LIVE TV

ଗୋଟିଏ ଜୁଇରେ ଜଳିଲା ଦୁଇଟି ଶବ : ନାତିର ମୃତଦେହ ଦେଖି ସହିପାରିଲେନି, ଟଳିପଡ଼ିଲେ ଆଈ

NEWS7
sundergarh-collector-visits-villages-of-districts

ବଲାଙ୍ଗିର ୨୫।୧୧: ଏମିତି ବି ଆସେ ମୃତ୍ୟୁ । ସନ୍ଧ୍ୟାରେ ବ୍ୟାଡ୍ମିଣ୍ଟନ ଖେଳିଲା । ସାଙ୍ଗ ମାନଙ୍କୁ ଫୋନ୍ରେ ସକାଳୁ କଲେଜ ଯିବାକୁ କହିଲା । ହେଲେ ସକାଳ ହେଲା ବେଳକୁ ନିଜେ ନଥିଲା । ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ଜୀବନ । ବଲାଙ୍ଗିର ସଦେଇପାଲି ଲୋୟର ସୁକତେଲ ବିସ୍ଥାପିତ କଲୋନୀ ତଥା ଆରଆର କଲୋନୀରେ ଘଟିଛି ଅଭାବନୀୟ ଘଟଣା I ଆରଆର କଲୋନୀରେ ରହୁଥିବା ସୁଧୀର ଖୁଆସଙ୍କ ପରିବାରରେ ଖେଳିଯାଇଛି ଶୋକର ଛାୟା । ନାତିଙ୍କର ଅକାଳ ମୃତ୍ୟୁ ଖବର ଶୁଣିବା ପରେ ଆରପାରିକୁ ଚାଲିଯାଇଛନ୍ତି ଆଈ ।

ସୂଚନାଯୋଗ୍ୟ ଯେ, ସୁମନ ଖୁଆସ ବ୍ୟାଡମିଣ୍ଟନ ଖେଳିକି ଆସି ବାପା ସୁଧୀରଙ୍କ ସହ ଶୋଇଥିଲେ । ଶୋଇଥିବା ବେଳେ ବିଳମ୍ବିତ ରାତିରେ ସେ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ହଠାତ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲର ଜରୁରୀକାଳୀନ ବିଭାଗରେ ଡାକ୍ତର ଦୁଇଟି ଇଞ୍ଜେକସନ ଦେଇ ଘରକୁ ପଠାଇ ଦେଇଥିଲେ I ମଙ୍ଗଳବାର ଭୋର ସମୟରେ ସେ ଅସୁସ୍ଥ ଅନୁଭବ କରି ଗୁରୁତର ହୋଇ ପଡିଥିଲେ I ପୁଣି ପରିବାର ଲୋକେ ତାଙ୍କୁ ମେଡିକାଲକୁ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ତାଙ୍କ ମୃତଦେହକୁ ଘରକୁ ଅଣାଯାଇଥିବା ବେଳେ ନାତିର ମୃତଦେହ ଦେଖି ଆଈ ସୁନିତା ଖୁଆସ କାନ୍ଦିକାନ୍ଦି ଅସହ୍ୟ ହୋଇପଡ଼ିଥିଲେ । ଫଳରେ ତାଙ୍କ ଦେହ ଖରାପ ହୋଇଯାଇଥିଲା । ତାଙ୍କୁ ଡାକ୍ତରଖାନାକୁ ନେବାବେଳେ ହଠାତ ତାଙ୍କର ବି ମୃତ୍ୟୁ ହୋଇଯାଇଥିଲା I

ଗତ ତିନି ବର୍ଷ ତଳେ ସୁଧୀର ଖୁଆସଙ୍କ ପରିବାର ଲୋୟର ସୁକତେଲ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇ ସଦେଇପାଲି ବିସ୍ଥାପିତ କଲୋନୀରେ ଥଇଥାନ ହୋଇଥିଲେ । ସୁଧୀରଙ୍କ ଏକମାତ୍ର ପୁଅ ଥିଲେ ସୁମନ । ପରିବାରର ଦୁଇ ଜଣଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ I ବିସ୍ଥାପିତ କଲୋନୀରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଛି I ଗୋଟିଏ ଜୁଈରେ ଜାଳିଛି ଆଈ-ନାତିଙ୍କ ଶବ ।