LIVE TV

ସ୍ୱଘୋଷିତ ଫିଲ୍ଡ ମାର୍ଶଲ ଅସୀମ ମୁନିରଙ୍କୁ TTP ଆତଙ୍କବାଦୀଙ୍କ ଖୋଲା ଚ୍ୟାଲେଞ୍ଜ, ଜାଣନ୍ତୁ କହିଲେ କ’ଣ?

NEWS7
the-body-was-kept-in-a-bag-for-20-hours

ଇସ୍ଲାମାବାଦ ୨୩।୧୦: ପାକିସ୍ତାନୀ ସେନା ଲାଗି କାଳ ପାଲଟିଥିବା ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଆତ୍ମଘୋଷିତ ଫିଲ୍ଡମାର୍ଶଲ ଜେନେରାଲ ଅସୀମ ମୁନିରଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ଏ ନେଇ ଟିଟିପି ଏକ ଭିଡିଓ ଜାରି କରିଥିବା ବେଳେ ଜେନେରାଲ ମୁନିରଙ୍କୁ ପାକିସ୍ତାନର କୋହଟ ଅଞ୍ଚଳକୁ ଆସିବାକୁ କହିଛି। ତାଲିବାନ ସେନା ଓ ପାକିସ୍ତାନ ସେନା ମଧ୍ୟରେ ଜୋରଦାର ଲଢେଇ ପରେ ଟିଟିପି ଏହି ଚ୍ୟାଲେଞ୍ଜ ଜାରି କରିଛି।

ଟିଟିପି କହିଛି ଯେ ମୁନିର ପାକିସ୍ତାନ ସେନାର ଅସହାୟ ଜବାନଙ୍କୁ ପଠାଇବା ବଦଳେ ଯଦି ସେ ପୁରୁଷ ହୋଇଥାନ୍ତି ତେବେ କୋହଟକୁ ଆସନ୍ତୁ। କୋହଟ ପାକିସ୍ତାନର ଖୈବରପୁକ୍ତନଖ୍ୱା ପ୍ରାନ୍ତର ଏକ ସ୍ଥାନ, ଯାହାକୁ ଟିଟିପିର ଗଡ଼ ବୋଲି କୁହାଯାଏ ଓ ଏହା ଆଫଗାନିସ୍ତାନ ସୀମାକୁ ଲାଗିକି ରହିଛି। ଏହି ଅଞ୍ଚଳରେ ଟିଟିପିର ଦବଦବା ରହିଛି ଓ ଏଠାରେ ପାକିସ୍ତାନୀ ସେନାଙ୍କୁ ଲଗାତାର କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି।

ଟିଟିପି ଜାରି କରିଥିବା ଏହି ଭିଡିଓରେ ଅକ୍ଟୋବର ୮ ତାରିଖ ଦିନ ଖୈବରପୁକ୍ତନଖ୍ୱାର କୁର୍ରମ ଅଞ୍ଚଳରେ ହୋଇଥିବା ଆକ୍ରମଣର ଭିଡିଓ ଫୁଟେଜ ମଧ୍ୟ ଦେଖା ଯାଇଛି। ଟିଟିପିର ଏହି ଆକ୍ରମଣରେ ୨୨ ପାକିସ୍ତାନୀ ଜବାନ ପ୍ରାଣ ହରାଇଥିଲେ ଓ ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଛଡାଇ ନିଆଯାଇଥିଲା। ତେବେ ପାକିସ୍ତାନ ସେନା ଏହି ସଂଖ୍ୟାକୁ କମ୍ ଦେଖାଇଥିଲା। ଏଥିରେ ପାକିସ୍ତାନର ୧୧ ଜଣ ଜବାନ ପ୍ରାଣ ହରାଇଥିବା କୁହାଯାଇଥିଲା। ଏନଡିଟିଭି ରିପୋର୍ଟ ଅନୁସାରେ ଏହି ଭିଡିଓରେ ପାକିସ୍ତାନୀ ଅଧିକାରୀମାନେ ଜଣେ ଟିଟିପି କମାଣ୍ଡରଙ୍କୁ କାଜିମ ରୂପେ ଚିହ୍ନଟ କରିଛନ୍ତି।

କାଜିମ ଭିଡିଓରେ କହିଛି ଯେ ‘ଯଦି ପୁରୁଷ ହୋଇ ଥାଅ ତେବେ ଆମର ସାମ୍ନା କର’, ଏହି ଭିଡିଓରେ କାଜିମ ଏହା ମଧ୍ୟ କହୁଥିବାର ଶୁଣା ଯାଉଛି ଯେ ‘ଯଦି ମା ଖୀର ପିଇଛ ଆମ ସହ ଲଢି ଦେଖ’। ଏହା ପୂର୍ବରୁ ଅକ୍ଟୋବର ୨୧ରେ ପାକିସ୍ତାନ ସେନା କାଜିମ ସମ୍ପର୍କରେ ସୂଚନା ପ୍ରଦାନକାରୀଙ୍କୁ ୧୦କୋଟି ଟଙ୍କା (ପାକିସ୍ତାନ ମୁଦ୍ରାରେ) ପୁରସ୍କାର ଘୋଷଣା କରିଥିଲା। ଟିଟିପିକୁ ନେଇ ପାକିସ୍ତାନ ଓ ତାଲିବାନ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା। ଏଥିରେ ପାକିସ୍ତାନର ୫୦ରୁ ଅଧିକ ସୈନିକ ହତାହତ ହୋଇଥିଲେ। ଏହା ପରେ କତାର ପାକିସ୍ତାନ ଓ ତାଲିବାନ ମଧ୍ୟରେ ସିଜଫାୟାର କରାଇଛି।