Assam SIR: ନିର୍ବାଚନ ପୂର୍ବରୁ ଆସାମରେ ବଡ଼ ଧରଣର ଭୋଟର ସଫେଇ, ଏସଆଇଆରରୁ ବାଦ ପଡ଼ିଲେ ୧୦ ଲକ୍ଷରୁ ଅଧିକ

NEWS7
step-father-sold-her-daughter-after-misdeed

ଦିସପୁରଆସାମ ବିଧାନସଭା ନିର୍ବାଚନ ପୂର୍ବରୁ, ରାଜ୍ୟର ଭୋଟର ତାଲିକାରେ ଏକ ବଡ଼ ଧରଣର ସଫେଇ ହୋଇଛି। ଭାରତୀୟ ନିର୍ବାଚନ କମିଶନ ଦ୍ୱାରା କରାଯାଇଥିବା ଏକ ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟାରେ (ଏସଆଇଆର୍) ୧୦.୫୬ ଲକ୍ଷରୁ ଅଧିକ ଭୋଟରଙ୍କ ନାଁ ବାଦ ଦିଆଯାଇଛି। ଶନିବାର ପ୍ରକାଶିତ ସଂଶୋଧିତ ଡ୍ରାଫ୍ଟ ତାଲିକାରୁ ଜଣାପଡିଛି ଯେ ଆସାମରେ ଏବେ ୨.୫୧ କୋଟି ପଞ୍ଜିକୃତ ଭୋଟର ଅଛନ୍ତି। ଯେଉଁଥିରେ ୯୩,୦୦୦ ରୁ ଅଧିକ 'ଡି-ଭୋଟର'ଙ୍କୁ ବାଦ ଦିଆଯାଇଛି। ଡି-ଭୋଟର ରାଜ୍ୟର ସେହି ଲୋକମାନଙ୍କ ପାଇଁ ସଂରକ୍ଷିତ ଏକ ବର୍ଗ ଯାହାଙ୍କ ନାଗରିକତା ସ୍ଥିତି ପ୍ରଶ୍ନରେ ରହିଛି। ଏହି ଭୋଟରମାନେ ସମାନ ବ୍ୟକ୍ତିଗତ ତଥ୍ୟ ସହିତ ଯଦିଓ ଡ୍ରାଫ୍ଟ ତାଲିକାରେ ରହିଛନ୍ତି, କିନ୍ତୁ ଏମାନଙ୍କର ଭୋଟ ଅଧିକାର ଦିଆଯାଇ ନାହିଁ।

ଅଧିକାରୀମାନେ କହିଛନ୍ତି ମୁଖ୍ୟତଃ ତିନୋଟି କାରଣରୁ ତାଲିକାରୁ ନାଁ ବାଦ ଦିଆଯାଇଛି। ସେଗୁଡ଼ିକ ହେଲା ମୃତ୍ୟୁ, ପଞ୍ଜିକୃତ ଠିକଣା ଛାଡି ସ୍ଥାନାନ୍ତରିତ ହେଉଥିବା ଲୋକମାନେ ଏବଂ ଡୁପ୍ଲିକେଟ୍ ଏଣ୍ଟ୍ରି। ଭୋଟରଙ୍କ ମୃତ୍ୟୁ ଯାଞ୍ଚ ପରେ ପ୍ରାୟ ୪.୮ ଲକ୍ଷ ନାମ ବାଦ ଦିଆଯାଇଥିଲା। ସେହିପରି ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଥିବା ୫.୨୩ ଲକ୍ଷରୁ ଅଧିକ ବ୍ୟକ୍ତିଙ୍କ ଭଟୋର ନାଁ କଟାଯାଇଥିଲା। ଏହି ସମାନ ଅଭିଯୋଗ ଯୋଗୁ ଅନ୍ୟ ୫୩,୦୦୦ରୁ ଅଧିକ ନାଁକୁ ବି ଚିହ୍ନଟ କରି ହଟାଇ ଦିଆଯାଇଥିଲା।

ନଭେମ୍ବର ୨୨ ରୁ ଡିସେମ୍ବର ୨୦ ମଧ୍ୟରେ ରାଜ୍ୟରେ ବ୍ୟାପକ ଭାବରେ ଦ୍ୱାର-ଦ୍ୱାର ବୁଲି ଏସଆଇଆର୍ କର୍ମୀମାନେ ଯାଞ୍ଚ କରିଥିଲେ। ସବୁ ତଥ୍ୟ ଯାଞ୍ଚ କରିବା ପରେ ଏହି ସଂଶୋଧନ କରାଯାଇଛି। ନିର୍ବାଚନ କର୍ମଚାରୀମାନେ ରାଜ୍ୟର ୬୧ ଲକ୍ଷରୁ ଅଧିକ ପରିବାରର ଭୋଟର ବିବରଣୀ ଯାଞ୍ଚ କରିବା କାର୍ଯ୍ୟରେ ସାମିଲ୍ ହୋଇଥିଲେ।

ଏସଆଇଆର୍ ଡ୍ରାଫ୍ଟ ଏବେ ପ୍ରକାଶିତ ହୋଇଥିବା ବେଳେ ଭୋଟରମାନେ ଚାହିଁଲେ ଜାନୁଆରୀ ୨୨ ପର୍ଯ୍ୟନ୍ତ ଏହି ଡ୍ରାଫ୍ଟ ଉପରେ ଅଭିଯୋଗ ଉଠାଇ ପାରିବେ ଓ ସଂଶୋଧନ କରାଇ ପାରିବେ। ଚୂଡ଼ାନ୍ତ ଭୋଟର ତାଲିକା ଫେବୃଆରୀ ୧୦ରେ ପ୍ରକାଶିତ ହେବାର କାର୍ଯ୍ୟକ୍ରମ ରହିଛି।

ଆସାମରେ ବର୍ତ୍ତମାନ ୩୧,୪୮୬ଟି ମତଦାନ କେନ୍ଦ୍ର ରହିଛି ଅଛି। ଆଗକୁ ଏହି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଅଛି। ଖାଲି ଆସାମ କାହିଁକି କେରଳ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଭଳି ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ନିର୍ବାଚନ ହେବାକୁ ଯାଉଥିବା ବେଳେ ତା ପୂର୍ବରୁ ଏସଆଇଆର୍ କରାଯାଉଛି। ଆସାମକୁ ଏକ ସ୍ୱତନ୍ତ୍ର ସଂଶୋଧନ ଅଧୀନରେ ରଖାଯାଇଛି। ଏହି ରାଜ୍ୟରେ ନିୟମିତ ବାର୍ଷିକ ଅପଡେଟ୍ ଏବଂ ପୂର୍ଣ୍ଣ-ଏସ୍ଆଇର କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।