଲିସ ଅଧିକାରୀ; ଆପତ୍ତି ଉଠାଇଲା କଂଗ୍ରେସ

NEWS7
the-jee-examinees-could-not-enter-the-test-center-due-to-covids-positives

ନୂଆଦିଲ୍ଲୀ: ବାଗେଶ୍ବର ଧାମ ମୁଖ୍ୟ ଧୀରେନ୍ଦ୍ର ଶାସ୍ତ୍ରୀ ଛତିଶଗଡ଼ ସରକାରଙ୍କ ଏକ ବିମାନରେ ଯାତ୍ରା କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜଣେ ଧର୍ମ ପ୍ରଚାରକଙ୍କୁ କାହିଁକି ସରକାରୀ ବିମାନ ଯୋଗାଇ ଦିଆଯାଇଥିଲା ବୋଲି ରାଜ୍ୟ କଂଗ୍ରେସ ପ୍ରଶ୍ନ କରିଛି । କେବେଳ ସେତିକି ନୁହେଁ, ଜଣେ ପୋଲିସ ଅଧିକାରୀ ବାଗେଶ୍ବର ବାବାଙ୍କୁ ଚରଣ ସ୍ପର୍ଶ କରି ପ୍ରଣାମ କରିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ରାଜ୍ୟର ଜଣେ ମନ୍ତ୍ରୀ ଏବଂ ଧୀରେନ୍ଦ୍ର ଶାସ୍ତ୍ରୀ ବିମାନରୁ ଓହ୍ଳାଇବା ପରେ ସେଠରେ ମୁତୟନ ଜଣେ ପୋଲିସ ଅଧିକାରୀ ମନ୍ତ୍ରୀଙ୍କୁ ସାଲ୍ୟୁଟ କରିଥିଲେ ଏବଂ ଶାସ୍ତ୍ରୀଙ୍କୁ ମୁଣ୍ଡିଆ ମାରିଥିଲେ । ଏହି ସମୟରେ ପୋଲିସ ଅଧିକାରୀ ମୁଣ୍ଡରୁ ନିଜ ଟୋପି ଓହ୍ଲାଇ ଦେଇଥିଲେ । ଛତିଶଗଡ଼ କଂଗ୍ରେସ ଯୋଗାଯୋଗ ବିଭାଗର ମୁଖ୍ୟ ସୁଶୀଲ ଆନନ୍ଦ ଶୁକ୍ଲା ଶନିବାର କହିଛନ୍ତି, ଶାସ୍ତ୍ରୀଙ୍କ ପାଇଁ ସରକାରୀ ବିମାନ ଯୋଗାଇ ଲୋକଙ୍କ ଟଙ୍କା ବରବାଦ କରାଯାଇଛି । ସରକାରୀ ଅର୍ଥର ଅପଚୟ ହୋଇଛି ବୋଲି ସେ କହିଛନ୍ତି ।

ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଭିଡିଓରେ ଦେଖାଯାଇଛି, ରାଇପୁର ଏୟାରପୋର୍ଟରେ ରାଜ୍ୟର ମନ୍ତ୍ରୀ ଗୁରୁ ଖୁସଓ୍ବନ୍ତ ସାହେବଙ୍କ ସହ ଧୀରେନ୍ଦ୍ର ଶାସ୍ତ୍ରୀ ସରକାରୀ ବିମାନରୁ ତଳକୁ ଓହ୍ଲାଉଛନ୍ତି । ଏହି ସମୟରେ ଜଣେ ପୋଲିସ ଅଧିକାରୀ ପ୍ରଥମେ ମନ୍ତ୍ରୀଙ୍କୁ ସାଲ୍ୟୁଟ କରୁଛନ୍ତି ଏବଂ ପରେ ଟୋପି ଓ ଜୋତା ଖୋଲି ଶାସ୍ତ୍ରୀଙ୍କ ପାଦ ଛୁଇଁ ପ୍ରଣାମ କରୁଛନ୍ତି । ତେବେ ଧୀରେନ୍ଦ୍ର ଶାସ୍ତ୍ରୀ ଦୁର୍ଗରେ ଆୟୋଜିତ ଏକ ଧାର୍ମିକ ସଭାରେ ଯୋଗ ଦେବାକୁ ଛତିଶଗଡ଼ ଗସ୍ତ କରିଥିଲେ ।

