ସରକାର ଜଣାଇଦେଲେ ୨୦୨୭ ଜନଗଣନାର ପୁରା ଯୋଜନା, ଦୁଇଟି ପର୍ଯ୍ୟାୟରେ ହେବ, ଜାତି ମଧ୍ୟ ପଚରାଯିବ

NEWS7
state-commission-for-women-chairperson-minati-behera-met-mamita-family

ନୂଆଦିଲ୍ଲୀ ୧୨।୧୨: ଭାରତରେ ହେବାକୁ ଥିବା ଜନଗଣନାକୁ ନେଇ ଶୁକ୍ରବାର ବଡ଼ ଖବର ସାମ୍ନାକୁ ଆସିଛି। କେନ୍ଦ୍ର ମନ୍ତ୍ରୀମଣ୍ଡଳ ୨୦୨୭ରେ ହେବାକୁ ଥିବା ଜନଗଣନା ଲାଗି ୧୧,୭୧୮ କୋଟି ଟଙ୍କାକୁ ମଞ୍ଜୁରୀ ଦେଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜନଗଣନା ୨୦୨୭ ମସିହାରେ ହେବ ଓ ଏଥି ଲାଗି ଏପ୍ରିଲରୁ ସେପ୍ଟେମ୍ବର ୨୦୨୬ ସୁଦ୍ଧା ଘର ସୂଚୀ ତିଆରି କରାଯିବ ଓ ଫେବୃଆରୀ ୨୦୨୭ରେ ଜନଗଣନା କରାଯିବ। ବୈଷ୍ଣବ କହିଛନ୍ତି ଯେ ଏହା ଦେଶର ପ୍ରଥମ ଡିଜିଟାଲ ଜନଗଣନା ହେବ ଓ ଏଥିରେ ଜାତିକୁ ଆଧାର କରାଯିବ।

ଦେଶରେ ଜନଗଣନା କିପରି ହେବ, କଣ ସବୁ ପ୍ରଶ୍ନ କରାଯିବ, ପିଛିଲା ଜନଗଣନାରୁ କିପରି ଅଲଗା ହେବ ଏ ନେଇ ଏକ ଗେଜେଟ ନୋଟିଫିକେସନ ଜାରି ହେବ। ଏଥିରୁ ସବୁ ପ୍ରଶ୍ନର ଜବାବ ମିଳିଯିବ। ଜାତି ଓ ଗୋତ୍ରରେ ଅନ୍ତର କିପରି କରାଯିବ ଭଲ ରୂପେ ବିଚାରବିମର୍ଷ କରି ନିର୍ଦ୍ଧାରିତ କରାଯିବ। ଏହି ଜନଗଣନାରେ ଲୋକଙ୍କ ବ୍ୟକ୍ତିଗତ ସୂଚନା କିପରି ଗୋପନ ରଖାଯିବ ତାର ସମ୍ପୂର୍ଣ୍ଣ ବନ୍ଦୋବସ୍ତ କରାଯିବ। ଏଥିରେ ଯେଉଁ ଲୋକେ ଭୁଲ ତଥ୍ୟ ଦେବେ ସେମାନଙ୍କ ଲାଗି ମଧ୍ୟ ବ୍ୟବସ୍ଥା କରାଯିବ। ଏହା ପୂର୍ବରୁ ସରକାର ଲୋକସଭାରେ ଜନଗଣନା ୨୦୨୭ରେ କରାଯିବ ବୋଲି କହିଥିଲେ।

ଏହି ଜନଗଣନାରେ ବର୍ତ୍ତମାନ ନିବାସରେ ରହିବାର ଅବଧି ଓ ପ୍ରବାସର କାରଣ ସମ୍ପର୍କରେ ପଚରା ଯିବ। ଭାରତରେ ଜନଗଣନାରେ ଇତିହାସ ୧୫୦ ବର୍ଷରୁ ଅଧିକ ପୁରୁଣା ଓ ପ୍ରତ୍ୟେକ ଜନଗଣନାରେ ପିଛିଲା ଜନଗଣନାର ଅଭିଜ୍ଞତାକୁ ଧ୍ୟାନରେ ରଖାଯାଏ। ମନ୍ତ୍ରୀମଣ୍ଡଳ କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଜନଗଣନାରେ ଜାତି ଆଧାରିତ ଗଣନା ମଧ୍ୟ କରାଯିବ। ୨୦୨୭ ଜନଗଣନାରେ ମୋବାଇଲ ଆପ ମାଧ୍ୟମରେ ଡାଟା ଏକତ୍ର କରାଯିବ ଓ ସ୍ୱଗଣନା ନିମନ୍ତେ ଅନ-ଲାଇନ ବ୍ୟବସ୍ଥା ରହିବ। ୨୦୨୭ ଜନଗଣନା ୨ଟି ପର୍ଯ୍ୟାୟରେ ସମାପ୍ତ ହେବ। ପ୍ରଥମ ପର୍ଯ୍ୟାୟ ଏପ୍ରିଲରୁ ସେପ୍ଟେମ୍ବର ୨୦୨୬ରେ ସରିବ।