ଇଏ ତ ଆରମ୍ଭ ମାତ୍ର...ଅନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କଲେ ପାଣ୍ଡ୍ୟା, ଲେଖିଲେ ଇମୋସନାଲ୍ ପୋଷ୍ଟ

NEWS7
sunil-gavaskar-is-worst-in-nets-said-kiran-more

ନୂଆଦିଲ୍ଲୀ: ଷ୍ଟାର ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି । ଏହି ଅବସରରେ ସେ ଏକ ଭାବପ୍ରବଣ ପ୍ରତିକ୍ରିୟା ଦେଇଛନ୍ତି। ହାର୍ଦ୍ଦିକ ଏହାକୁ ତାଙ୍କ କ୍ୟାରିୟରର ଏକ ନୂତନ ଆରମ୍ଭ ବୋଲି ବର୍ଣ୍ଣନା କରିଛନ୍ତି। ପାଣ୍ଡ୍ୟା କହିଛନ୍ତି ଯେ, ସେ ଏବେ ବି ସେହି ରାସ୍ତାରେ ଚାଲିବା ଆରମ୍ଭ କରିଛନ୍ତି, ଯାହା ସେ ପିଲାବେଳେ ସ୍ୱପ୍ନ ଦେଖିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଜାନୁଆରୀ ୨୬, ୨୦୧୬ରେ ଆଡିଲେଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ।

ସାଧାରଣତନ୍ତ୍ର ଦିବସରେ ଡେବ୍ୟୁ କରିବା ତାଙ୍କ ପାଇଁ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ମୁହୂର୍ତ୍ତ ଥିଲା। ଇନଷ୍ଟାଗ୍ରାମରେ ହାର୍ଦ୍ଦିକ ଲେଖିଛନ୍ତି, ‘୧୦ ବର୍ଷର ଯାତ୍ରା ଏବଂ ମୋତେ ୩୩ ବର୍ଷ ହେଲାଣି । ଆପଣମାନଙ୍କ ପାଖରୁ ଯେଉଁ ଭଲପାଇବା ପାଇଛି, ସେଥିପାଇଁ ହୃଦୟରୁ ଧନ୍ୟବାଦ । ଭଗବାନଙ୍କୁ ଧନ୍ୟବାଦ । ଜୀବନର ପ୍ରତି ପାଦରେ ଆସିଥିବା ଆହ୍ବାନକୁ ବି ଧନ୍ୟବାଦ । ମିଳିଥିବା ସୁଯୋଗ, ଜୀବନ ଦେଇଥିବା ଅବସରକୁ ବି ଧନ୍ୟବାଦ । ମୁଁ ଏହି ରାସ୍ତାରେ ଏବେ ଏବେ ଚାଲିବା ଆରମ୍ଭ କରିଛି, ଏହା ଉପରେ ଆଗକୁ ଚାଲିବାକୁ ସତରେ ମୁଁ ଚାହୁଁଛି ।’

