କର୍ପୂରୀ ଠାକୁରଙ୍କ ଭଳି ନୀତୀଶ କୁମାର ଭାରତ ରତ୍ନ ପାଇବାକୁ ଯୋଗ୍ୟ...ପିଏମ ମୋଦୀଙ୍କୁ ଚିଠି ଲେଖିଲେ କେସି ତ୍ୟାଗୀ

NEWS7
the-brother-set-house-on-fire

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଦଶମ ଥର ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିଛନ୍ତି । ନୀତୀଶ କୁମାର ନିଜର ରାଜନୈତିକ କ୍ୟାରିୟର ଲାଗି ଖୁବ ଚର୍ଚ୍ଚିତ । ବିବାଦ ମଧ୍ୟ ତାଙ୍କ ପିଛା ଛାଡ଼ୁନାହିଁ। ନିକଟରେ ଜଣେ ମୁସଲିମ ମହିଳାଙ୍କ ହିଜାବ ଟାଣି ସେ ବିବାଦକୁ ଆସିଥିଲେ । ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭାରତ ରତ୍ନ ମିଳୁ ବୋଲି ତାଙ୍କ ଦଳ ଜେଡିୟୁ ଦାବି କରିଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କେସି ତ୍ୟାଗି ନୀତୀଶଙ୍କ ଲାଗି ଭାରତ ରତ୍ନ ଦାବି କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ମଧ୍ୟ ଲେଖିଛନ୍ତି । ଚୌଧୁରୀ ଚରଣ ସିଂହ ଏବଂ କର୍ପୂରୀ ଠାକୁରଙ୍କ ଭଳି ନୀତୀଶ କୁମାରଙ୍କୁ ଭରତ ରତ୍ନ ଦିଆଯାଉ ବୋଲି ସେ ଚିଠିରେ ଲେଖିଛନ୍ତି ।

କେସି ତ୍ୟାଗୀ କହିଛନ୍ତି ଯେ, ବିହାର ଏବଂ ଦେଶ ପ୍ରତି ନୀତିଶ କୁମାରଙ୍କ ସେବାକୁ ସମ୍ମାନିତ କରିବାର ଏହାଠାରୁ ଭଲ ଉପାୟ ଆଉ କିଛି ହୋଇନପାରେ । ତଥାପି ଜଣେ ଜୀବିତ ବ୍ୟକ୍ତିଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ବିରଳ। ତ୍ୟାଗୀ କହିଛନ୍ତି ଯେ, ପ୍ରାୟ ଅଧ ଡଜନ ମାମଲା ଅଛି ଯେଉଁଥିରେ ଜୀବିତ ବ୍ୟକ୍ତିଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଛି। ଏଥିରେ ଜବାହାରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ଲତା ମଙ୍ଗେସକର ଏବଂ ପ୍ରଣବ ମୁଖାର୍ଜୀଙ୍କ ଭଳି ବ୍ୟକ୍ତିବିଶେଷ ସାମିଲ ।

ସାଧାରଣତଃ, ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ରତ୍ନ ଘୋଷଣା କରନ୍ତି। ଗତ ବର୍ଷ, କୃଷକ ନେତା ଚୌଧୁରୀ ଚରଣ ସିଂହ ଏବଂ ମହାନ ସମାଜବାଦୀ ନେତା କର୍ପୂରୀ ଠାକୁରଙ୍କ ପାଇଁ ଭାରତ ରତ୍ନ ଘୋଷଣା କରାଯାଇଥିଲା। ବିହାର ନିର୍ବାଚନକୁ ଦୃଷ୍ଟିରେ ରଖି କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିବା ନେଇ ଚର୍ଚ୍ଚା ବି ହୋଇଥିଲା । କର୍ପୂରୀ ଠାକୁର ଅତି ପଛୁଆ ବର୍ଗର ଥିଲେ ଏବଂ ଭୋଟ ପାଇଁ ଏହି ଘୋଷଣା କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା ।

ଗତ ବର୍ଷ ନଭେମ୍ବରରେ, ନୀତିଶ କୁମାର ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କୁ ସବୁଠାରୁ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ଗତ ବର୍ଷ ବିହାର ବିଧାନସଭା ନିର୍ବାଚନରେ, ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ୨୦୦ ରୁ ଅଧିକ ଆସନ ଜିତିଥିଲା ଏବଂ ଏକ ବଡ଼ ବିଜୟ ହାସଲ କରିଥିଲା। ନୀତିଶ କୁମାର ୨୦୦୫ ରୁ ପ୍ରାୟ ଲାଗାତାର ବିହାରର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରି ଆସିଛନ୍ତି। କିନ୍ତୁ ବାରମ୍ବାର ନିଜର ଆଭିମୁଖ୍ୟ ପରିବର୍ତ୍ତନ କରି ସମାଲୋଚନାର ଶିକାର ହୋଇଆସିଛନ୍ତି ନୀତୀଶ କୁମାର ।