'ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ', ଅନାସ୍ଥା ପ୍ରସ୍ତାବ ନୋଟିସ୍ ଉପରେ ଏଭଳି କହିଲେ ଓମ୍ ବିର୍ଲା

NEWS7
student-strike-for-road-meet-colletor

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ଆଣିବାକୁ ବିରୋଧୀ ସଜବାଜ ହେଉଛନ୍ତି । ଏନେଇ ଏକ ନୋଟିସ୍ ଲୋକସଭାର ମହାସଚିବଙ୍କୁ ଦିଆଯାଇଛି । ଓମ ବିର୍ଲା ପକ୍ଷପାତିତା କରୁଛନ୍ତି ଏବଂ ନିଜ ପଦବୀର ଅପବ୍ୟବହାର କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି । ଏସବୁ ଚର୍ଚ୍ଚା ମଧ୍ୟରେ ଓମ ବିର୍ଲାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେହିଭଳି ସେ, ତାଙ୍କ ବିରୋଧରେ ଆସିଥିବା ନୋଟିସ୍ର ସମୀକ୍ଷା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଓମ୍ ବିର୍ଲା ନୋଟିସର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହାସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସ ସାଂସଦ କେ ସୁରେଶ, ଗୌରବ ଗୋଗୋଇ ଏବଂ ମହମ୍ମଦ ଜାଭେଦ ୧୧୮ ଜଣ ସାଂସଦଙ୍କ ସ୍ୱାକ୍ଷରିତ ଅନାସ୍ଥା ପ୍ରସ୍ତାବ ଲୋକସଭାର ମହାସଚିବ ଉତ୍ପଳ କୁମାର ସିଂହଙ୍କ ନିକଟରେ ଦାଖଲ କରିଛନ୍ତି। ଲୋକସଭା କାର୍ଯ୍ୟ ପରିଚାଳନାରେ ପକ୍ଷପାତିତା ଅଭିଯୋଗ କରି ସମ୍ବିଧାନର ଧାରା ୯୪(ସି) ଅନୁଯାୟୀ ଏହି ପ୍ରସ୍ତାବ ଆଗତ କରାଯାଇଛି।

ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦମାନେ ନୋଟିସରେ ଦସ୍ତଖତ କରି ନାହାନ୍ତି । ଗୌରବ ଗୋଗୋଇ କହିଛନ୍ତି ଯେ, ସମ୍ବିଧାନର ଧାରା 94(C) ଅନୁଯାୟୀ ପ୍ରସ୍ତାବ ସମ୍ପର୍କରେ ନୋଟିସ ଲୋକସଭା ମହାସଚିବଙ୍କୁ ପ୍ରଦାନ କରାଯାଇଛି। ନୋଟିସରେ କୁହାଯାଇଛି, ‘ଲୋକସଭାର ବାଚସ୍ପତିଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରିବା ପାଇଁ ଆମେ ଏଠାରେ ଭାରତୀୟ ସମ୍ବିଧାନର ଧାରା 94(C) ଅନୁଯାୟୀ ଏକ ପ୍ରସ୍ତାବର ନୋଟିସ ଦେଉଛୁ ।’

ବିରୋଧୀ ଦଳ ନୋଟିସରେ ଉଲ୍ଲେଖ କରିଛନ୍ତି ଯେ, ‘୨ ଫେବୃଆରୀ, ୨୦୨୬ରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଉପରେ ତାଙ୍କ ଭାଷଣ ସମାପ୍ତ କରିବାକୁ ଦିଆଯାଇ ନଥିଲା। ପ୍ରାୟ ସବୁବେଳେ ବିରୋଧୀ ଦଳ ନେତାଙ୍କୁ ଲୋକସଭାରେ କହିବାକୁ ଅନୁମତି ଦିଆଯାଉ ନାହିଁ।’