LIVE TV

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ: ନଭେମ୍ବର ୨୪ରେ ନେବେ ଶପଥ

NEWS7
supreme-court-disposes-of-plea-of-private-college-students-to-get-fee-relief-amid-covid-19-lockdown

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ। ଗୁରୁବାର କେନ୍ଦ୍ର ସରକାର ତାଙ୍କୁ ଭାରତର ୫୩ ତମ ପ୍ରଧାନ ବିଚାରପତି (CJI) ଭାବରେ ନିଯୁକ୍ତ ଦେଇଛନ୍ତି। ଏନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେ ନଭେମ୍ବର ୨୪ ତାରିଖରେ ପ୍ରଧାନ ବିଚାରପତି ଭାବେ ଶପଥ ନେବେ। ହରିଆଣାର ପ୍ରଥମ ବ୍ୟକ୍ତି ଭାବେ ସେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି। ତେବେ ବର୍ତ୍ତମାନ ବିଆର ଗଭଇ ସିଜେଆଇ ପଦରେ ରହିଛନ୍ତି।

ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ବିଷୟରେ...

୧୦ ଫେବୃଆରୀ ୧୯୬୨ ମସିହାରେ ହରିୟାଣାର ହିସାର ଜିଲ୍ଲାର ଏକ ଛୋଟ ଗାଁ ପେଟୱାରରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ସୂର୍ଯ୍ୟକାନ୍ତ। ସେ ଏକ ସାଧାରଣ ପରିବାରରେ ବଢ଼ିଥିଲେ। ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ, ସେ ଗାଁ ସ୍କୁଲରେ ପାଠପଢ଼ିଥିଲେ, ଯେଉଁଠାରେ କୌଣସି ବେଞ୍ଚ ନଥିଲା। ଛାତ୍ରମାନେ ତଳେ ବସି ପାଠପଢ଼ୁଥିଲେ। ଜଷ୍ଟିସ୍ କାନ୍ତ ୧୯୮୧ ମସିହାରେ ହିସାରର ସରକାରୀ ପୋଷ୍ଟ ଗ୍ରାଜୁଏଟ୍ କଲେଜରୁ ସ୍ନାତକ କରିଥିଲେ ଏବଂ ୧୯୮୪ ମସିହାରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ (ଏଲଏଲବି) ହାସଲ କରିଥିଲେ। ସେ ସେହି ବର୍ଷ ହିସାରର ଜିଲ୍ଲା କୋର୍ଟରେ ତାଙ୍କର ଆଇନଜୀବି କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୫ ମସିହାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଅଭ୍ୟାସ କରିବା ପାଇଁ ଚଣ୍ଡିଗଡ଼ ଯାଇଥିଲେ।

୭ ଜୁଲାଇ, ୨୦୦୦ରେ, ତାଙ୍କୁ ମାତ୍ର ୩୮ ବର୍ଷ ବୟସରେ ହରିୟାଣାର ସର୍ବକନିଷ୍ଠ ଆଡଭୋକେଟ୍ ଜେନେରାଲ୍ ଭାବରେ ନିଯୁକ୍ତ କରାଯାଇଥିଲା ଯାହା ରାଜ୍ୟର ଆଇନଗତ ଇତିହାସରେ ଏକ ରେକର୍ଡ। ଗୋଟିଏ ବର୍ଷ ପରେ, ମାର୍ଚ୍ଚ ୨୦୦୧ରେ, ତାଙ୍କୁ ବରିଷ୍ଠ ଆଡଭୋକେଟ୍ ଭାବରେ ନିଯୁକ୍ତ କରାଯାଇଥିଲା। ଜଷ୍ଟିସ୍ କାନ୍ତଙ୍କୁ ଜାନୁଆରୀ ୨୦୦୪ରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ବିଚାରପତି ପଦକୁ ଉନ୍ନୀତ ହୋଇଥିଲେ। ସେ ତାଙ୍କ ଆଇନଗତ ଦାୟିତ୍ୱ ସହିତ ତାଙ୍କର ଶିକ୍ଷାଗତ ଯାତ୍ରା ମଧ୍ୟ ଏକା ସାଂଗେର ଜାରି ରଖିଥିଲେ ୨୦୧୧ରେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ଆଇନରେ ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ।

ଅକ୍ଟୋବର ୨୦୧୮ରେ, ଜଷ୍ଟିସ୍ କାନ୍ତଙ୍କୁ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା। ଏହାପରେ ୨୪ ମେ ୨୦୧୯ରେ ସେ ସୁପ୍ରିମକୋର୍ଟକୁ ବିଚାରପତି ଭାବେ ଉନ୍ନୀତ ହୋଇଥିଲେ। ୨୦୦୭ ରୁ ୨୦୧୧ ମଧ୍ୟରେ ଜାତୀୟ ଆଇନ ସେବା ପ୍ରାଧିକରଣ (NALSA) ର ପରିଚାଳନା ପରିଷଦରେ କ୍ରମାଗତ ଦୁଇ ଥର କାର୍ଯ୍ୟ କରିଥିଲେ। ଅବହେଳିତ ବର୍ଗଙ୍କୁ ନ୍ୟାୟ ଦେବା ପାଇଁ ସୁବ୍ୟବସ୍ଥା କରିବାରେ ଏହା ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲା।