ରପ୍ତାନୀ ପାଇଁ ପ୍ରସ୍ତୁତ ମହାରାଷ୍ଟ୍ର, ତାମିଲନାଡୁକୁ ପକାଇଲା ପଛରେ; ଟପ୍‌-୫ରେ ଅଛନ୍ତି ଏହି ରାଷ୍ଟ୍ର, ଓଡ଼ିଶାରେ ସ୍ଥିତି ସାଂଘାତିକ

NEWS7
tej-pratap-yadav-sneaks-out-of-hotel-despite-security-flees-to-vrindavan-after-argument-with-family

ନୂଆଦିଲ୍ଲୀ: ଭାରତର ରପ୍ତାନୀରେ ଅନେକ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ତାମିଲନାଡୁ କିନ୍ତୁ ଏ କ୍ଷେତ୍ରରେ ସବୁବେଳେ ଶୀର୍ଷରେ ରହିଥାଏ। ହେଲେ ଏଥର କିନ୍ତୁ ବାଜି ଓଲଟି ଯାଇଛି। ତାମିଲନାଡୁକୁ ପଛରେ ପକାଇ ମହାରାଷ୍ଟ୍ର ହୋଇଛି ନମ୍ବର ୱାନ୍। ଅର୍ଥାତ୍ ମହାରାଷ୍ଟ୍ର ଏବେ ସର୍ବାଧିକ ସାମଗ୍ରୀ ରପ୍ତାନୀ କରିବାକୁ ପ୍ରସ୍ତୁତ। ଶୀର୍ଷ ଏକ୍ସପୋର୍ଟ ରେଡି-ରାଜ୍ୟ ମଧ୍ୟରେ ରହିଛନ୍ତି ମହାରାଷ୍ଟ୍ର,ତାମିଲନାଡୁ,ଗୁଜରାଟ,ଉତ୍ତର ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶ। ତେବେ ଏ କ୍ଷେତ୍ରରେ ଓଡ଼ିଶାର ସ୍ଥାନ କେଉଁଠି? ଜାଣିବାକୁ ପଢନ୍ତୁ ପୂରା ରିପୋର୍ଟ। 

ତାମିଲନାଡୁକୁ ପଛରେ ପକାଇ ୬୮.୦୧ ସ୍କୋର ସହ ମହାରାଷ୍ଟ୍ର ଦେଶର ନମ୍ବରୱାନ ଏକ୍ସପୋର୍ଟ ରେଡି ରାଜ୍ୟ ହୋଇଛି। ଏହା ପୂର୍ବରୁ ତାମିଲନାଡୁ ସବୁବେଳେ ରପ୍ତାନୀ କ୍ଷେତ୍ରରେ ଆଗରେ ରହୁଥିଲା। ହେଲେ ଏଥର ବାଜି ଓଲଟି ଯାଇଛି। ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ, ନୀତି ଆୟୋଗର ଏକ୍ସପୋର୍ଟ ପ୍ରିପେୟାର୍ଡନେସ୍ ଇଣ୍ଡେକ୍ସ ବା ଇପିଆଇ ୨୦୨୪ ରିପୋର୍ଟରେ ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ, ଉତ୍ତର ପ୍ରଦେଶ ଏବଂ ଆନ୍ଧ୍ର ପ୍ରଦେଶ ଭାରତର ଶ୍ରେଷ୍ଠ ପାଞ୍ଚଟି ଏକ୍ସପୋର୍ଟ ରେଡ୍ଡୀ ରାଜ୍ୟ ଭାବରେ ଉଭା ହୋଇଛନ୍ତି। ଏହି ରାଜ୍ୟଗୁଡ଼ିକ ବଡ଼ ରାଜ୍ୟ ଶ୍ରେଣୀରେ ଆସୁଛନ୍ତି।

ବୁଧବାର ଜାରି ହୋଇଥିବା ଇଣ୍ଡେକ୍ସ ଅନୁଯାୟୀ, ଏହି ରାଙ୍କିଙ୍ଗରେ ୨୦୨୨ ଆର୍ଥିକ ବର୍ଷରୁ ୨୦୨୪ ଆର୍ଥିକ ବର୍ଷ ମଧ୍ୟରେ ହୋଇଥିବା ପ୍ରଦର୍ଶନକୁ ବିଚାରକୁ ନିଆଯାଇଛି। ୨୦୨୨ ଏକ୍ସପୋର୍ଟ ପ୍ରିୟେୟାର୍ଡନେସ୍ ଇଣ୍ଡେକ୍ସରେ ତାମିଲନାଡୁ ପ୍ରଥମ ସ୍ଥାନରେ ଥିଲା। ଏହା ପଛକୁ ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟ ଏବଂ ହରିୟାଣା ରହିଥିଲା। ହେଲେ ୨୦୨୪ ଲିଷ୍ଟରେ ଉତ୍ତର ପ୍ରଦେଶ ଶ୍ରେଷ୍ଠ ୫ ରାଜ୍ୟ ଭିତରେ ସ୍ଥାନ ପାଇଛି। ରପ୍ତାନି ପ୍ରସ୍ତୁତି ଏବଂ କାର୍ଯ୍ୟଦକ୍ଷତା ଦୃଷ୍ଟିରୁ ଉତ୍ତର ପ୍ରଦେଶ ଏହି ଲିଷ୍ଟରେ ଚତୁର୍ଥ ସ୍ଥାନରେ ରହିଛି।

