ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କ ପ୍ରତି ଅସଦାଚରଣ: ବରଦାସ୍ତ କରାଯିବନି, ସେବକଙ୍କ ବିରୋଧରେ ହେବ ଆକ୍ସନ

NEWS7
states-economy-dependent-on-alcohol

ପୁରୀ: ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କ ପ୍ରତି ଅସଦାଚରଣ ଅଭିଯୋଗ ହୋଇଛି। ଗତ ୨୪ ତାରିଖରେ ଘଟିଛି ଏହି ଘଟଣା। ଶ୍ରୀମନ୍ଦିର ଭିତରେ ପଶ୍ଚିମ ଦ୍ଵାର ପଟେ ଥିବା ନିଶା ନୃସିଂହ ମନ୍ଦିରରେ ଭକ୍ତଙ୍କ ସହ ଅସଦାଚରଣ କରାଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଘଟଣାକୁ ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ଏବେ ଆକ୍ସନ ମୋଡରେ ଶ୍ରୀମନ୍ଦିର ପ୍ରଶାସନ। ସ୍ଥାନୀୟ ଥାନାରେ ତୁରନ୍ତ ଏତଲା ଦେବା ପାଇଁ ସୁପରାଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଏକ ଘୃଣ୍ୟ ଏବଂ ନିନ୍ଦନୀୟ କାର୍ଯ୍ୟ। ଏଭଳି ଘଟଣାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ନିଶା ନୃସିଂହ ମନ୍ଦିରରେ ସେବକଙ୍କ ଦ୍ଵାରା ନିୟୋଜିତ ଜଣେ କିଶୋର ଦ୍ଵାରା ଗତ ୨୪ ଡିସେମ୍ବର ସନ୍ଧ୍ୟାବେଳେ ଜଣେ ମହିଳା ଭକ୍ତଙ୍କ ପ୍ରତି ଅସଦାଚରଣ କରାଯାଇଥିବା ସଂପର୍କରେ ଅଭିଯୋଗ ଆମକୁ ମିଳିଛି। ଏପରି ଘୃଣ୍ୟ ଓ ନିନ୍ଦନୀୟ କାର୍ଯ୍ୟକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଏହି ଘଟଣାକୁ ମନ୍ଦିର ପ୍ରଶାସନ ଗୁରୁତର ସହ ଗ୍ରହଣ କରିଛି। ସୁପରଭାଇଜରଙ୍କୁ ସ୍ଥାନୀୟ ଥାନାରେ ଏକ FIR ଦାଖଲ କରିବା ପାଇଁ ତୁରନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଶ୍ରୀ ପାଢୀ କହିଛନ୍ତି, ନିଜେ ସେବାପୂଜା କରିବା ପରିବର୍ତ୍ତେ ଅନ୍ୟଜଣଙ୍କୁ ନିୟୋଜିତ କରିଥିବା ସଂପୃକ୍ତ ସେବକଙ୍କ ବିରୁଦ୍ଧରେ ସେବକ ନିଯୋଗ ମାଧ୍ୟମରେ ଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଆଇନ ନୁଯାୟୀ ଦଣ୍ଡ ଦିଆଯିବ। ନିଶା ନୃସିଂହ ମନ୍ଦିରରେ ସେବାପୂଜାରେ ନିୟୋଜିତ ସେବକମାନଙ୍କ ବ୍ୟତୀତ, ଅନ୍ୟ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମନ୍ଦିର ପ୍ରବେଶ ବନ୍ଦ ରହିବ। ଶ୍ରୀମନ୍ଦିରର ଗରିମା ଓ ପବିତ୍ରତା ଉପରେ ଆଞ୍ଚ ଆଣୁଥିବା କାହାକୁ ମଧ୍ୟ କ୍ଷମା କରାଯିବ ନାହିଁ। ମହାପ୍ରଭୁ ଏମାନଙ୍କୁ ସଦ୍ ବୁଦ୍ଧି ପ୍ରଦାନ କରନ୍ତୁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।