ଭାରତର ସଂକଟରେ ପୁଣି କାମରେ ଆସିଲା ଋଷିଆ, ତୈଳ ପରେ ଏବେ ଅଫର କଲା LNG

NEWS7
techie-turn-baba-switzerland-citizen-ben-baba-now-attraction-of-haridawar-kumbha

ମସ୍କୋ ୧୩।୩: ଭାରତକୁ ତରଳିକୃତ ପ୍ରାକୃତିକ ଗ୍ୟାସ୍ (ଏଲଏନଜି) ଯୋଗାଇ ଦେବାକୁ ଋଷିଆ ରାଜି। ଏହା କହିଛନ୍ତି ଭାରତରେ ଅବସ୍ଥାପିତ ଋଷିଆ ରାଜଦୂତ ଡେନିସ ଏଲିପୋଭ। ସେ କହିଛନ୍ତି ଯେ ପାଶ୍ଚାତ୍ୟ କଟକଣା ଯୋଗୁ ପିଛିଲା କଣ୍ଟ୍ରାକ୍ଟରେ ବାଧା ଉପୁଜିଥିଲା। ହେଲେ ଏବେ ଭାରତକୁ ଏଲଏନଜି ଯୋଗାଇ ଦେବାକୁ ଋଷିଆ ନୂଆ ରାସ୍ତାର ସନ୍ଧାନ କରୁଛି। ଋଷିଆ ସମ୍ବାଦ ସରବରାହ ସଂସ୍ଥା ଆରଟି ନ୍ୟୁଜ୍ କୁ ଦେଇଥିବା ସାକ୍ଷାତକାରରେ ଏଲିପୋଭ କହିଛନ୍ତି ଯେ କିଛି ବର୍ଷ ପୂର୍ବରୁ ଭାରତକୁ ଏଲଏନଜି ଯୋଗାଇ ଦେବାକୁ କଣ୍ଟ୍ରାକ୍ଟ ହୋଇଥିଲା, ହେଲେ କଟକଣା ଯୋଗୁ ଏଥିରେ ବାଧା ଉପୁଜିଛି।

ଉଲ୍ଲେଖଯୋଗ୍ୟ ଯେ ଭାରତୀୟ କମ୍ପାନୀ ଜିଏଆଇଏଲ ଋଷିଆର ସରକାରୀ ତୈଳ ଓ ଗ୍ୟାସ୍ କମ୍ପାନୀ ଗଜପ୍ରୋମ ସହିତ ବାର୍ଷିକ ୨.୫ ମିଲିୟନ ଟନ ଏଲଏନଜି କ୍ରୟ ଲାଗି ୨୦ ବର୍ଷିଆ ଦୀର୍ଘ ରାଜିନାମା କରିଛି। ତେବେ ୟୁକ୍ରେନ ସହିତ ଯୁଦ୍ଧ ଲାଗିବା ଯୋଗୁ ପାଶ୍ଚାତ୍ୟ କଟକଣା କାରଣରୁ ଋଷିଆ ଉପରେ ପ୍ରତିବନ୍ଧକ ଲାଗି ଯାଇଛି। ଋଷିଆ କମ୍ପାନୀ ଗଜପ୍ରୋମର ଜର୍ମାନ ୟୁନିଟ୍ ଗଜପ୍ରୋମ ଜର୍ମାନିୟାକୁ ଜର୍ମାନୀ ଏବେ ନିଜ ନିୟନ୍ତ୍ରଣକୁ ନେଇଯାଇଛି। ଏହା ପରେ ଋଷିଆ ସେହି ୟୁନିଟ୍ କୁ ଗ୍ୟାସ୍ ଦେବା ବନ୍ଦ କରିଦେଇଛି। ଏଣୁ ଭାରତକୁ ଯୋଗାଣ ଅଟକି ଯାଇଛି।

