'ଇରାନରେ ଶାସନ ପରିବର୍ତ୍ତନ ହିଁ ସବୁଠୁ ଭଲ...', ଟ୍ରମ୍ପଙ୍କ ବୟାନରେ ବଢିଲା ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟ

NEWS7
still-smoke-coming

ନୂଆଦିଲ୍ଲୀ: ଇରାନ ସହ ଚାଲିଥିବା ପରମାଣୁ ଆଲୋଚନା ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଛନ୍ତି । ଟ୍ରମ୍ପ ଇରାନରେ ଶାସନ ପରିବର୍ତ୍ତନ ହିଁ ସବୁଠୁ ଭଲ କଥା ହେବ ବୋଲି କହିଛନ୍ତି । ସେ କହିଛନ୍ତି, ଆମେ ଇରାନ ଅଭିମୁଖେ ଏକ ବଡ଼ କ୍ୟାରିୟର ଗ୍ରୁପ ପଠାଇଛୁ । ମୁଁ ଡିଲ୍ କରିବାକୁ ଚାହୁଁଛି, କିନ୍ତୁ ତାଙ୍କ ସହ ଡିଲ୍ କରିବା ମୁସ୍କିଲ୍ ଅଟେ । ପୂର୍ବଥର ଡିଲ୍ ହେବ ବୋଲି ମୁଁ ଆଶା କରିଥିଲି । ଡିଲ୍ ହୋଇପାରିଲାନି ବୋଲି ଏବେବି ମୁଁ ଦୁଃଖିତ । ଏହା ପରେ ଆମେ ମିଡନାଇଟ୍ ହାମର କରିଥିଲୁ ।

ନର୍ଥ କ୍ୟାରୋଲିନାରେ ଆମେରିକା ସୈନିକଙ୍କୁ ସମ୍ୱୋଧନ କରି ଟ୍ରମ୍ପ କହିଛନ୍ତି, ବେଳେବେଳେ ଡର ଜରୁରୀ ହୋଇଥାଏ । ଏହା ହିଁ ଗୋଟିଏ ମାର୍ଗ, ଯେଉଁଥିରେ ସ୍ଥିତି ଠିକ୍ ହୋଇପାରିବ ।

ରୟଟର୍ସ ରିପୋର୍ଟ ଅନୁସାରେ, ଆମେରିକା ସେନା ଇରାନ ବିରୁଦ୍ଧରେ ସମ୍ଭାବିତ ବଡ଼ ଯୁଦ୍ଧ ପାଇଁ ସୈନ୍ୟ ଅପରେସନ ପ୍ରସ୍ତୁତି କରୁଛି । ଦୁଇ ଆମେରିକୀୟ ଅଧିକାରୀ କହିଛନ୍ତି, ଯଦି ଟ୍ରମ୍ପ ଆକ୍ରମଣ ପାଇଁ ଆଦେଶ ଦିଅନ୍ତି, ତେବେ ଏହା ବହୁତ ବଡ଼ ସଂଘର୍ଷ ହେବ । ପେଣ୍ଟାଗନ ପକ୍ଷରୁ ମଧ୍ୟପ୍ରାଚରେ ଆଉ ଏକ ଏୟାରକ୍ରାଫ୍ଟ କ୍ୟାରିୟର, ଫାଇଟର୍ ଜେଟ୍, ଗାଇଡେଡ୍ ମିସାଇଲ୍ ଡେଷ୍ଟ୍ରୟର ଓ ହଜାର ସଂଖ୍ୟାରେ ଅତିରିକ୍ତ ସୈନିକ ପଠାଇବା ପାଇଁ ଯୋଜନା କରିଛି । ଏହି ମୁତୟନ ଆକ୍ରମଣ ଓ ସୁରକ୍ଷା ଉଭୟ ପାଇଁ କରାଯାଇଛି ।

ଗତ ବର୍ଷ, ଆମେରିକା ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ ପାଇଁ ଅପରେସନ ମିଡନାଇଟ୍ ହାମର୍ କରିଥିଲା । ଷ୍ଟିଲ୍ଥ ବୋମାବର୍ଷୀ ବିମାନଗୁଡ଼ିକ ଆମେରିକାରୁ ସିଧାସଳଖ ଉଡ଼ି ଇରାନର ପରମାଣୁ ସ୍ଥାନ ଉପରେ ଆକ୍ରମଣ କରି ଫେରି ଆସିଥିଲେ । ଏହା ପରେ ଇରାନ କତାରରେ ଥିବା ଏକ ଆମେରିକୀୟ ଘାଟି ଉପରେ ଆକ୍ରମଣ କରି ଜବାବ ଦେଇଥିଲା । କିନ୍ତୁ ଏଥର ପ୍ରସ୍ତୁତି ଅଧିକ ବଡ଼ ବୋଲି କୁହାଯାଉଛି । ଅଧିକାରୀଙ୍କ ଅନୁଯାୟୀ, ଦୀର୍ଘକାଳୀନ କାର୍ଯ୍ୟାନୁଷ୍ଠାନ କେବଳ ପରମାଣୁ ସ୍ଥାନ ନୁହେଁ, ଇରାନ ସରକାର ଏବଂ ସୁରକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିପାରେ ।

ବିଶେଷଜ୍ଞମାନେ କହିଛନ୍ତି ଯେ ଇରାନ ପାଖରେ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଭଣ୍ଡାର ଅଛି ଏବଂ ଏହା ଯେକୌଣସି ଆମେରିକା ଆକ୍ରମଣର ପ୍ରତିଶୋଧ ନେବାକୁ ସକ୍ଷମ । ଆମେରିକୀୟ ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ ଏହି ଆକ୍ରମଣ ଦୁଇ ଦେଶ ମଧ୍ୟରେ ଶତ୍ରୁକୁ ଆହୁରି ଗଭୀର କରିବ । ଇରାନର ରିଭଲ୍ୟୁସନରୀ ଗାର୍ଡ ପୂର୍ବରୁ ଚେତାବନୀ ଦେଇସାରିଛି ଯେ ଯଦି ତେହେରାନ ଉପରେ ଆକ୍ରମଣ ହୁଏ, ତେବେ ଏହା ମଧ୍ୟପ୍ରାଚ୍ୟରେ ଥିବା ଯେକୌଣସି ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ କରିବ । ଆମେରିକାର ଜୋର୍ଡାନ, କୁଏତ, ସାଉଦି ଆରବ, କତାର, ବାହାରିନ, ୟୁଏଇ ଏବଂ ତୁର୍କୀରେ ସାମରିକ ଘାଟି ରହିଛି ।