ସାମ୍ବିଧାନର କେଉଁ ନିୟମ ଆଧାରରେ ଜଣେ ଧର୍ମ ପ୍ରଚାରକଙ୍କୁ ସରକାରୀ ବିମାନ ଦିଆଯାଇଥିଲା, ସେନେଇ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସୁଶୀଲ ଆନନ୍ଦ ଶୁକ୍ଲା ଦାବି କରିଛନ୍ତି । ଧୀରେନ୍ଦ୍ର ଶାସ୍ତ୍ରୀ କୌଣସି ଧର୍ମ ଗୁରୁ କିମ୍ବା ପୀଠାଧୀଶ୍ବର ନୁହଁନ୍ତି । ଏପରିକି ସେ ଦେଶର ସାମଗ୍ରୀକ ସଂସ୍କୃତି ବିରୋଧୀ ବୋଲି ସେ କହିଛନ୍ତି । ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଶାସ୍ତ୍ରୀ ସାମାଜିକ ବିଭେଦକୁ ପ୍ରୋତ୍ସାହନ କରନ୍ତି । ଯାହା ସନାତନ ଧର୍ମ ବିରୋଧୀ ଚିନ୍ତାଧାରା । ଭଗବାନ ହନୁମାନ ପ୍ରେମ, ଧୈର୍ଯ୍ୟ ଏବଂ କ୍ଷମାର ପ୍ରତୀକ । ଯିଏ ତାଙ୍କ ନାମ ନେଉଛନ୍ତି, ତାଙ୍କର ମୂଲ୍ୟବୋଧକୁ ବି ମନ୍ତ୍ର କରିବା ଆବଶ୍ୟକ । ଅନ୍ଧବିଶ୍ବାସ ଏବଂ ମିଥ୍ୟା ପ୍ରଚାର ବେଶୀ ଦିନ ତିଷ୍ଠି ରହିପାରିବନି ବୋଲି କହିଛନ୍ତି ସୁଶୀଲ ଆନନ୍ଦ ।

 

କରଦାତାଙ୍କ ଟାଙ୍କାରେ ଶାସ୍ତ୍ରୀଙ୍କ ସରକାରୀ ବିମାନ ଯାତ୍ରାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ବିତର୍କ ଜାରି ରହିଛି। ସେପଟେ ପୋଲିସ ଅଧିକାରୀଙ୍କ ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି । କିନ୍ତୁ କେହି କେହି ତାଙ୍କୁ ସମର୍ଥନ କରିଛନ୍ତି । ସେମାନେ କହିଛନ୍ତି, ପୋଲିସ ଅଧିକାରୀ ପ୍ରଥମେ ମନ୍ତ୍ରୀଙ୍କୁ ସାଲ୍ୟୁଟ କରି ନିଜର କର୍ତ୍ତବ୍ୟ କରିଛନ୍ତି । ପରେ ବ୍ୟକ୍ତିଗତ ଆସ୍ଥା ପ୍ରକଟ କରି, ଶାସ୍ତ୍ରୀଙ୍କୁ ପ୍ରଣାମ କରିଛନ୍ତି । ସମାନ କଥା ବିଜେପି ମଧ୍ୟ କହିଛି । କଂଗ୍ରେସକୁ ଜବାବ ଦେଇ ବିଜେପି କହିଛି, ଜଣେ ପୋଲିସ ଅଧିକାରୀଙ୍କ ବ୍ୟକ୍ତିଗତ ଆସ୍ଥା ଉପରେ ପ୍ରଶ୍ନ ଉଠାଇବା ଅନାବଶ୍ୟକ । ରାଜ୍ୟ ବିଜେପି ମୁଖପାତ୍ର ସନ୍ତୋଷ ପାଣ୍ଡେ କହିଛନ୍ତି, ରେଲଓ୍ବେ ଅଧିକାରୀ ଏବଂ ଏୟାରପୋର୍ଟ କର୍ମଚାରୀ ସାର୍ବଜନୀନ ସ୍ଥାନରେ ନମାଜ ପାଠ କରୁନାହାନ୍ତି କି ? ତେବେ ଜଣେ ପୋଲିସ ଅଧିକାରୀ ଜଣେ ଗୁରୁଙ୍କୁ ପ୍ରଣାମ କରିବାକୁ ନେଇ କଂଗ୍ରେସର ଆପତ୍ତି କାହିଁକି ? ଏପରିକି କଂଗ୍ରେସ ସରକାର ସମୟରେ ସରକାରୀ ବିମାନରେ ବୁଲିଥିବା ଧର୍ମ ପ୍ରଚାରକଙ୍କ ତାଲିକା ଦେଇଛନ୍ତି ପାଣ୍ଡେ । କଂଗ୍ରେସ ସନତନ ଧର୍ମ ବିରୋଧୀ ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି ।