କ୍ୟାସ୍-ଫର-କ୍ୱେରୀ କେସ୍: ଲୋକପାଳଙ୍କ ଆଦେଶ ଦିଲ୍ଲୀ ହାଇକୋର୍ଟରେ ଖାରଜ, ମହୂଆ ମୋଇତ୍ରାଙ୍କୁ ଆଶ୍ୱସ୍ତି

NEWS7
t20-world-cup-iccs-big-decision-drs-will-be-implemented-in-the-tournament-for-the-first-time

ନୂଆଦିଲ୍ଲୀ ୧୯।୧୨: ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଲୋକପାଳଙ୍କ ସେହି ଆଦେଶକୁ ଖାରଜ କରିଦେଇଛନ୍ତି ଯେଉଁଥିରେ ସିବିଆଇକୁ ତୃଣ ମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ କଥିତ କ୍ୟାସ୍-ଫର-କ୍ୱେରୀ ଦୁର୍ନୀତି ମାମଲାରେ ପଚରା ଉଚରା କରିବାକୁ ଅନୁତି ଦିଆଯାଇଥିଲା। ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଅନିଲ କ୍ଷତରପାଲ ଓ ଜଷ୍ଟିସ୍ ହରିଶ ବୈଦ୍ୟନାଥନ ଶଙ୍କରଙ୍କ ପୀଠ ମୋଇତ୍ରାଙ୍କ ଆବେଦନ ଉପରେ ଶୁଣାଣି କରି ଏହି ଆଦେଶ ରଦ୍ଦ କରାଯାଉଥିବା କହିଛନ୍ତି। ଏହା ଛଡା କୋର୍ଟ ଲୋକପାଳଙ୍କୁ ଅନୁରୋଧ କରିଛନ୍ତି ଯେ ସେ ସମ୍ପର୍କିତ ପ୍ରାବଧାନ ଅନୁସାରେ ମାସକ ମଧ୍ୟରେ ଲୋକପାଳ ଓ ଲୋକାୟୁକ୍ତ ଅଧିନିୟମର ଧାରା ୨୦ରେ ସ୍ୱୀକୃତି ପ୍ରଦାନ କରିବାକୁ ବିଚାର କରନ୍ତୁ।

ସଂସଦରେ ପ୍ରଶ୍ନ କରିବା ବଦଳେ ପଇସା ନେବା ଦୁର୍ନୀତି ସେହି ଅଭିଯୋଗ ସହ ସମ୍ପର୍କିତ ଯେଉଁଥିରେ ମୋଇତ୍ରା ସଂସଦରେ ପ୍ରଶ୍ନ କରିବାକୁ ଜନୈକ ବ୍ୟବସାୟୀଙ୍କ ଠାରୁ ନଗଦ ପଇସା ଓ ଉପଢୌକନ ଗ୍ରହଣ କରୁଥିଲେ। ଏହା ବଦଳେ ସେ ସଂସଦରେ ପ୍ରଶ୍ନ କରୁଥିଲେ। ମୋଇତ୍ରାଙ୍କ ଓକିଲ ତର୍କ ଦେଇଛନ୍ତି ଯେ ଲୋକପାଳଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରକ୍ରିୟାରେ ସ୍ପଷ୍ଟ ସମସ୍ୟା ରହିଛି। ସେ ଲୋକପାଳ ଓ ଲୋକାୟୁକ୍ତ ଧାରା ୨୦(୭) ଉଦାହରଣ ଦେଇ କହିଛନ୍ତି ଯେ ଏହା ଅନୁସାରେ ମଞ୍ଜୁରୀ ଦେବା ପୂର୍ବରୁ ଲୋକସେବକଙ୍କ ରାୟ ନେବା ଅନିବାର୍ଯ୍ୟ।

