LIVE TV

ଦେଶର ଜନସଂଖ୍ୟାରେ ଆସୁଛି ଦ୍ରୁତ ପରିବର୍ତ୍ତନ, ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଦାବି

NEWS7
tension-in-soro-santipada-village

ନୂଆଦିଲ୍ଲୀ: ଦେଶରେ ଜନସଂଖ୍ୟା ଢାଞ୍ଚାରେ ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳୁଛି । ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କ୍ରିୟାନ୍ୱୟନ ମନ୍ତ୍ରଣାଳୟର ସଦ୍ୟ ରିପୋର୍ଟ ସାମନାକୁ ଆସିଛି । ଏହା ଅନୁସାରେ ୨୦୧୧-୨୬ ମଧ୍ୟରେ ଦେଶର ପିଲା ଓ କିଶୋର (୦-୧୯)ଙ୍କ ଜନସଂଖ୍ୟାରେ ୯ ପ୍ରତିଶତ ହ୍ରାସ ଅନୁମାନ କରାଯାଇଛି । ଦେଶରେ ୨୦୧୧ରେ ୦-୧୯ ବର୍ଷର ଜନସଂଖ୍ୟା ପ୍ରାୟ ୪୧ ପ୍ରତିଶତ ଥିଲା, ଯାହା ୨୦୨୬ରେ ମାତ୍ର ୩୨ ପ୍ରତିଶତରେ ସୀମିତ ରହିପାରେ । ମନ୍ତ୍ରଣାଳୟର ରିପୋର୍ଟ ଭାରତରେ ପିଲାଙ୍କ ଜନସଂଖ୍ୟାକୁ ନେଇ ଏହି ଦାବି କରାଯାଇଛି ।

ଏକ ଆକଳନ ଅନୁସାରେ, ୦-୧୯ ବର୍ଷର ଜନସଂଖ୍ୟାକୁ ଚାରୋଟି ବର୍ଗରେ ଭାଗ କରାଯାଇଛି । ଯଦି ୨୦୧୧ ମସିହା କଥା କହିବା ତେବେ ୦-୪ ବର୍ଷ ବୟସର ଜନସଂଖ୍ୟା ୯.୯ ପ୍ରତିଶତ ଥିଲା, ଯାହା ୨୦୨୬ରେ ୭.୬ ପ୍ରତିଶତ ହୋଇପାରେ । ୫-୯ ବର୍ଷ ବୟସର ଜନସଂଖ୍ୟା ୧୦.୪ ପ୍ରତିଶତରୁ ହ୍ରାସ ପାଇ ୭.୯ ପ୍ରତିଶତ ହୋଇପାରେ । ତୃତୀୟ ଗୋଷ୍ଠୀ ୧୦-୧୪ ବୟସ ବର୍ଗରେ ଜନସଂଖ୍ୟା ୧୦.୬ ପ୍ରତିଶତରୁ ହ୍ରାସ ପାଇ ୮.୨ ପ୍ରତିଶତ ରହିପାରେ । ସେହିପରି ୧୫-୧୯ ବର୍ଷ ବୟସର କିଶୋରଙ୍କ ଜନସଂଖ୍ୟା ୧୦.୧ ପ୍ରତିଶତରୁ ହ୍ରାସ ପାଇ ୮.୨ ପ୍ରତିଶତ ରହିପାରେ । ରିପୋର୍ଟରେ କୁହାଯାଇଛି ଯେ ଭାରତରେ ପରିବାର ନିୟୋଜନ ସୁବିଧାରେ ସୁଧାର କାରଣରୁ ଗତ କିଛି ବର୍ଷରେ ପ୍ରଜନନ ହାର ଲଗାତାର ହ୍ରାସ ପାଉଛି, ଯାହାର ପ୍ରଭାବ ଜନସଂଖ୍ୟା ଢାଞ୍ଚା ଉପରେ ଦେଖିବାକୁ ମିଳୁଛି ।

ବିଶେଷଜ୍ଞଙ୍କ ମତରେ ଜନସଂଖ୍ୟା ଢାଞ୍ଚାରେ ଆସୁଥିବା ଏହି ପରିବର୍ତ୍ତନରୁ ଆଗାମୀ ବର୍ଷରେ ଭାରତର ଜନସଂଖ୍ୟାରେ ବାସ୍ତବିକ ହ୍ରାସ ଆରମ୍ଭ ହେବ । କିନ୍ତୁ ଏପରି ହେବାକୁ ଅତି କମରେ ଆହୁରି ୨୦ ବର୍ଷ ଲାଗିବ । ଉଲ୍ଲେଖଯୋଗ୍ୟ ଯେ ଗୋଟିଏ ପଟେ କିଶୋରଙ୍କ ଜନସଂଖ୍ୟା ହ୍ରାସ ପାଉଥିବା ବେଳେ ମଧ୍ୟମ ବର୍ଗ ବୟସର ଜନସଂଖ୍ୟା ଓ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଛି । ହାରାହାରି ବୟସ ବଢିବା ଦ୍ୱାରା 80ରୁ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ବଢିଛି ।