AirIndia, Indigo ପରେ ଏବେ ଅକାସା ଏୟାର ବଢାଇଲା ଫୁଏଲ ସରଚାର୍ଜ

NEWS7
state-cabinet-meeting-18-proposals-approved

ମୁମ୍ବାଇ ୧୪।୩: ପଶ୍ଚିମ ଏସିଆରେ ଜାରି ସଂଘର୍ଷ ମଧ୍ୟରେ ବିମାନ ଇନ୍ଧନ ମୂଲ୍ୟ ବୃଦ୍ଧି କାରଣରୁ ଅକାସା ଏୟାର ମାର୍ଚ୍ଚ ୧୫ ତାରିଖରୁ ଘରୋଇ ଓ ଅନ୍ତର୍ଜାତୀୟ ଉଡାଣ ଟିକେଟ ଉପରେ ୧୯୯ ଟଙ୍କାରୁ ୧,୩୦୦ ଟଙ୍କା ପର୍ଯ୍ୟନ୍ତ ଫୁଏଲ ସରଚାର୍ଜ ଲଗାଇବ। ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଓ ଇଣ୍ଡିଗୋ ମଧ୍ୟ ସେମାନଙ୍କ ପ୍ରତି ଟିକେଟ୍ ଏୟାର ସରଚାର୍ଜ ଲାଗୁ କରିଛନ୍ତି। ଏଣୁ ଅକାସା ଏୟାର ପକ୍ଷରୁ ଶନିବାର ଜାରି ବୟାନରେ କହିଛି ଯେ ପ୍ରତ୍ୟେକ ଉଡାଣ ନିମନ୍ତେ ଫୁଏଲ ସରଚାର୍ଜ ଲଗାଯିବ। ଏହି ନିୟମ ୧୫ ମାର୍ଚ୍ଚ ରାତି ୧୨ଟା ପରେ ପ୍ରତ୍ୟେକ ଟିକେଟ ବୁକିଂ ଉପରେ ଲାଗୁ ହେବ।

ଏୟାରଲାଇନ ଅନୁସାରେ ପଶ୍ଚିମ ଏସିଆରେ ଉପୁଜିଥିବା ଭୂ-ରାଜନୈତିକ ପରିସ୍ଥିତି କାରଣରୁ ବିମାନ ଇନ୍ଧନ ମୂଲ୍ୟ ଢେର ବଢି ଯାଇଛି। ବୟାନରେ କୁହାଯାଇଛି ଯେ ଇନ୍ଧନ ଏୟାରଲାଇନର ସଞ୍ଚାଳନ ଖର୍ଚ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏଣୁ ଇନ୍ଧନ ମୂଲ୍ୟ ବୃଦ୍ଧି ସମ୍ପୂର୍ଣ୍ଣ ଏଭିଏସନ ଉଦ୍ୟୋଗର ସଞ୍ଚାଳନ ବ୍ୟୟକୁ ପ୍ରଭାବିତ କରିଛି। ଶୁକ୍ରବାର ଇଣ୍ଡିଗୋ ଏୟାରଲାଇନ ମାର୍ଚ୍ଚ ୧୪ ତାରିଖରୁ ଟିକେଟ୍ ଉପରେ ଫୁଏଲ ସରଚାର୍ଜ ଲାଗୁ କରିବ ବୋଲି ଘୋଷଣା କରିଥିଲା। ସେହିପରି ଏୟାର ଇଣ୍ଡିଆ ଓ ଏୟାରଇଣ୍ଡିଆ ଏକ୍ସପ୍ରେସ୍ ମାର୍ଚ୍ଚ ୧୨ ତାରିଖରୁ ଯାତ୍ରୀଙ୍କ ଠାରୁ ଫୁଏଲ ସରଚାର୍ଜ ଅସୁଲ ଆରମ୍ଭ କରିଛନ୍ତି।

ଫୁଏଲ ସରଚାର୍ଜ ବିମାନ ଟିକେଟ ଉପରେ ଲଗାଯାଉଥିବା ଏକ ଶୁଳ୍କ, ଯାହା ବିମାନ ଇନ୍ଧନ (ଏଟିଏଫ) ଦାମ ବଢିଲେ ଏୟାରଲାଇନ ତାର ପରିଚାଳନା ଖର୍ଚ୍ଚକୁ କଭର କରିବା ଲାଗି ଅସୁଲ କରିଥାଏ। ଏହି ଅତିରିକ୍ତ ଶୁଳ୍କ ବେସ୍ ଫେୟାର ଅର୍ଥାତ ମୂଳ ଭଡ଼ା ଅତିରିକ୍ତ ହୋଇଥାଏ ଓ ସିଧାସଳଖ ଯାତ୍ରୀଙ୍କ ପକେଟ ଉପରେ ପ୍ରଭାବ ପକାଇଥାଏ। ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଏୟାରସ୍ପେସ୍ ବନ୍ଦ ରହିବା କାରଣରୁ ଏୟାରଲାଇନଙ୍କୁ ପଶ୍ଚିମ ଏସିଆର କିଛି ଅଂଶ ଦେଇ ଯାଉଥିବା ଫ୍ଲାଇଟଙ୍କୁ ରାସ୍ତା ବଦଳେଇବାକୁ ପଡୁଛି। ଏଣୁ ଉଡାଣ ମାର୍ଗ ଦୀର୍ଘ ହୋଇଯାଇଛି। ଏଥି ପାଇଁ ଅଧିକ ଇନ୍ଧନ ବ୍ୟୟ ହେଉଥିବା ବେଳେ ଅପରେଟିଂ ଖର୍ଚ୍ଚ ମଧ୍ୟ ବଢି ଯାଇଛି।