LIVE TV

ଉତ୍ତରାଖଣ୍ଡ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଜିମ କର୍ବେଟରେ ଧ୍ୱଂସ୍ତ ହେବ ସବୁ ଅବୈଧ ନିର୍ମାଣ

NEWS7
terrorist-and-indian-army-exchange-fire-in-jammu-kashmir

ନୂଆଦିଲ୍ଲୀ ୧୭।୧୧: ସୁପ୍ରିମକୋର୍ଟ ସୋମବାର ଉତ୍ତରାଖଣ୍ଡ ସରକାରଙ୍କୁ ଜିମ୍ କର୍ବେଟ ଟାଇଗର ରିଜର୍ଭରେ ବୃକ୍ଷ ଛେଦନ ଓ ଅବୈଧ ନିର୍ମାଣ ଯୋଗୁ ହୋଇଥିବା କ୍ଷତି ଭରଣା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି (ସିଜେଆଇ) ବି.ଆର.ଗଭଈଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ କେତେକ ନିର୍ଦ୍ଦେଶ ଜାରି କରି ଚିଫ୍ ଫରେଷ୍ଟ କଞ୍ଜରଭେଟରଙ୍କୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସେଣ୍ଟ୍ରାଲ ଏମ୍ପାୱାର୍ଡ କମିଟି (ସିଇସି)ଙ୍କ ସହିତ ପରାମର୍ଶ କରିବାକୁ କହିଛନ୍ତି, ଯେପରି ୩ ମାସ ମଧ୍ୟରେ ବନାଞ୍ଚଳରୁ ସମସ୍ତ ଅବୈଧ ନିର୍ମାଣ ଧ୍ୱଂସ୍ତ ହୋଇ ପାରିବ।

ପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ ସିଇସି ଉତ୍ତରାଖଣ୍ଡ ଦ୍ୱାରା ବିକଶିତ ପାରିସ୍ଥିତିକୀୟ ପୁନରୁଦ୍ଧାର ଯୋଜନା (ଇକୋଲଜିକାଲ ରିଷ୍ଟୋରେସନ ପ୍ଲାନ)ର ଦେଖରେଖ କରିବେ। ରାଜ୍ୟ ସରକାର ଅବୈଧ ବୃକ୍ଷ ଛେଦନର ଭରଣା ନିମନ୍ତେ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି। ସିଜେଆଇ କହିଛନ୍ତି ‘ଯଦି ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାର ଅଛି, ତେବେ ଏହା ଇକୋ ଟୁରିଜିମ ଅନୁସାରେ କରାଯିବା ଦରକାର’। ସେ କହିଛନ୍ତି ଯେ ମୁଖ୍ୟ ଅଞ୍ଚଳରୁ ପରିବାର ଠାରୁ ଦୂରରେ ରହି କାର୍ଯ୍ୟକରୁଥିବା କର୍ମଚାରୀଙ୍କ ଲାଗି ବିଶେଷ ପ୍ରାବଧାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଶୀର୍ଷ ନ୍ୟାୟାଳୟ କହିଛନ୍ତି ଟାଇଗର ସଫାରି ସମ୍ପର୍କରେ ମଧ୍ୟ ଆମେ ନିର୍ଦ୍ଦେଶ ଜାରି କରିଛୁ। ଏହା ୨୦୧୯ ନିୟମାନୁସାରେ ହେବା ଆବଶ୍ୟକ।

ବନ୍ୟପ୍ରାଣୀଙ୍କ ଲାଗି ଉଦ୍ଧାର କେନ୍ଦ୍ର ସ୍ଥାପିତ ହେବା ଦରକାର ଓ ଚିକିତ୍ସା ଦେଖରେଖରେ ମଧ୍ୟ ସରକାର ସହାୟତା କରିବା ଦରକାର। ଏପରି କେନ୍ଦ୍ର ଟାଇଗର ସଫାରି ନିକଟରେ ରହିବା ଆବଶ୍ୟକ। ଏହା ସହିତ କୋର୍ଟ ବନାଞ୍ଚଳକୁ ବାହନ ପ୍ରବେଶ ନିୟନ୍ତ୍ରଣ ମଧ୍ୟ ଜରୁରି ବୋଲି କହିଛନ୍ତି। ଏଥିରେ ପୀଠ ୩ ମାସ ମଧ୍ୟରେ ବ୍ୟାଘ୍ର ସଂରକ୍ଷଣ ଯୋଜନା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।