‘ଆମ ପାଖରେ ଅଛନ୍ତି ହଜାର ହଜାର ସୁଇସାଇଡ୍ ବମର୍’; ଚିନ୍ତା ବଢ଼ାଇଲା ଅଜହରର ନୂଆ ଅଡିଓ କ୍ଲିପ୍‌

NEWS7
swiggy-may-soon-fly-food-to-your-balcony-using-drones-know-more-details

ନୂଆଦିଲ୍ଲୀ: ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହରର ଏକ ଅଡିଓ ରେକର୍ଡିଂ ସାମ୍ନାକୁ ଆସିଛି। ଏଥିରେ ସେ କହୁଥିବା ଶୁଣାଯାଉଛି ଯେ, ତା ପାଖରେ ହଜାର ହଜାର ଆତ୍ମଘାତୀ ବିସ୍ଫୋରଣକାରୀ ଅଛନ୍ତି । ଯେଉଁମାନେ ଯେକୌଣସି ସମୟରେ ଆକ୍ରମଣ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଅଡିଓ ରେକର୍ଡିଂ ସୂଚାଇ ଦେଉଛି ଯେ, ଜୈଶ-ଏ-ମହମ୍ମଦ ଗୋଷ୍ଠୀ ଏବେ ବି ବଡ଼ ଆତଙ୍କବାଦୀ ଆକ୍ରମଣ ଲାଗି ପ୍ରସ୍ତୁତ ହେଉଛି। ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଅଜହର ଜାତିସଂଘ ଦ୍ୱାରା ନାମିତ ଆତଙ୍କବାଦୀ। ସେ ପାକିସ୍ତାନରେ ରହି ଭାରତ ବିରୋଧୀ ଆକ୍ରମଣର ଷଡଯନ୍ତ୍ର କରୁଛି।

ମସୁଦ ଅଜହର ଦାବି କରିଛି ଯେ, ୧୦୦୦ ରୁ ଅଧିକ ଆତ୍ମଘାତୀ ଆକ୍ରମଣକାରୀ ପ୍ରସ୍ତୁତ ଅଛନ୍ତି । ଭାରତରେ ଅନୁପ୍ରବେଶ କରିବାକୁ ଅନୁମତି ଲାଗି ତା ଉପରେ ଚାପ ପକାଉଛନ୍ତି। ପ୍ରକୃତ ସଂଖ୍ୟା କହିଲେ ବିଶ୍ୱ ଗଣମାଧ୍ୟମରେ ହଇଚଇ ସୃଷ୍ଟି ହୋଇଯିବ । ଏହି ଆକ୍ରମଣକାରୀ ଉଦ୍ଦେଶ୍ୟ ପୂରଣ କରିବା ଲାଗି ବିଲକୁଲ ପ୍ରସ୍ତୁତ ଅଛନ୍ତି ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ ସିନ୍ଦୁର ଜୈଶ-ଏ-ମହମ୍ମଦର ଆଡ୍ଡାଗୁଡ଼ିକୁ କ୍ଷତି ପହଞ୍ଚାଇଥିଲା। ଏହି ଅପରେସନରେ ମସୁଦ ଅଜହରର ଅନେକ ନିକଟତମ ସହଯୋଗୀ ଏବଂ ସମ୍ପର୍କୀୟଙ୍କ ସମେତ ଅନେକ ଆତଙ୍କବାଦୀ ନିହତ ହୋଇଥିଲେ। ଆତଙ୍କବାଦୀ ସଂଗଠନ ଚାପରେ ଥିବାବେଳେ ଏପରି ଅଡିଓ ବାର୍ତ୍ତା ସାମ୍ନାକୁ ଆସିଛି । ହତାଶ ହୋଇପଡ଼ିଥିବା ମସୁଦ ଅଜହର ଏଭଳି ଫମ୍ପା ଧମକ ଭରା ଅଡିଓ କ୍ଲିପ ଭାଇରାଲ କରିଛି ବୋଲି ବିଶେଷଜ୍ଞ କହିଛନ୍ତି ।

ବର୍ତ୍ତମାନ ମସୁଦ ଅଜହରର ସଂଗଠନ କ’ଣ କରୁଛି ? ପ୍ରକୃତରେ କେତେ ଆତ୍ମଘାତୀ ବିସ୍ଫୋରଣକାରୀ ଅଛନ୍ତି ? ଏବଂ ସେମାନଙ୍କର ଯୋଜନା କ’ଣ ? ଏନେଇ ତଦନ୍ତ ହେବା ଜରୁରୀ ହୋଇପଡ଼ିଛି । ଏହି ଅଡିଓ କ୍ଲିପ୍ ଭାଇରାଲ୍ ହେବା ପରେ ଭାରତୀୟ ସୁରକ୍ଷା ପ୍ରତି ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଏହାକୁ ନେଇ ଭାରତ କ’ଣ ପଦକ୍ଷେପ ଗ୍ରହଣ କରିବ ତା ଉପରେ ମଧ୍ୟ ସମଗ୍ର ବିଶ୍ବର ନଜର ରହିବ ।