LIVE TV

୧୧ ବର୍ଷ ପରେ ନୂଆପଡ଼ାରେ ପୁଣି ଫୁଟିଛି ପଦ୍ମ, ବିଜୟର ଶ୍ରେୟ ଜନତାଙ୍କୁ ଦେଲେ ଜୟ

NEWS7
tension-gripped-at-kalahandi-as-villagers-didnt-allow-labour-dead-body-inside-village-for-nuakhai

ଭୁବନେଶ୍ୱର ୧୫/୧୧: ବିଜେଡି ଗଡ଼କୁ ଧ୍ବସ୍ତ କରି ଉପନିର୍ବାଚନରେ ଜୟଙ୍କ ବଡ଼ ବିଜୟ ହୋଇଛି । ୧୧ ବର୍ଷ ପରେ ନୂଆପଡ଼ାରେ ପୁଣି ଥରେ ପଦ୍ମ ଫୁଟିଛି । ବିଜେପି ପ୍ରାର୍ଥୀ ଜୟ ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ଘାସିରାମ ମାଝୀଙ୍କୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ରାଜ୍ୟର ଅନ୍ୟତମ ପଛୁଆ ଅଞ୍ଚଳର ଏହି ବିଧାନସଭା ଆସନକୁ ୧୧ ବର୍ଷ ପରେ ବିଜେପି ନିଜ ଦଖଲକୁ ନେଇଛି । ବିଜେପି ପ୍ରାର୍ଥୀ ଜୟଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ ମିଳିଛି ।ସେପଟେ ବିଜେପିର ବିପୁଳ ବିଜୟ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଭବ୍ୟ ସମ୍ୱର୍ଦ୍ଧନା ଉତ୍ସବ କରାଯାଇଛି । ବିଜେପି କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କୁ ସ୍ୱାଗତ କରାଯାଇଥିଲା ।

ଏହି ଅବସରରେ ନିର୍ବାଚନରେ ବିଜୟକୁ ନେଇ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ଦେଇଛନ୍ତି । ମନମୋହନ କହିଛନ୍ତି କି, ଏହି ବିଜୟ ନୂଆପଡ଼ାବାସୀଙ୍କର । ଦଳୀୟ କର୍ମୀ ଓ ନେତାଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ଦଳ ବିଜୟୀ ହୋଇଛି । ରାଜ୍ୟବାସୀଙ୍କ ବିଜେପି ପ୍ରତି ଥିବା ବିଶ୍ୱାସ ନୂଆପଡ଼ାରେ ପ୍ରତିଫଳିତ ହୋଇଛି ।

 

ସେପଟେ ବିଜୟ ଉତ୍ସବରେ ସାମିଲ ହୋଇ ଜୟ ଢୋଲକିଆ କହିଛନ୍ତି, ଏହି ଗଣତନ୍ତ୍ରର ମହାପର୍ବରେ ନୂଆପଡ଼ାବାସୀ ସାମିଲ ହୋଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । ତାଙ୍କର ବିଜୟର ଶ୍ରେୟ ସେ ନୂଆପଡ଼ାବାସୀଙ୍କୁ ଦେଇଛନ୍ତି । ସବୁଠାରୁ ବଡ଼କଥା ହେଉଛି ଏ ବିଜୟ ପଛରେ ବାପା ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ଆଶୀର୍ବାଦ ଥିବା କଥା ଜୟ ଭାବବିହ୍ୱଳ ହୋଇ କହିଛନ୍ତି ।

ଏହା ସହ ସେ ବିଜେପିକୁ ଧନ୍ୟବାଦ ଦେଇ କହିଛନ୍ତି କି, ନିର୍ବାଚନ ବେଳେ ବିଜେପି ଯେଭଳି ଭାବେ ଗୋଟିଏ ପରିବାର ଭଳି ସାଂଗଠନିକ କାର୍ଯ୍ୟ କରିଥିଲା ତାହା ମୋତେ ଚକିତ କରିଛି । ସେପଟେ ବିଜେପି କାର୍ଯ୍ୟାଳୟରୁ ସେ ବିରୋଧୀ ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି, ମୋ ବାପାଙ୍କ ଫଟୋ ଲଗାଇ ଯିଏ ଲୋକଙ୍କ ଭ୍ରମିତ କରୁଥିଲେ ତା'ର ଫଳ ସେମାନେ ପାଇଛନ୍ତି ।