Israel ଓ US ଆକ୍ରମଣ ସତ୍ତ୍ୱେ ନିର୍ଭୟରେ ଲୋକଙ୍କ ସାଙ୍ଗେ ସହରରେ ବୁଲିଲେ ଇରାନ ରାଷ୍ଟ୍ରପତି ପେଜେଶ୍‌କିୟନ, ଦେଖନ୍ତୁ Video

NEWS7
super-cyclone-amphan-update

  • ରାଷ୍ଟ୍ରପତି ଡ. ମସୁଦପେଜେଶ୍କିୟନଙ୍କ ଇସ୍ରାଏଲ ଓ ଆମେରିକା ପ୍ରତି ସାମାନ୍ୟତମ ଭୟ ମଧ୍ୟ ନାହିଁ
  • ଜୀବନ ପ୍ରତି ଭୟଥିବା ସତ୍ତ୍ୱେ ପେଜେଶ୍କିୟନ ଭିଡରେ ବୁଲି ବୁଲି ଲୋକଙ୍କ ସହ କଥା ହୋଇଛନ୍ତି।
  • ଏହାର କିଛି ସମୟ ପରେ ଫର୍ଡୋସୀ ସ୍କୋୟାରରେ ଅଚାନକ ମିଜାଇଲ ପଡିଥିଲା ଓ ଭିଡିଓରେ ଧୂଆଁ ଉଠୁଥିବା ସ୍ପଷ୍ଟ ଦେଖା ଯାଇଛି

ତେହେରାନ ୧୩।୩: ପୂର୍ବତନ ସୁପ୍ରିମ ଲିଡର ଅୟାତୋଲା ଅଲି ଖେମେନିଙ୍କ ହତ୍ୟା ପରେ ମଧ୍ୟ ଇରାନ ରାଷ୍ଟ୍ରପତି ଡ. ମସୁଦ ପେଜେଶ୍‌କିୟନଙ୍କ ଇସ୍ରାଏଲ ଓ ଆମେରିକା ପ୍ରତି ସାମାନ୍ୟତମ ଭୟ ମଧ୍ୟ ନାହିଁ। ଏହାର ପ୍ରମାଣ ଶୁକ୍ରବାର ଫର୍ଡୋସୀ ସ୍କୋୟାରରେ ଦେଖିବାକୁ ମିଳିଛି, ଯେଉଁଠି ତାଙ୍କୁ ପ୍ରଦର୍ଶନକାରୀଙ୍କ ଗହଣରେ ଦେଖା ଯାଇଛି। ଇରାନ ରାଜଧାନୀ ତେହେରାନରେ ‘କୁଦସ୍ ଡେ ରାଲି’ କାଳରେ ରାଷ୍ଟ୍ରପତି ପେଜେଶ୍‌କିୟନଙ୍କୁ ନିଜ ପାଖରେ ପାଇ ଲୋକେ ଭାବବିହ୍ୱଳ ହୋଇ ଉଠିଛନ୍ତି।

ଇସ୍ରାଏଲ ଓ ଯୁକ୍ତରାଷ୍ଟ୍ର ଆକ୍ରମଣରେ ଜୀବନ ପ୍ରତି ଭୟଥିବା ସତ୍ତ୍ୱେ ପେଜେଶ୍‌କିୟନ ଭିଡରେ ବୁଲି ବୁଲି ଲୋକଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ କେତେକ ଇରାନ ନାଗରିକ ଅତ୍ୟନ୍ତ ଉତ୍ସାହିତ ହୋଇ ତାଙ୍କ ହାତକୁ ଚୁମିଥିଲେ, ତାଙ୍କ ସହ ଫଟୋ ଓ ସେଲଫି ନେଇଛନ୍ତି। ସରକାରୀ ମିଡିଆରେ ଭାଇରାଲ ହେଉଥିବା ଛବିରେ ପେଜେଶ୍‌କିୟନ ପାଲେଷ୍ଟାଇନ ସମର୍ଥନରେ ସ୍ଲୋଗାନ ଦେଇ ମାର୍ଚ୍ଚ କରିଛନ୍ତି। ଏହାର କିଛି ସମୟ ପରେ ଫର୍ଡୋସୀ ସ୍କୋୟାରରେ ଅଚାନକ ମିଜାଇଲ ପଡିଥିଲା ଓ ଭିଡିଓରେ ଧୂଆଁ ଉଠୁଥିବା ସ୍ପଷ୍ଟ ଦେଖା ଯାଉଛି।

