ବାରୁଦ ଗଦାରେ ମଧ୍ୟପ୍ରାଚ୍ୟ! ଟ୍ରମ୍ପଙ୍କ ଗୋଟିଏ ନିଷ୍ପତ୍ତି ଉସକାଇପାରେ ଯୁଦ୍ଧ

NEWS7
the-biden-administration-rejected-trumps-order

ନୂଆଦିଲ୍ଲୀ ୧୧।୧: ମଧ୍ୟପ୍ରାଚ୍ୟ ପୁଣି ଥରେ ବାରୁଦ ଗଦାରେ ଛିଡା ହୋଇଛି। ଅନ୍ତର୍ଜାତୀୟ ସୁରକ୍ଷା ବିଶେଷଜ୍ଞଙ୍କ କହିବା କଥା ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କେବଳ ଏକ ନିଷ୍ପତ୍ତି ସମଗ୍ର କ୍ଷେତ୍ରକୁ ଯୁଦ୍ଧ ମଧ୍ୟକୁ ଠେଲି ଦେଇପାରେ ଓ ଏହାର ପ୍ରଭାବ କେବଳ ଇରାନ ଅଥବା ଆମେରିକା ମଧ୍ୟରେ ସୀମିତ ରହିବ ନାହିଁ ବରଂ ସାରା ବିଶ୍ୱକୁ ହଲାଇ ପାରେ। ଇରାନ ସଂସଦର ବାଚସ୍ପତି ମହମଦ ବାଘେର କାଲିବାଫ ପୂର୍ବରୁ ସ୍ପଷ୍ଟ କରିଦେଇଛନ୍ତି ଯେ ଯଦି ଆମେରିକା ଆକ୍ରମଣ କରେ ତେବେ ପଶ୍ଚିମ ଏସିୟାରେ ଥିବା ସବୁ ଆମେରିକୀୟ ସାମରିକ ଘାଟି ଆମର ବୈଧ ଲକ୍ଷ୍ୟ ହେବ।

ତେବେ ଏକ୍ସପର୍ଟ ଏହାକୁ ସିଧା ଚେତାବନୀ ଭାବୁ ନାହାନ୍ତି ,ବରଂ ଖୋଲା ଯୁଦ୍ଧ ସଂକେତ ବୋଲି କହୁଛନ୍ତି। ବିଶ୍ଲେଷକଙ୍କ ଅନୁସାରେ ଆମେରିକା ଦୀର୍ଘ ଦଶନ୍ଧୀରୁ ଇରାନ ଚତୁପାର୍ଶ୍ୱରେ କତାର, ବାହାରିନ, ୟୁଏଇ, ଇରାକ ଓ ଜୋର୍ଡାନରେ ସାମରିକ ଘାଟିର ଜାଲ ବିଛାଇ ରଖିଛି। ଏହି ସାମରିକ ଘାଟି ଏବେ ଆମେରିକାର ଶକ୍ତି ନୁହେଁ ବରଂ ଦୁର୍ବଳତାର କାରଣ ହୋଇପାରନ୍ତି। ଏହା ପୂର୍ବରୁ ଇରାନ ୨୦୨୦ ମସିହାରେ ଇରାକର ଏନ ଅଲ-ଅସଦ ବାୟୁସେନା ଘାଟି ଉପରକୁ ଆକ୍ରମଣ କରି ଏହା ପ୍ରମାଣିତ କରିଥିଲା ଯେ ସେ ଆମେରିକା ଆଡ୍ଡା ପର୍ଯ୍ୟନ୍ତ ନିଜର ପହଞ୍ଚ ରଖିଛି। ଏବେକା ପରିସ୍ଥିତି ଅଧିକ ଜଟିଳ ହୋଇଯାଇଛି।

ଏକ୍ସପର୍ଟଙ୍କ ଅନୁସାରେ କୌଣସି ପ୍ରକାରର ଜବାବୀ କାର୍ଯ୍ୟାନୁଷ୍ଠାନ ଇରାନ ଡ୍ରୋନ ସ୍ୱାର୍ମ ଓ ସଠିକ ମିଜାଇଲ ଉପଯୋଗ କରିପାରେ। ଏଥିରୁ ଯଦି ଗୋଟିଏ ବି ମିଜାଇଲ ଆମେରିକୀୟ ଜାହାଜ ଅଥବା ଘାଟିରେ ପଡିଲା ଏହା ନା କେବଳ ସୈନ୍ୟ କ୍ଷତି କରିବ ବରଂ ଏହା ଆର୍ଥିକ ସୁନାମୀ ମଧ୍ୟ ହେବ। ଏଥିରେ ସବୁଠୁ ବଡ଼ ବିପଦ ହର୍ମୁଜ ଷ୍ଟ୍ରେଟ ହେବ। ଏହି ମାର୍ଗ ଦେଇ ବିଶ୍ୱର ଏକ ବିଶାଳ ଅଞ୍ଚଳକୁ ତୈଳ ଯୋଗାଣ ହେଉଛି। ଏଥିରେ ଯଦି ଇରାନ ଏଠାରେ ବାଧାକ ହେଲା ତେବେ ବିଶ୍ୱରେ ଇନ୍ଧନ ଦର ଆକାଶ ଛୁଇଁବ। ଫଳରେ ସେୟାର ବଜାର ମାଟି ସାଉଣ୍ଟିବା ସହ ବୈଶ୍ୱିକ ମୁଦ୍ରାସ୍ପିତି ଅଣାୟତ ହେବ।

କତାର, କ୍ୱେତ ଓ ବାହାରିନ ଭଳି ଦେଶମାନେ ଆମେରିକା ସୁରକ୍ଷାର ଛତାତଳେ ଅଛନ୍ତି। ହେଲେ ସେମାନେ ଚାହୁଁନାହାନ୍ତି ସେମାନଙ୍କ ଦେଶ ଇରାନ-ଆମେରିକା ଯୁଦ୍ଧର ପୃଷ୍ଠ ଭୂମି ହେଉ। ଏଣୁ ସମ୍ପୂର୍ଣ୍ଣ ମଧ୍ୟ ପ୍ରାଚ୍ୟ ଏବେ ହାଇଆଲର୍ଟରେ ଅଛନ୍ତି। ଏଥିରେ ପ୍ରତିରକ୍ଷା ବିଶେଷଜ୍ଞ ଦୁଇପଦ କହିଛନ୍ତି। ଏହା କେବଳ ଇରାନ ବନାମ ଆମେରିକା ଯୁଦ୍ଧ ନୁହେଁ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ବୈଶ୍ୱିକ ବ୍ୟବସ୍ଥା, ତୈଳ ବଜାର ଓ ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରିପାରେ। ଏକ ଭୁଲ ପଦକ୍ଷେପ ସାରା ବିଶ୍ୱକୁ ଯୁଦ୍ଧ ମୁହଁକୁ ଧକ୍କା ଦେଇପାରେ।