ସ୍ବାମୀକୁ ପିଟୁଥିଲା, ୬୦ କୁକୁରଙ୍କ ମଳ ସଫା କରାଉଥିଲା ସ୍ତ୍ରୀ; ଭୟଙ୍କର ନିର୍ଯାତନା ସଂପର୍କରେ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କୋର୍ଟ

NEWS7
surprise-police-inaction-on-vulgar-record-dance-in-malkangiri-district

ନୂଆଦିଲ୍ଲୀ: ନାରୀ ନିର୍ଯାତନାର ଘଟଣା ନୂଆ ନୁହେଁ । ଏଭଳି ଘଟଣା ଭାରତ ସମେତ ବିଶ୍ବର ଅନେକ ଦେଶରେ ଘଟୁଛି । ନାରୀ ନିର୍ଯାତନା ରୋକିବାକୁ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି ଏବଂ ଏଥିପାଇଁ କଠୋର ଆଇନ ମଧ୍ୟ ରହିଛି । ଏସବୁ ଭିତରେ ପୁରୁଷ ନିର୍ଯାତନାର କଥା ମଧ୍ୟ ସାମ୍ନାକୁ ଆସେ । ହେଲେ ଏହାକୁ କେହି ସହଜରେ ଗ୍ରହଣ କରିପାରନ୍ତି ନାହିଁ । ପୁରୁଷ ପ୍ରାଧାନ୍ୟ ସମାଜରେ ସତରେ କ’ଣ ଏହା ସମ୍ଭବ ? ଏଭଳି ପ୍ରଶ୍ନ ମନକୁ ଚାଲିଆସେ । କିନ୍ତୁ ପୁରୁଷ ସହ ପାଶବିକ ଆଚରଣର ଏକ ଖବର ଜାଣିଲେ, ଆପଣ ଥରିଉଠିବେ । ଯଦିଓ ଏହି ଖବର ଭାରତର ନୁହେଁ, କିନ୍ତୁ ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଦେଇଥିବା ଅକଥନୀୟ ନିର୍ଯାତନାର ଏହି ଖବର ଜଣେ ମଣିଷକୁ ନିଶ୍ଚିତ ଭାବରେ ଦୋହାଲାଇ ଦେବ ।

ବେଲଜିୟମର ଏକ କୋର୍ଟରେ ଜଣେ ସ୍ତ୍ରୀଙ୍କ କାର୍ଯ୍ୟକୁ ନେଇ ବହୁ ବିତର୍କ ହୋଇଛି । ଜଣେ ସ୍ତ୍ରୀ, ନିଜର ସ୍ବାମୀଙ୍କୁ ମାଡ଼ ମାରୁଥିଲେ, ୬୦ ବିଦେଶୀ କୁକୁରଙ୍କ ମଳ ସଫା କରିବାକୁ ବାଧ୍ୟ କରୁଥିଲେ । ଏସବୁ ପରେ ତାଙ୍କୁ କୁକୁର ରହୁଥିବା ଘରେ ରହିବାକୁ କୁହାଯାଉଥିଲା । ବିନା ଖାଦ୍ୟ ଏବଂ ପାଣିରେ ଖଟିବାକୁ ବାଧ୍ୟ କରୁଥିଲେ ସ୍ତ୍ରୀ । ଯଦି ଏଥିରେ ଖିଲାପ ହେଉଥିଲା, ସ୍ବାମୀ ପିଠିରେ ଉତ୍ତମ ମଧ୍ୟମ ଦେଉଥିଲେ ପତ୍ନୀ । ବିବାହ ବେଳକୁ ହୃଷ୍ଟପୃଷ୍ଟ ଦେଖାଯାଉଥିବା ପୁରୁଷଜଣଙ୍କ, ଗୋଟିଏ ବର୍ଷର ନିର୍ଯାତନା ପରେ ଏକ ଜୀବିତ କଙ୍କାଳରେ ପରିବର୍ତ୍ତନ ହୋଇସାରିଥିଲେ ।

