୧୫ ବର୍ଷ ପରେ ମିଳିଲା ନ୍ୟାୟ, ପତ୍ନୀହନ୍ତା ସଫ୍ଟୱେର ଇଞ୍ଜିନିୟରଙ୍କୁ ଆଜୀବନ ଜେଲ

NEWS7
tata-ac-and-car-clash-a-quintal-of-cannabis-came-out-of-the-vehicle-after-the-accident

ଡେରାଡୁନ ୧୮।୧୨: ପତ୍ନୀଙ୍କୁ ହତ୍ୟା କରିବା, ପ୍ରମାଣ ନଷ୍ଟ ପାଇଁ ଶବକୁ ୭୨ ଖଣ୍ଡ କରି କାଟିବା ଓ ସହରର ବିଭିନ୍ନ ସ୍ଥାନରେ ଫିଙ୍ଗିବା ଅଭିଯୋଗରେ ନିମ୍ନ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ତଥା ଆଜୀବନ କାରାଦଣ୍ଡରେ ଦଣ୍ଡିତ ଆମେରିକା ଫେରନ୍ତା ସଫ୍ଟୱେର ଇଞ୍ଜିନିୟରଙ୍କ ଦଣ୍ଡାଦେଶକୁ ଉତ୍ତରାଖଣ୍ଡ ହାଇକୋର୍ଟ କାୟମ ରଖିଛନ୍ତି। ଏହି ମାମଲା ଅକ୍ଟୋବର ୨୦୧୦ର। ଦୀର୍ଘ ୧୫ ବର୍ଷ ପରେ ମୃତ ମହିଳାଙ୍କୁ ନ୍ୟାୟ ମିଳିଛି।

ଦିଲ୍ଲୀର ରାଜେଶ ଗୁଲାଟୀ ଏବଂ ଓଡିଶାର ଅନୁପମା ୧୯୯୯ ମସିହାରେ ବିବାହ କରିଥିଲେ। ପରେ ସେମାନେ ଆମେରିକା ଚାଲି ଯାଇଥିଲେ। ୨୦୦୮ ମାନ୍ଦାବସ୍ଥା କାଳରେ ରାଜେଶ ଗୁଲାଟୀଙ୍କ ଚାକିରୀ ଚାଲି ଯାଇଥିଲା। ଦମ୍ପତ୍ତି ଭାରତ ଫେରି ଆସି ଡେରାଡୁନରେ ବସବାସ କରିବା ଆରମ୍ଭ କରିଥିବା ବେଳେ ଗୁଲାଟି ସ୍ଥାନୀୟ ଏକ ଘରୋଇ ସଂସ୍ଥାରେ ଇଞ୍ଜିନିୟର ଭାବେ କାମ କରିବା ଆରମ୍ଭ କରିଥିଲେ। ତେବେ ଏହା ପରେ ପତି ପତ୍ନୀଙ୍କ ମଧ୍ୟରେ ପ୍ରାୟ ସମୟ ଝଗଡାଝାଟି ହେଉଥିଲା। ଏହିକ୍ରମରେ ୧୭ ଅକ୍ଟୋବର ୨୦୧୦ ରାତିରେ ଅନୁପମା ଓ ରାଜେଶଙ୍କ ଝଗଡା ହିଂସାରେ ପରିବର୍ତ୍ତି ହୋଇଥିଲା। ଏଥିରେ ଅନୁପମାଙ୍କୁ ରାଜେଶ ଚାପୁଡା ମାରିବାରୁ ତାଙ୍କ ମୁଣ୍ଡ କାନ୍ଥରେ ବାଜି ସେ ଅଚେତ ହୋଇଯାଇଥିଲେ।

ଚେତା ଫେରିବା ପରର ପରିସ୍ଥିତିକୁ ଆକଳନ କରି ରାଜେଶ ଅନୁପମାଙ୍କୁ ଚେତା ନକରି ତାଙ୍କୁ କଥିତ ରୂପେ ହତ୍ୟା କରିଥିଲେ। ଏହା ପରେ ସେ ପ୍ରମାଣ ନଷ୍ଟ କରିବାକୁ ଏକ ଡିପ ଫ୍ରିଜର ଏବଂ ଇଲେକ୍ଟ୍ରିକ ଆରି କିଣିଥିଲେ। ଅନୁପମାଙ୍କ ଶରୀରକୁ ୭୨ ଖଣ୍ଡ କରି କାଟି ପ୍ଲାଷ୍ଟିକ୍ ଥଳିରେ ପୁରାଇ ଫ୍ରିଜରେ ରଖିଥିଲେ, ଯାହାକୁ ପରେ ସେ ସହରର ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ। ଏହି ଘଟଣା ୧୨ ଡିସେମ୍ବର ୨୦୧୦ରେ ଜଣାପଡିଥିଲା ଯେତେବେଳେ ଅନୁପମାଙ୍କ ଭାଇ ସୁଜାନ କୁମାର ଡେରାଡୁନ ଆସିଥିଲା। ଅନେକ ଦିନ ଧରି ଭଉଣୀ ସହିତ ସମ୍ପର୍କ ନ ହୋଇ ପାରିବାରୁ ଓ ଭିଣୋଇ ସଠିକ ଭାବେ କିଛି କହି ନପାରିବାରୁ ସେ କ୍ୟାଣ୍ଟନମେଣ୍ଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ କରିବା କାଳରେ ରାଜେଶଙ୍କ ଘରୁ ଅନୁପମାଙ୍କ ଶରୀରର ଅବୟବ ମିଳିଥିଲା। ଏଣୁ ରାଜେଶଙ୍କୁ ଗିରଫ କରାଯାଇଥିବା ବେଳେ ପଚରା ଉଚରାରୁ ପୁରା ଘଟଣା ଜଣାପଡିଥିଲା। ମାମଲାରେ ଡେରାଡୁନର ଏକ କୋର୍ଟ ୨୦୧୭ରେ ରାଜେଶଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲ ଓ ୧୫ଲକ୍ଷ ଟଙ୍କା ଜରିମନା ନିର୍ଦ୍ଦେଶ ଦେଇଥିଲେ। ରାଜେଶ ନିମ୍ନ କୋର୍ଟଙ୍କ ଆଦେଶକୁ ଉତ୍ତରାଖଣ୍ଡ ଉଚ୍ଚନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ। ତେବେ ଉଚ୍ଚନ୍ୟାୟାଳଙ୍କ ବିଚାରପତି ଜଷ୍ଟିସ୍ ରବିନ୍ଦ୍ର ମଥାନୀ ଓ ଜଷ୍ଟିସ୍ ଆଲୋକ ମହାରାଙ୍କ ଖଣ୍ଡପୀଠ ରାଜେଶଙ୍କ ଅପିଲ ଖାରଜ କରିଦେବା ସହ ନିମ୍ନ କୋର୍ଟଙ୍କ ଆଦେଶକୁ କାୟମ ରଖିଛନ୍ତି।