କେଉଁ ଅର୍ଥମନ୍ତ୍ରୀ ଦେଇଥିଲେ ଇତିହାସର ସବୁଠୁ ଦୀର୍ଘତମ ବଜେଟ ଭାଷଣ, ଜାଣନ୍ତୁ ଥିଲା କେତେ ସମୟର?

NEWS7
sushant-singh-rajputs-cousin-and-mla-neeraj-singh-demanded-a-cbi-inquiry-in-bihar-assembly

ନୂଆଦିଲ୍ଲୀ ୮।୧: କେନ୍ଦ୍ରୀୟ ବଜେଟ ଆସିବାକୁ ଆଉ ବେଶି ସମୟ ନାହିଁ। ଏଣୁ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବ୍ୟବସାୟ ଜଗତ ସମସ୍ତଙ୍କର ବଜେଟରୁ କିଛି ନା କିଛି ଆଶା କରୁଛନ୍ତି। ବାର୍ଷିକ ବଜେଟ ମାଧ୍ୟମରେ ସରକାର ପ୍ରତିବର୍ଷ ଆର୍ଥିକ ଆବଶ୍ୟକତା ଓ ପ୍ରାଥମିକତାକୁ ପୁରା କରିବାକୁ ଚେଷ୍ଟା କରିଥାନ୍ତି। ଏଣୁ ଏବେ ସମସ୍ତଙ୍କ ନଜର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ରହିଛି, ଯିଏ ଫେବୃଆରୀ ୧ ତାରିଖ ଦିନ ତାଙ୍କର ନବମ ବଜେଟ୍ ଉପସ୍ଥାପନ କରିବେ। ତେବେ ଆସନ୍ତୁ ଜାଣିବା ଇତିହାସର ସବୁଠୁ ଦୀର୍ଘତମ ବଜେଟ ଅଭିଭାଷଣ କେଉଁ ଅର୍ଥମନ୍ତ୍ରୀ ଦେଇଥିଲେ ଓ ତାହା କେତେ ସମୟର ଥିଲା?

ଦେଶର ବଜେଟ ଇତିହାସରେ ସବୁଠୁ ଦୀର୍ଘ ଭାଷଣ ଏବେକା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାମରେ ରହିଛି। ସେ ୨୦୨୦ ମସିହାରେ ସଂସଦରେ ପାଖାପାଖି ୨ଘଣ୍ଟା ୪୨ ମିନିଟ୍ ର ବଜେଟ ଅଭିଭାଷଣ ପାଠ କରିଥିଲେ। ଯାହାକୁ ଏପର୍ଯ୍ୟନ୍ତର ସବୁଠୁ ଦୀର୍ଘ ବଜେଟ ଅଭିଭାଷଣ ବୋଲି କୁହାଯାଉଛି। ଏହି ରେକର୍ଡ କରିବା ପାଇଁ ସେ ତାଙ୍କର ୨୦୧୯ ବଜେଟ୍ ଅଭିଭାଷଣ ରେକର୍ଡକୁ ଭାଙ୍ଗିଥିଲେ। ୨୦୧୯ ମସିହା ବଜେଟ ଉପସ୍ଥାପନ କାଳରେ ସେ ୨ଘଣ୍ଟା ୧୭ ମିନିଟର ବଜେଟ ଅଭିଭାଷଣ ଦେଇଥିଲେ।

ଏହି ଦୁଇ ବର୍ଷକୁ ତୁଳନା କଲେ ଗତ ବର୍ଷମାନଙ୍କରେ ତାଙ୍କ ବଜେଟ ଅଭିଭାଷଣ ବେଶ୍ ସଂକ୍ଷିପ୍ତ ରହିଛି। ସେ ୨୦୨୪ ଅନ୍ତରୀଣ ବଜେଟ୍ କୁ ମାତ୍ର ୫୬ ମିନିଟ୍ ରେ ସମ୍ପୂର୍ଣ୍ଣ କରିଥିଲେ ,ଯାହା ତାଙ୍କ କାର୍ଯ୍ୟ କାଳରେ ସବୁଠୁ ସଂକ୍ଷିପ୍ତ ବଜେଟ ଅଭିଭାଷଣ ହୋଇ ରହିଛି। ତେବେ ୨୦୨୫ରେ ତାଙ୍କ ବଜେଟ ଅଭିଭାଷଣ ୧ ଘଣ୍ଟା ୧୭ ମିନିଟ୍ ର ଥିଲା। ଯଦି ବଜେଟ୍ ଅଭିଭାଷଣକୁ ଶବ୍ଦ ସଂଖ୍ୟାରେ ଦେଖା ଯାଏ ତେବେ ଏହି ରେକର୍ଡ ୧୯୯୧ ମସିହା ବଜେଟ ଅଭିଭାଷଣ ସହ ଜଡିତ ରହିଛି। ତତ୍କାଳୀନ ଅର୍ଥମନ୍ତ୍ରୀ ଡ. ମନମୋହନ ସିଂହ ସଂସଦରେ ପାଖାପାଖି ୧୮,୬୫୦ ଶବ୍ଦର ବଜେଟ ଅଭିଭାଷଣ ପାଠ କରିଥିଲେ। ଯାହା ଏ ପର୍ଯ୍ୟନ୍ତର ସବୁଠୁ ଦୀର୍ଘ ବଜେଟ୍ ଅଭିଭାଷଣ ଭାବେ ରେକର୍ଡ ହୋଇ ରହିଛି।

ଏହା ପଛକୁ ଦ୍ୱିତୀୟ ସ୍ଥାନରେ ୨୦୧୮ ମସିହାର ବଜେଟ୍ ଅଭିଭାଷଣ ରହିଛି। ତତ୍କାଳୀନ ଅର୍ଥମନ୍ତ୍ରୀ ଅଋଣ ଜୈଟଲୀ ଏହି ବଜେଟ ଅଭିଭାଷଣ ସଂସଦରେ ପାଠ କରିଥିଲେ। ସେ ୧୮,୬୦୪ ଶବ୍ଦର ବଜେଟ ଅଭିଭାଷଣ ଉପସ୍ଥାପନ କରିଥିଲେ। ଏହାକୁ ଭାରତୀୟ ବଜେଟ୍ ଇତିହାସରେ ଦ୍ୱିତୀୟ ଦୀର୍ଘତମ ବଜେଟ ଅଭିଭାଷଣର ମାନ୍ୟତା ମିଳିଛି।