ଟେଲିଗ୍ରାଫ ରିପୋର୍ଟ ଅନୁସାରେ, ୪୭ ବର୍ଷୀୟା ଆନ୍ନା ଭିଡିଭି ୨୦୨୪ ମସିହାରେ ବିବାହ କରିଥିଲେ । ବିବାହ ପରଠାରୁ ସ୍ବାମୀକୁ ନିର୍ଯତନା ଦେଇଆସୁଥିଲେ ଆନ୍ନା ।ବୁଧବାର ଦିନ ସେ ଟର୍ଣ୍ଣହାଉଟ୍ କୋର୍ଟରେ ହାଜର ହୋଇଥିଲେ । ଓକିଲ ତାଙ୍କ କଳା କାରନାମାର ଚିଠା ଦେଉଥିବା ବେଳେ, କାନ୍ଦି ପକାଇଥିଲେ ସ୍ତ୍ରୀ ରୂପୀ ସୈତାନ । ଓକିଲ କୋର୍ଟରେ ନିର୍ଯାତିତ ସ୍ବାମୀଙ୍କ ଏକ ଫଟୋ ଦେଖାଇଥିଲେ । ଏହି ଫଟୋରେ ଉଭୟ ବିବାହ ବେଳର ଏବଂ ବର୍ତ୍ତମାନର ଫଟୋ ଥିଲା । ବିବାହ ସମୟରେ ପୁରୁଷଜଣଙ୍କ ଅତି ସୁନ୍ଦର ଦେଖାଯାଉଥିଲେ । କିନ୍ତୁ ବିବାହର ଗୋଟିଏ ବର୍ଷ ଭିତରେ ସେ ଏକ ଜୀବିତ କଙ୍କାଳରେ ପରିଣତ ହୋଇ ସାରିଥିଲେ । ମାର୍ଚ୍ଚ ୧୮ରେ ସ୍ତ୍ରୀର କାରାଗାରରୁ ଖସି ପଳାଇଯିବାକୁ ସକ୍ଷମ ହୋଇଥିଲେ ଏବଂ ପଡ଼ୋଶୀଙ୍କୁ ସହାୟତା ମାଗିବା ପରେ ସେ ଏକ ନୂଆ ସକାଳ ଦେଖିଥିଲେ ।

ପଡ଼ୋଶୀ ଏଭଳି ସ୍ଥିତି ଦେଖି ପୋଲିସକୁ ଖବର ଦେଇଥିଲେ । ହେଲେ ଆନ୍ନା ଦାବି କରିଥିଲେ ଯେ, ତାଙ୍କ ସ୍ବାମୀ ଅବସାଦରେ ରହୁଥିଲେ ଏବଂ ସେ ନିଜେ ନିଜକୁ କ୍ଷତି ପହଞ୍ଚାଉଥିଲେ । ଆମ୍ବୁଲାନ୍ସକୁ ଫେରାଇ ଦେବାକୁ ସେ ବହୁତ ଚେଷ୍ଟା କରିଥିଲେ । ହେଲେ ଆନ୍ନାଙ୍କୁ ଦେଖି ତାଙ୍କ ସ୍ବାମୀ ଭୟରେ ଥରିଥିଲେ ଏବଂ ତାଙ୍କୁ ସେଠାରୁ ଶୀଘ୍ର ନେଇ ଯିବାକୁ ଆମ୍ବୁଲାନ୍ସ କର୍ମଚାରୀଙ୍କୁ କହିଥିଲେ । ଏହା ପରେ ଆମ୍ବୁଲନ୍ସ ଭିତରେ ତାଙ୍କ ଉପରେ ହୋଇଥିବା ନିର୍ଯାତନାର କାହାଣୀ କହିଥିଲେ । ବେହୋସ ହେବା ପର୍ଯ୍ୟନ୍ତ ତାଙ୍କୁ ଆନ୍ନା ମାଡ଼ ମାରୁଥିଲେ ବୋଲି ସେ କହିଥିଲେ ।