ଭାରତ ପାଇଁ ନୂଆ କୂଟନୈତିକ ରାସ୍ତା ଖୋଜୁଛି ଋଷିଆ
ଋଷିଆ ରାଜଦୂତ ଡେନିଶ ଏଲିପୋଭ ଏହା ପୂର୍ବରୁ ବୁଧବାର ଋଷିଆରୁ ଭାରତର ଅଶୋଧିତ ତୈଳ କ୍ରୟକୁ ଜୋରଦାର ପ୍ରଶଂସା କରିଥିଲେ। ସେ କହିଥିଲେ ନୂଆ ଦିଲ୍ଲୀକୁ ତାର ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ କୌଣସି ଦେଶଙ୍କ ଅନୁମତି ଦରକାର ନାହିଁ। ଆରଟି ଇଣ୍ଡିଆ ସହିତ ଆଲୋଚନାରେ ଏଲିପୋଭ କହିଛନ୍ତି ଯେ ଭାରତର ଆଭିମୁଖ୍ୟକୁ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି।

ଭାରତ ଗଜପ୍ରୋମ ସହିତ ଯେଉଁ ଚୁକ୍ତି କରିଥିଲା ସେହି ଅନୁସାରେ ଭାରତକୁ ଋଷିଆରୁ ଲଗାତାର ୨୦ ବର୍ଷ ପର୍ଯ୍ୟନ୍ତ ଗ୍ୟାସ୍ ଯୋଗାଣ ହୋଇଥାଆନ୍ତା। ବୁଝାମଣା ଅନୁସାରେ ଋଷିଆ କମ୍ପାନୀ ଭାରତକୁ ବାର୍ଷିକ ୨୫ଲକ୍ଷ ଟନ ଏଲଏନଜି ସପ୍ଲାଇ କରିଥାନ୍ତା। ଏହାକୁ ବିଶ୍ୱର ସବୁଠୁ ଶସ୍ତା ଏଲଏନଜି କାରବାର ମଧ୍ୟରେ ଅନ୍ୟତମ କୁହାଯାଇଥିଲା, ଯାହାକ ଆନୁମାନିକ ମୂଲ୍ୟ ୨୦ ବର୍ଷ ଲାଗି ମାତ୍ର ୨୫ ବିଲିୟନ ଡଲାର ଥିଲା। ହେଲେ ପାଶ୍ଚାତ୍ୟ କଟକଣା ଏହି ଡିଲକୁ ବାଧିତ କରିଛି।

ଭାରତକୁ ଏଲଏନଜି ଯୋଗାଇବାକୁ ଅକ୍ଷମ ହେଉଛନ୍ତି ଋଷିୟ କମ୍ପାନୀ
୨୦୨୨ ମସିହାରେ ଗଜପ୍ରୋମର ସିଙ୍ଗାପୁର ୟୁନିଟି ପଶ୍ଚାତ୍ୟ କଟକଣା ଯୋଗୁ ବନ୍ଦ ହୋଇଯାଇଛି। ଏଣୁ କମ୍ପାନୀ ଭାରତକୁ ସିପମେଣ୍ଟ ଯୋଗାଇଦେବାକୁ ଅସମର୍ଥ ହୋଇଛି। ଏଣୁ ସେ ସମୟରେ ଅନେକ କାର୍ଗୋ ସପ୍ଲାଇ ଅଟକି ଯାଇଥିଲା। ତେବେ ଇରାନ ଯୁଦ୍ଧ ଆରମ୍ଭ ହେବା ପରେ ଭାରତରେ ରୋଷେଇ ଗ୍ୟାସ ସଂକଟ ଦେଖା ଦେଇଛି। ଏଥିରେ ଋଷିଆ ପୁଣି ଥରେ ସଂକଟ ମୋଚକ ଭାବେ ଉଭା ହୋଇଛି। ଯଦି ଋଷିଆରୁ ଭାରତକୁ ଗ୍ୟାସ ଯୋଗାଣ ଆରମ୍ଭ ହୁଏ ତେବେ ଏହା ଆଶ୍ୱସ୍ତି ଦେବ।