ତଥାପି, କମିଶନ କହିଛନ୍ତି ଯେ ୨୦୨୪ ଏକ୍ସପୋର୍ଟ ପ୍ରିୟେୟାର୍ଡନେସ୍ ଇଣ୍ଡେକ୍ସକୁ ୨୦୨୨ ଏକ୍ସପୋର୍ଟ ପ୍ରିୟେୟାର୍ଡନେସ୍ ଇଣ୍ଡେକ୍ସ ସହିତ ତୁଳନା କରାଯାଇପାରିବ ନାହିଁ। କାରଣ ରାଜ୍ୟଗୁଡ଼ିକର ଭାଲ୍ୟୁଏସନର ପୂରା ପଦ୍ଧତି ବଦଳିଯାଇଛି।

ତେବେ ରପ୍ତାନୀ ପ୍ରସ୍ତୁତିରେ କେବଳ ବଡ଼ ରାଜ୍ୟ ନୁହେଁ ଛୋଟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମଧ୍ୟ ଯୋଗଦାନ ରହିଛି। ଛୋଟ ରାଜ୍ୟ, ଉତ୍ତର-ପୂର୍ବ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ରାଙ୍କିଂରେ ଉତ୍ତରାଖଣ୍ଡ ଶୀର୍ଷରେ ଅଛି, ଏହା ପରେ ଜମ୍ମୁ ଏବଂ କାଶ୍ମୀର, ନାଗାଲାଣ୍ଡ, ଦାଦ୍ରା ଏବଂ ନଗର ହାବେଳୀ, ଡାମନ ଓ ଦିଉ ଏବଂ ଗୋଆ ରହିଛନ୍ତି।

ସୂଚକାଙ୍କ ଅନୁଯାୟୀ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସେମାନଙ୍କର ପ୍ରଦର୍ଶନ ଆଧାରରେ 'ଲିଡର୍ସ', 'ଚ୍ୟାଲେଞ୍ଜର୍ସ' ଏବଂ 'ଆସ୍ପିରେଣ୍ଟ୍ସ' ଭଳି ବର୍ଗରେ ବିଭକ୍ତ କରାଯାଇଛି।

ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ପଞ୍ଜାବ ଏବଂ ତେଲେଙ୍ଗାନାକୁ ମଧ୍ୟ "ଲିଡର୍ସ" ଭାବରେ ବର୍ଗୀକୃତ କରାଯାଇଛି। ସେହିପରି ମଧ୍ୟପ୍ରଦେଶ, ହରିୟାଣା, କେରଳ ଓ ପଶ୍ଚିମବଙ୍ଗକୁ "ଚ୍ୟାଲେଞ୍ଜର" ବର୍ଗରେ ରଖାଯାଇଛି।

ତେବେ ରପ୍ତାନୀ କ୍ଷେତ୍ରରେ ଓଡ଼ିଶାରେ ସ୍ଥିତି ସେତେଟା ମଜଭୁତ ନାହିଁ। ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ, ଓଡ଼ିଶା, ଛତିଶଗଡ଼, ରାଜସ୍ଥାନ, ବିହାର ଏବଂ ଝାଡ଼ଖଣ୍ଡକୁ "ଆସ୍ପିରାଣ୍ଟ" ବର୍ଗରେ ରଖାଯାଇଛି। କାରଣ ଏହିସବୁ ରାଜ୍ୟରେ ସୀମିତ ରପ୍ତାନି ବିବିଧତା, ଦୁର୍ବଳ ଲଜିଷ୍ଟିକ୍ସ ନେଟୱାର୍କ ଏବଂ ଗ୍ଲୋବାଲ ଭାଲ୍ୟୁ ଚେନ୍ରେ ରାଜ୍ୟଗୁଡ଼ିକର ଅଂଶଗ୍ରହଣ ଗୌଣ ରହିଛି।