ତେବେ ସିବିଆଇ ଏହି ଆବେଦନକୁ ବିରୋଧ କରି କହିଛି ଯେ ଲୋକପାଳଙ୍କ କାର୍ଯ୍ୟାନୁଷ୍ଠାନରେ ମୋଇତ୍ରାଙ୍କୁ କାଗଜପତ୍ର ଉପସ୍ଥାପନ କରିବାର କୌଣସି ଅଧିକାର ନାହିଁ ଓ ତାଙ୍କର କେବଳ ଟିପ୍ପଣୀ ଦେବାର ଅଧିକାର ରହିଛି, ଏପରିକି ମୌଖିକ ଶୁଣାଣିର ମଧ୍ୟ ଅଧିକାର ନାହିଁ। ତେବେ ମୋଇତ୍ରା ସିବିଆଇଙ୍କୁ ମଞ୍ଜୁରୀ ଆଦେଶ ଅନୁସରଣରେ କୌଣସି ପଦକ୍ଷେପ ନେବାକୁ ଅଟକାଇବା ପାଇଁ ନିବେଦନ କରିଛନ୍ତି। ଏଥିରେ ବର୍ତ୍ତମାନର କାର୍ଯ୍ୟାନୁଷ୍ଠାନ ଲମ୍ବିତ ଥିବା ବେଳେ କୌଣସି ପ୍ରକାରର ଚାର୍ଜସିଟ୍ ଦାଖଲ କରିବା ମଧ୍ୟ ସାମିଲ। ତେବେ ଏହା କେବଳ ଏତିକିରେ ସୀମିତ ନାହିଁ।

ସିବିଆଇ ଗତ ଜୁଲାଇରେ ମୋଇତ୍ରା ଓ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ ସମ୍ପର୍କିତ କଥିତ କ୍ୟାସ-ଫର-କ୍ୱେରୀ ଦୁର୍ନୀତି ମାମଲାରେ ଲୋକପାଳଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିଥିଲା। ଏଜେନ୍ସୀ ଲୋକପାଳଙ୍କ ଅନୁରୋଧକ୍ରମେ ଭ୍ରଷ୍ଟାଚାର ନିବାରଣ ଅଧିନିୟମର ଧାରା ରେ ଉଭୟଙ୍କ ବିରୋଧରେ ୨୧ ମାର୍ଚ୍ଚ ୨୦୨୪ରେ ଏଫଆଇଆର ରୁଜୁ କରିଥିଲା। ଏଥିରେ ଅଭିଯୋଗ କରାଯାଇଥିଲା ଯେ ମୋଇତ୍ରା ଦୁର୍ନୀତିରେ ଲିପ୍ତ ହେବା ପାଇଁ ହୀରାନନ୍ଦାନୀଙ୍କଠାରୁ ଲାଞ୍ଚ ଓ ଅନ୍ୟ ଅନୁଚିତ ଲାଭ ନେଇଛନ୍ତି। ଏଥିରେ ସେ ତାଙ୍କର ସଂସଦୀୟ ବିଶେଷାଧିକାର ସହ ବୁଝାମଣା କରିବା ଓ ତାଙ୍କ ଲୋକସଭା ଲଗିନ କ୍ରିଡେନ୍ସିଆଲ ସେୟାର କରି ରାଷ୍ଟ୍ରୀୟ ସୁରକ୍ଷାକୁ ବିପଦରେ ପକାଇବା ସାମିଲ ଥିଲା।

ଅଧିକାରୀଙ୍କ ଅନୁସାରେ ସିବିଆଇ ଏହିମାମଲାରେ ନିଜର ଯାଞ୍ଚ ରିପୋର୍ଟ ଲୋକପାଳଙ୍କୁ ପ୍ରଦାନ କରିଛନ୍ତି ଓ ଲୋକପାଳ ଏହି ମାମଲାରେ ପରିବର୍ତ୍ତି କାର୍ଯ୍ୟାପନ୍ଥା ଅନୁସରଣ କରିବେ।