ଚୀନ୍ ରକେଟ ଲଞ୍ଚରରେ ବିସ୍ଫୋରଣ, ୮ କମ୍ବୋଡିଆ ସୈନିକ ନିହତ #watch Video

NEWS7
state-women-commission-chairperson-meets-sambalpur-rape-victim-in-burla-medical

ନାମପେନ ୨୬।୧୨: କମ୍ବୋଡିଆ ଓ ଥାଇଲ୍ୟାଣ୍ଡ ମଧ୍ୟରେ ସୀମାରେ ଜାରି ଉତ୍ତେଜନା ଏବେ ଚରମ ସୀମାରେ ପହଞ୍ଚିଛି। ଏହିକ୍ରମରେ କମ୍ବୋଡିଆ ସେନା ସୀମାରେ ଚୀନ୍ ନିର୍ମିତ ରକେଟ ଲଞ୍ଚରରୁ ଥାଇଲ୍ୟାଣ୍ଡ ସୀମା ଉପରକୁ ଆକ୍ରମଣ କରୁଥିବା ବେଳେ ଚୀନ ଲଞ୍ଚରରେ ବିସ୍ଫୋରଣ ହୋଇଛି। ଫଳରେ ୮ ଜଣ କମ୍ବୋଡିଆ ସୈନିକ ପ୍ରାଣ ହରାଇଥିବା ବେଳେ ଲଞ୍ଚରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି।

ଏହି ଦୁର୍ଘଟଣା ସେତେବେଳେ ହୋଇଛି ଯେତେବେଳେ କମ୍ବୋଡିଆ ସେନା ଥାଇଲ୍ୟାଣ୍ଡ ଉପରକୁ ଆକ୍ରମଣ ପ୍ରସ୍ତୁତି କରୁଥିଲେ। ହେଲେ ଚୀନ୍ ନିର୍ମିତ ଅସ୍ତ୍ର ଧୋକା ଦେଇଛି। ଏହି ବିସ୍ଫୋରଣ ପୁଣି ଥରେ ଚୀନ୍ ନିର୍ମିତ ଅସ୍ତ୍ରଶସ୍ତ୍ରର କ୍ୱାଲିଟି ଓ ବିଶ୍ୱସନିୟତା ଉପରେ ଅନ୍ତର୍ଜାତୀୟ ପ୍ରଶ୍ନବାଚୀ ଲଗାଇଛି। ରିପୋର୍ଟ ଅନୁସାରେ କମ୍ବୋଡିଆ ସୈନିକ ଚୀନ ନିର୍ମିତ ୯୦-ବି ମଲ୍ଟି ଲଞ୍ଚ ରକେଟ ସିଷ୍ଟମ (ଏମଏଲଆରଏସ)ରୁ ଥାଇଲ୍ୟାଣ୍ଡ ଉପରକୁ ରକେଟ ମାଡ଼ କରିବାକୁ ଉଦ୍ୟମ କରୁଥିଲେ। ଅଚାନକ ଲଞ୍ଚର ପାଇପରେ ରକେଟ ବିସ୍ଫୋରଣ ହୋଇଥିଲା। ଫଳରେ ପୁରା ଟ୍ରକ ନିଆଁ ଗୋଳାରେ ପରିଣତ ହୋଇଥିବା ବେଳେ ଟ୍ରକ ପାଖରେଛିଡା ହୋଇଥିବା ୮ ଜଣ ସୈନିକ ପ୍ରାଣ ହରାଇଛନ୍ତି।

ଏହି ଦୁର୍ଘଟଣାର ଲାଇଭ ରେକର୍ଡ ହୋଇଛି। ଏଣୁ ଯୁଦ୍ଧରେ ଚୀନ ଅସ୍ତ୍ର ‘ଫୁସ୍’ ହେଉଥିବା ଏବେ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି। ଯୁଦ୍ଧ ଭୂମିରେ ଚୀନ୍ ଅସ୍ତ୍ରଶସ୍ତ୍ର ଧୋକା ଦେବା କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ମେ ୨୦୨୫ରେ ଅପରେସନ ସିନ୍ଦୂର କାଳରେ ପାକିସ୍ତାନ ଉପଯୋଗ କରିଥିବା ଚୀନ୍ ଡ୍ରୋନ ନା କେବଳ ବିଫଳ ହୋଇଥିଲା ବରଂ ଏଥି ପାଇଁ ଚୀନ୍ର ସମାଲୋଚନା ମଧ୍ୟ ହୋଇଥିଲା। କମ୍ବୋଡିଆ ସେନାରେ ହୋଇଥିବା ଏହି ଦୁର୍ଘଟଣା ପ୍ରତିରକ୍ଷା ବିଶେଷଜ୍ଞଙ୍କୁ ପୁଣି ଥରେ ଚିନ୍ତା କରିବାକୁ ବାଧ୍ୟ କରିଛି। ଏହି ଘଟଣା କମ୍ବୋଡିଆ ସେନାରେ ଚୀନ୍ ପ୍ରତି ଅବିଶ୍ୱାସ ସୃଷ୍ଟି କରିଛି।

ତେବେ କମ୍ବୋଡିଆ ଓ ଥାଇଲ୍ୟାଣ୍ଡ ମଧ୍ୟରେ ସୀମାବର୍ତ୍ତି ଭୂମି ଓ ପ୍ରାଚୀନ ମନ୍ଦିର ଉପରେ ମାଲିକାନା ହକକୁ ନେଇ ବିବାଦ ଲାଗି ରହିଛି। ୨୦୨୫ରେ ଏହି ବିବାଦ ସେତେବେଳେ ଉଗ୍ର ରୂପ ଧାରଣ କରିଥିଲା ଯେତେବେଳେ ଦୁଇ ଦେଶ ପରସ୍ପର ଉପରକୁ ଭୀଷଣ ଗୁଳିଗୋଳା ବର୍ଷା କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇଥର ମଧ୍ୟସ୍ଥତା କରି ଯୁଦ୍ଧବିରାମ ଉଦ୍ୟମ କରିଥିଲେ। ହେଲେ ଏବେ ଏବେ ହୋଇଥିବା ବୁଝାମଣା ମାତ୍ର କିଛି ଦିନ ମଧ୍ୟରେ ଭାଙ୍ଗି ଯାଇଛି। ଏହି ଯୁଦ୍ଧ କାରଣରୁ ୫ଲକ୍ଷରୁ ଅଧିକ ଲୋକେ ପଳାୟନ କରିଛନ୍ତି। ଏହା ଛଡା ଉଭୟପକ୍ଷରୁ ସୈନିକକଙ୍କ ସହ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଉଛନ୍ତି।