ଏକାସାଙ୍ଗେ ୪୨ ବିଧାୟକଙ୍କୁ ନୋଟିସ୍ କଲେ ହାଇକୋର୍ଟ, ମାମଲା କ’ଣ ?

NEWS7
tension-at-digapahandi-sub-registrar-office

ପାଟନା: ଏମିତି କଣ ହେଲା ଯେ, ଏକାଥରେ ୪୨ ଜଣ ବିଧାୟକଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ । କୋର୍ଟଙ୍କ ନୋଟିସ୍ ପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଏ ଘଟଣା ବିହାରରେ ଘଟିଛି । ପାଟନା ହାଇକୋର୍ଟ ୪୨ ଜଣ ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି ।

ପାଟନା ହାଇକୋର୍ଟ ବିହାରର ଶାସକ ଏବଂ ବିରୋଧୀ ଦଳର ମୋଟ ୪୨ ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରି ସେମାନଙ୍କ ଜବାବ ମାଗିଛନ୍ତି। ଏହି ବିଧାୟକମାନଙ୍କ ଉପରେ ଭୋଟ ଅନିୟମିତତା (ଭୋଟ୍ ଚୋରି) ଏବଂ ସେମାନଙ୍କ ନିର୍ବାଚନୀ ଶପଥପତ୍ରରେ ମିଥ୍ୟା ସୂଚନା ପ୍ରଦାନ କରିବାର ଅଭିଯୋଗ ରହିଛି। ନୋଟିସ୍ ଜାରି ହେବା ପରେ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି।

ସମ୍ପୃକ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ପରାଜିତ ପ୍ରାର୍ଥୀମାନେ ପାଟନା ହାଇକୋର୍ଟରେ ବିଜୟୀ ବିଧାୟକଙ୍କ ବିରୋଧରେ ଆବେଦନ ଦାଖଲ କରିଥିଲେ। ଗୁରୁବାର (୧୯ ଫେବୃଆରୀ, ୨୦୨୬) ଏକ ଶୁଣାଣି ହୋଇଥିଲା। ଆବେଦନଗୁଡ଼ିକର ପ୍ରାରମ୍ଭିକ ଶୁଣାଣି ସମୟରେ, ହାଇକୋର୍ଟ ସମସ୍ତ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ସେମାନଙ୍କର ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନୋଟିସ ଜାରି ହୋଇଥିବା ନେତାମାନଙ୍କ ମଧ୍ୟରେ ଅର୍ଥ ଏବଂ ଶକ୍ତି ମନ୍ତ୍ରୀ ବିଜେନ୍ଦ୍ର ଯାଦବ (ଜେଡିୟୁ), ବିଜେପି ବିଧାୟକ ଜୀବେଶ ମିଶ୍ର, ଜେଡିୟୁ ବିଧାୟକ ଚେତନ ଆନନ୍ଦ, ଆରଜେଡି ବିଧାୟକ ଉମେନ୍ଦ୍ର ପ୍ରସାଦ ପ୍ରମୁଖ ସାମିଲ ।ପରବର୍ତ୍ତୀ ଶୁଣାଣିରେ, କୋର୍ଟ ସମସ୍ତ ପକ୍ଷଙ୍କ ଜବାବ ଆଧାରରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବେ।

ସୂଚନାଯୋଗ୍ୟ ଯେ, ବିହାର ବିଧାନସଭା ନିର୍ବାଚନର ଫଳାଫଳ ୧୪ ନଭେମ୍ବର, ୨୦୨୫ରେ ଘୋଷଣା କରାଯାଇଥିଲା। ଏହା ପରେ ନେତାମାନେ ପାଟନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଧାନସଭା ନିର୍ବାଚନରେ NDA ଏକ ବଡ଼ ବିଜୟ ହାସଲ କରିଥିଲା। RJD ମାତ୍ର ୨୫ ଆସନରେ ବିଜୟ ହୋଇଥିଲା । କଂଗ୍ରେସ କେବଳ ୬ ଆସନ ଜିତିଥିଲା।

ବିଜେପି ଏବଂ JDU ସବୁଠାରୁ ଅଧିକ ଆସନରେ ବଜୟୀ ହୋଇ ସରକାର ଗଢ଼ିଥିଲେ । ବିଜେପି ୮୯ ଆସନ, ଜେଡିୟୁ ୮୫ ଆସନ ଏବଂ ଚିରାଗ ପାସୱାନଙ୍କ ଦଳ ୧୯ଟି ଆସନ ଜିତିଥିଲା । ଜିତନରାମ ମାଞ୍ଝିଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ୫ଟି ଆସନରେ ବିଜୟୀ ହୋଇଥିଲା । ଉପେନ୍ଦ୍ର କୁଶୱାଙ୍କ ରାଷ୍ଟ୍ରିୟ ଲୋକ ମୋର୍ଚ୍ଚା ୪ଟି ଆସନ ପାଇଥିଲା । ଫଳରେ ଏନଡିଏ ଏକ ବୃହତ୍ତ ବିଜୟ ହାସଲ କରିଥିଲା ।