କୋର୍ଟରେ ଓକିଲ କହିଥିଲେ ଯେ, ଆନ୍ନାଙ୍କ ଘରେ ୬୦ଟି କୁକୁର ଥିଲେ । ସେ ନିଜ ସ୍ବାମୀଙ୍କୁ କୁକୁରଙ୍କ ମଳ ସଫା କରିବାକୁ ବାଧ୍ୟ କରୁଥିଲେ । ଖାଲି ପାଦରେ ରାସାୟନିକ ପଦାର୍ଥ ବ୍ୟବହାର କରି ସେ କୁକୁରଙ୍କୁ ସଫା କରୁଥିଲେ । ଆନ୍ନ ସିସିଟିଭିରେ ସ୍ବାମୀଙ୍କ କାଣ୍ଯ୍ୟକଳାପ ଉପରେ ନଜର ରଖୁଥିଲେ । ଯଦି ସେ କାର୍ଯ୍ୟରେ କିଛି ଭୁଲ କରୁଥିଲେ, ସ୍ପିକର ମାଧ୍ୟମରେ ଆନ୍ନା ତାଙ୍କୁ ତାଗିଦ କରୁଥିଲେ । କୁକୁର ରହୁଥିବା ଛୋଟିଆ ଘରେ କିମ୍ବା ଅନ୍ଧାର କୋଠରୀରେ ତାଙ୍କୁ ରହିବାକୁ ବାଧ୍ୟ କରୁଥିଲେ ଆନ୍ନା । ଏପରିକି ଏତେ କାମ କରିବା ପରେ ମଧ୍ୟ ତାଙ୍କୁ ସେ ଖାଇବାକୁ ଦେଉନଥିଲେ । ସେପଟେ ଆନ୍ନା ଫୋନ୍ରୁ ତାଙ୍କର କଳା କାମର ପର୍ଦ୍ଦାଫାସ ହୋଇଥିଲା । ସ୍ବାମୀ ପ୍ରତି ସେ କରୁଥିବା ନିର୍ଯାତନାର ଫଟୋ ଭିଡିଓ ଥିଲା ଫୋନ୍ରେ ।

ଆନ୍ନାଙ୍କୁ ଅତିକମରେ ୮ ବର୍ଷ ଜେଲ ଦଣ୍ଡ ଦେବାକୁ କୋର୍ଟରେ ଅପିଲ କରିଥିଲେ ଓକିଲ । ସବୁଠାରୁ ବଡ଼ କଥା ହେଉଛି, ଆନ୍ନାଙ୍କ ଓକିଲ ରୋମି ଗାଇସେନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ତାଙ୍କର ଏଭଳି କାର୍ଯ୍ୟକୁ ସେ ଅଣଦେଖା କରିପାରି ନଥିଲେ । ଏହା ତାଙ୍କ କ୍ୟାରିୟରର ସବୁଠାରୁ ଅତି କ୍ରୁର ମାମଲା ବୋଲି କହିଥିଲେ ଆନ୍ନାଙ୍କ ଓକିଲ । ସେପଟେ ଆର୍ଥିକ ସମସ୍ୟା କାରଣରୁ ସେ ଏଭଳି କରିଥିଲେ ବୋଲି କହିଥିଲେ ଆନ୍ନା । ଆନ୍ନା ନିଜର ଭୁଲ ସ୍ବୀକାର କରିଥିବାରୁ ତାଙ୍କର ଜେଲଦଣ୍ଡରେ କୋହଳ କରାଯାଉ ବୋଲି ତାଙ୍କ ଓକିଲ ଗାଇସେନ କୋର୍ଟରେ କହିଥିଲେ।