କୋର୍ଟରେ ସୋନିଆ-ରାହୁଲଙ୍କ ବଡ ବିଜୟ, ଇଡି ଚାର୍ଜସିଟକୁ ଗ୍ରହଣ କଲେନି ଅଦାଲତ

NEWS7
state-education-minister-statement-on-new-coron-strain

ନୂଆଦିଲ୍ଲୀ, ୧୬/୧୨:ସୋନିଆ-ରାହୁଲଙ୍କୁ ବଡ ଆଶ୍ୱସ୍ତି । ନ୍ୟାଶନାଲ ହେରାଲ୍ଡ ମାମଲାରେ ଗାନ୍ଧୀ ପରିବାରକୁ କୋର୍ଟରୁ ବଡ ବିଜୟ ମିଳିଛି । ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଇଡି ଦ୍ୱାରା ଦାଖଲ ଚାର୍ଜସିଟକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି । କୋର୍ଟଙ୍କ ଏହି ନିଷ୍ପତ୍ତି ସୋନିଆ-ରାହୁଲଙ୍କ ପାଇଁ ବଡ ବିଜୟ ବୋଲି କୁହାଯାଉଛି ।

କୋର୍ଟ କହିଛନ୍ତି ଯେ, ରାହୁଲ ଏବଂ ସୋନିଆଙ୍କ ବିରୋଧରେ ମନି ଲଣ୍ଡରିଂ ସମ୍ବନ୍ଧୀୟ ମାମଲାକୁ ଗ୍ରହଣ କରାଯାଇ ପାରିବ ନାହିଁ । କାରଣ ଅପରାଧ ବାବଦରେ କୌଣସି ବିଧିବଦ୍ଧ ଏଫଆଇଆର ଦାଖଲ ହୋଇନାହି । ପିଏମଏଲଏ ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ପୂର୍ବରୁ ଇଡି ଏଫଆଇଆର ରୁଜୁ କରିବା ବାଧ୍ୟତାମୂଳକ ଅଟେ ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ଏଫଆଇଆର ଆଧାରରେ ମନି ଲଣ୍ଡରିଂ ମାମଲାର ତଦନ୍ତ ହୋଇଥାନ୍ତା ତାହା ଏବେସୁଦ୍ଧା ଦାଖଲ ହୋଇନାହିଁ । ସିବିଆଇ ଏଯାଏଁ ଏଫଆଇଆର ରୁଜୁ ନେଇ ପ୍ରକ୍ରିୟା ଆରମ୍ଭ କରିନି । ଇଡି ମଧ୍ୟ ବିନା କୌଣସି ଏଫଆଇଆରରେ ତଦନ୍ତକୁ ଆଗକୁ ବଢାଇ ଦେଇଛି । କୋର୍ଟ ଏପରି ତଦନ୍ତକୁ ଗ୍ରହଣ କରିବେ ନାହିଁ ।

ଏହା ବ୍ୟତୀତ ଅଦାଲତ ଆହୁରି କହିଛନ୍ତି ଯେ, ବିନା ଏଫଆଇଆରରେ କେବଳ ମନି ଲଣ୍ଡରିଂ ନୁହେଁ ଅନ୍ୟ ମାମଲାର ତଦନ୍ତ ଆଗକୁ ବଢିପାରିବ ନାହିଁ । କୌଣସି ବ୍ୟକ୍ତିଗତ ଏପଆଇଆର ଆଧାରରେ ମନି ଲଣ୍ଡରିଂ ମାମଲା ବେଆଇନ ଅଟେ । ତେବେ କୋର୍ଟ କେବଳ ମାମଲାର ବୈଧତା ଉପରେ ଶୁଣାଣି କରିଛନ୍ତି । ଅଭିଯୁକ୍ତ ଦୋଷୀ ନା ନାହିଁ ସେନେଇ ରାୟ ଦିଆଯାଇ ନାହିଁ । ଏହା କହି ସାରି ଇଡି ଦ୍ୱାରା ଦାଖଲ ମାମଲାକୁ ଗ୍ରହଣ କରିବାକୁ ଅଦାଲତ ମନା କରିଦେଇଛନ୍ତି ।