ଆକ୍ରମଣ ସତ୍ତ୍ୱେ ଘଟଣାସ୍ଥଳରୁ ହଟି ନଥିଲେ ପେଜେଶ୍‌କିୟନ
ଫର୍ଡୋସୀ ସ୍କୋୟାରରେ ଆମେରିକା ଓ ଇସ୍ରାଏଲ ଗୋଟିଏ ପରେ ଗୋଟିଏ ଅନେକ ବଡ଼ ବିସ୍ଫୋରଣ କରିଛନ୍ତି। ବିସ୍ଫୋରଣ ସତ୍ତ୍ୱେ ପ୍ରଦର୍ଶନକାରୀ ଘଟଣାସ୍ଥଳରେ ଅଡି ରହିଥିଲେ। ଏଥିରେ ରାଷ୍ଟ୍ରପତି ମସୂଦ ପେଜଶ୍‌କିୟନଙ୍କୁ ଲୋକଙ୍କ ମଧ୍ୟରେ ଟହଲୁଥିବା ଓ କଥା ହୋଇ ସେମାନଙ୍କ ଉତ୍ସାହ ବଢାଉଥିବା ଦେଖା ଯାଇଛନ୍ତି।ଏହି ଘଟଣା ସେତେବେଳେ ହୋଇଥିଲା ଯେତେବେଳେ ଇରାନ ରାଜଧାନୀ ତେହେରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ ବିମାନଙ୍କ ମିଜାଇଲ ମାଡରେ ଥରହର ହେଉଥିଲା। ଫର୍ଡୋସୀ ସ୍କୋୟାରରେ ପ୍ରଥମ ମିଜାଇଲ ପଡିବା ପରେ ବି ରାଲି ଜାରି ଥିଲା, ଯେଉଁଥିରେ ହଜାର ହଜାର ଲୋକେ ଇସ୍ରାଏଲ ମୁର୍ଦାବାଦ ଆମେରିକା ମୁର୍ଦ୍ଦାବାଦ ସ୍ଲୋଗାନ ଦେଉଥିଲେ।

ପେଜେଶ୍‌କିୟନ ହସ୍ପିଟାଲ ଯାଇ ଭେଟିଲେ ଆହତଙ୍କୁ
ରାଲି ପରେ ରାଷ୍ଟ୍ରପତି ପେଜେଶ୍‌କିୟନ ଯୁଦ୍ଧରେ ଆହତ ଲୋକଙ୍କୁ ମଧ୍ୟ ଭେଟିଛନ୍ତି। ସେ ନିକଟରେ କହିଥିଲେ ଇରାନ ପଡୋଶୀ ଦେଶଙ୍କ ଉପରେ ଆକ୍ରମଣ ରୋକି ଦେବ, ହେଲେ ଇସ୍ରାଏଲ ଓ ଆମେରିକାକୁ ଜବାବ ଦେବା ଇରାନର ଅଧିକାର। ଖାମେନିଙ୍କ ମୃତ୍ୟୁ ପରେ ପ୍ରଥମଥର ପେଜେଶ୍‌କିୟନଙ୍କୁ ସାର୍ବଜନିକ ଭାବେ ଲୋକଙ୍କ ମଧ୍ୟରେ ଟହଲୁଥିବା ଦେଖାଯାଇଛନ୍ତି। ଏଥିରେ ଏବେ ପ୍ରଶ୍ନ ଉଠୁଛି କୌଣସି ପାଶ୍ଚାତ୍ୟ ଦେଶର ରାଷ୍ଟ୍ରପତି ଏପରି କରିପାରିବେ କି?

ଆମେରିକାରେ ଡର ଇରାନରେ ଦୁଃସାହସ
ଇରାନ ଆକ୍ରମଣ ଆଶଙ୍କାରେ ଗୋଟିଏ ପଟେ ଟ୍ରମ୍ପ ଙ୍କ ସମେତ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତିମାନଙ୍କ ସୁରକ୍ଷା ବଢାଇ ଦିଆଯାଇଛି। ଅପରପଟେ ଇରାନ ରାଷ୍ଟ୍ରପତି ପେଜେଶ୍‌କିୟନ ସାହାସର ସହ ଲୋକଙ୍କ ଗହଣରେ ବୁଲୁଛନ୍ତି। ତାଙ୍କର ଏହି ସାହସକୁ ଲୋକେ ଏବେ ସାଲ୍ୟୁଟ କରୁଛନ୍ତି। ଏହି ଘଟଣା ଯୁଦ୍ଧ ମଧ୍ୟରେ ଇରାନୀ ଏକତାକୁ ଦର୍ଶାଉଛି। ତେବେ ଏହାକୁ ନେଇ ଅନ୍ତର୍ଜାତୀୟ ସମୂଦାୟ ଏବେ ଚିନ୍ତିତ ହୋଇପଡିଛନ୍ତି। କାରଣ ଆକ୍ରମଣ ଏବେବି ଜାରି ରହିଛି ଓ ଲକ୍ଷଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି। ପେଜେଶ୍‌କିୟନଙ୍କ ଏହି ସାହସ ଇରାନର ପ୍ରତିରୋଧ ଭାବନାକୁ ମଜଭୁତ କରୁଛି।