ହାର୍ଦ୍ଦିକ ତାଙ୍କ ପିଲାଦିନର କଠିନ ପରିଶ୍ରମକୁ ମନେ ପକାଇଛନ୍ତି । ସେ କହିଛନ୍ତି, ‘ଯଦି ମୁଁ ପଛକୁ ଫେରି ଚାହିଁବି, ତେବେ ମୋତେ ବରୋଦାର ଯୁବ ହାର୍ଦ୍ଦିକଙ୍କ କଥା ମନେପଡ଼େ । ଯିଏ ଖେଳିବା ଲାଗି ଅଧିକ ମାଇଲ୍ ଦୌଡ଼ୁଥିଲା । ଜଣେ ଏମିତି ବ୍ୟାଟର, ଯିଏ ନେଟ୍ରେ ବୋଲରଙ୍କୁ ଅଧିକ ବଲ୍ ପକାଇବାକୁ ବାଧ୍ୟ କରୁଥିଲା । ୧୯ ବର୍ଷରେ ଅଲରାଉଣ୍ଡର ହୋଇଥିଲା । କେବେ ପରିଚୟ ମିଳିଲା, କେବେ କୋଣଠେସା କରାଗଲା । ଶେଷରେ ଦେଶ ପାଇଁ ଖେଳିବାକୁ ସୁଯୋଗ ମିଳିଥିଲା । ଏସବୁ ମୋ ଜୀବନର ସବୁଠାରୁ ମୂଲ୍ୟବାନ ଯାତ୍ରା ଥିଲା । ଭଗବାନ ମୋ ପାଇଁ ପ୍ଲାନ୍ କରିଥିଲେ । ମୋତେ ଜାନୁଆରୀ ୨୬ରେ ଡେବ୍ୟୁ କରିବାକୁ ସୁଯୋଗ ଦେଇଥିଲେ । କ୍ରିକେଟ ଖେଳୁ ଖେଳୁ ଯୁବକରୁ, ବ୍ୟକ୍ତି ହୋଇଛି, ବୁଢ଼ା ବି ହେବି ।’

ହାର୍ଦ୍ଦିକ ପାଣ୍ଡ୍ୟା ଭାରତ ବିଜୟରେ ବହୁବାର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ୨୦୨୪ରେ ଟି-୨୦ ବିଶ୍ବକପ୍ ଏବଂ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତାଇବାରେ ପ୍ରମୁଖ ଭୂମିକା ନେଇଥିଲେ ପାଣ୍ଡ୍ୟା । ୨୦୨୪ ଟି-୨୦ ବିଶ୍ବକପ୍ରେ ହାର୍ଦ୍ଦିକ ମୋଟ ୬ ପାଳିରେ ୧୪୪ ରନ୍ କରିଥିଲେ ଏବଂ ୧୧ ଓ୍ବିକେଟ ନେଇଥିଲେ । ଫାଇନାଲରେ ସେ ଶେଷ ଓଭରରେ ଡେଭିଡ ମିଲରଙ୍କୁ ଆଉଟ୍ କରି ଭାରତ ବିଜୟକୁ ପକ୍କା କରିଥିଲେ ।

ପାଣ୍ଡ୍ୟାଙ୍କ କ୍ୟାରିୟର

ଦିନିକିଆ: ୯୪ ମ୍ୟାଚ୍, ୧,୯୦୪ ରନ୍ (୬୮ ଇନିଂସ), ହାରାହାରି ୩୨.୮୨, ଷ୍ଟ୍ରାଇକ୍ ରେଟ୍ ୧୧୦.୮୯, ୧୧ ଅର୍ଦ୍ଧଶତକ, ସର୍ବୋତ୍ତମ ସ୍କୋର ଅପରାଜିତ ୯୨ ରନ୍, ୯୧ ୱିକେଟ୍ (ହାରାହାରି ୩୫.୫୦) ।

ଟି-୨୦: ୧୨୭ ମ୍ୟାଚ୍, ୨୦୨୭ ରନ୍, ହାରାହାରି ୨୮.୫୪, ଷ୍ଟ୍ରାଇକ୍ ରେଟ୍ ୧୪୩+, ୭ ଅର୍ଦ୍ଧଶତକ, ସର୍ବୋତ୍ତମ ସ୍କୋର ଅପରାଜିତ ୭୧ ରନ୍ ।

ଟେଷ୍ଟ: ୧୮ ଇନିଂସ, ୫୩୨ ରନ, ହାରାହାରି ୩୧.୨୯, ୧ ଶତକ ଏବଂ ୪ ଅର୍ଦ୍ଧଶତକ, ସର୍ବୋତ୍ତମ ସ୍କୋର ୧୦୧ ରନ୍, ୧୭ ୱିକେଟ୍ (ହାରାହାରି ୩୧.୦୫), ସର୍ବୋତ୍ତମ ବୋଲିଂ ୫/୨୮ ।