ରାଜ୍ୟରେ କଚ୍ଛପ ଗତିରେ ସ୍କ୍ରାପିଙ୍ଗ ନୀତି, ୨୦ ଲକ୍ଷ ଗାଡି଼କୁ ୨ଟି ସେଣ୍ଟର, ମୁହଁ ଫେରାଉଛନ୍ତି ଘରୋଇ ଗାଡି଼ ମାଲିକ

NEWS7
sri-lankan-coach-and-captain-clashed-on-the-field-after-indias-defeat-video-of-tension-went-viral

ଭୁବନେଶ୍ୱର ୦୨।୦୩ : ଧୀରେ ଧୀରେ ରାସ୍ତାରୁ ପୁରୁଣା ଗାଡି଼ ହଟୁଛି। ସ୍କ୍ରାପିଙ୍ଗ୍ ପଲିସି ଜରିଆରେ ୧୫ ବର୍ଷରୁ ପୁରୁଣ ଗାଡି଼କୁ କାଟି ଟିକଟିକ କରାଯାଉଛି। ହେଲେ, ଯେଉଁ ହିସାବରେ ପୁରୁଣା ଗାଡି଼କୁ ରାସ୍ତାରୁ ହଟାଇବାକୁ ଲକ୍ଷ୍ୟ ରଖିଥିଲେ ସରକାର। ସେଥିରେ ଢ଼େର ପଛେଇଛନ୍ତି। ପର୍ଯ୍ୟାପ୍ତ ସ୍କ୍ରାପିଙ୍ଗ୍ ସେଣ୍ଟର ନଥିବାରୁ ଗାଡି଼ ମାଲିକମାନେ ଆଗଭର ହେଉନାହାନ୍ତି। କଚ୍ଛପ ଗତିରେ ଚାଲିଛି ଏହି ସ୍କ୍ରାପିଂ ନୀତି।

ପରିବହନ ବିଭାଗ ତଥ୍ୟ ମୁତାବକ, ସାରା ରାଜ୍ୟରେ ପ୍ରାୟ ୨୦ ଲକ୍ଷରୁ ଅଧିକ ପୁରୁଣା ଗାଡି଼ (୧୫ ବର୍ଷରୁ ଅଧିକ) ଗାଡି଼ ଗଡୁଛି। ସେଥିରୁ ପ୍ରାୟ ୧୨ ଲକ୍ଷ ହେଉଛି ୨ ଚକିଆ ଯାନ। କିନ୍ତୁ ରାଜ୍ୟରେ ମାତ୍ର ୨ଟି ସ୍କ୍ରାପିଙ୍ଗ୍ ସେଣ୍ଟର ଅଛି। ୩ ବର୍ଷ ତଳୁ ଖୋର୍ଦ୍ଧା ଗୋବିନ୍ଦପୁର ସେଣ୍ଟର ଚାଲୁଥିବା ବେଳେ ଗତବର୍ଷ ଜୁନ୍ ୩ରୁ ଯାଜପୁର କୁଆଖିଆରେ ପୁରୁଣା ଗାଡି଼ ସ୍କ୍ରାପ୍ କରାଯାଉଛି। କୋରାପୁଟ, ମାଲକାନଗିରି, ସମ୍ବଲପୁର, ମୟୁରଭଞ୍ଜ ଭଳି ଦୂରଦୂରାନ୍ତ ଜିଲ୍ଲାରୁ ପୁରୁଣା ଗାଡି଼ ୨ଟି ସେଣ୍ଟରକୁ ଆଣି ସ୍କ୍ରାପିଙ୍ଗ୍ କରିବା କାଠିକର ପାଠ ହେଉଛି। ଯେଉଁଥିପାଇଁ ଏହି ନୀତି ପଛେଇଛି।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୨ ହଜାରରୁ ଅଧିକ ଗାଡି଼କୁ ସ୍କ୍ରାପିଙ୍ଗ୍ କରାଗଲାଣି। ୨୦୨୫-୨୬ ଆର୍ଥିକ ବର୍ଷର ଏପ୍ରିଲ ପହିଲାରୁ ଜାନୁଆରୀ ଶେଷ ସୁଦ୍ଧା ୨,୪୫୬ ଗାଡି଼ ସ୍କ୍ରାପିଙ୍ଗ୍ କରାଯାଇଛି। କିନ୍ତୁ ଏବେ ବି ପ୍ରଦୂଷଣକୁ ଡାକୁଛି ପୁରୁଣା ଗାଡି଼। ଲକ୍ଷ ଲକ୍ଷ ସଂଖ୍ୟାରେ ପୁରୁଣା ଗାଡି଼ ରାସ୍ତାରେ ବେଧଡ଼କ ଗଡୁଛି। କେଉଁଠି ପୁରୁଣା ଟ୍ରକ ସାଇଲେନ୍ସରରୁ ନିର୍ଗତ କଳା ଧୂଆଁରେ ରାସ୍ତା ଭର୍ତ୍ତି ହୋଇ ଯାଉଛି। ଆଉ କେଉଁଠି ଆମ୍ବାସଡର ଭଳି ଭିଣ୍ଟେଜ୍ କାରକୁ ଯେତେ ସଜାଡି଼ଲେ ବି ସାଇଲେନ୍ସର ଧୂଆଁକୁ ରୋକି ହେଉନି। ପୁରୁଣା ଗାଡି଼କୁ ସ୍କ୍ରାପିଙ୍ଗ୍ କରାଯିବା ପରେ ଗାଡି଼ ମାଲିକଙ୍କୁ ଏକ ସାର୍ଟିଫିକେଟ ଅଫ୍ ଡିପୋଜିଟ୍ (ସିଓଡି) ଦିଆଯାଉଛି। ଏମାନେ ନୂଆ ଗାଡି଼ କିଣିଲେ ବେଶ୍ ଲାଭବାନ ହେଉଛନ୍ତି। ଗାଡି଼ ନିର୍ମାତା କମ୍ପାନୀ ପକ୍ଷରୁ ମଧ୍ୟ ନୂଆ ଗାଡି଼ କିଣିବା ବେଳେ ରିହାତି ମିଳୁଛି । ମୋଟର ଯାନ ଟିକସରେ ବି ରିହାତି ମିଳୁଛି । ଘରୋଇ ଗାଡି଼ କିଣିଲେ, ୨୫ ପ୍ରତିଶତ, ପରିବହନ ଗାଡି଼ ବାବଦକୁ ୧୫ ପ୍ରତିଶତ ରୋଡ୍ ଟ୍ୟାକ୍ସରେ ରିହାତି ଦିଆଯାଉଛି ।

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୬୨୪୯ଟି ପୁରୁଣା ଗାଡି଼ ଅଛି । ସେଥିରୁ ଗୃହ ବିଭାଗରେ ୩୧୫୬ଟି ୧୫ ବର୍ଷରୁ ପୁରୁଣା ଗାଡି଼ ରହିଛି । ସେଥିରୁ ଓଡି଼ଶା ପୁଲିସରେ ପ୍ରାୟ ୧,୪୮୩ଟି ଗାଡି଼ ପୁରୁଣା । ବାଣିଜ୍ୟ ଓ ପରିବହନ ବିଭାଗରେ ୪୮୪ଟି, ଗୃହ ଓ ନଗର ଉନ୍ନୟନ ବିଭାଗରେ ୪୨୬ଟି, ଅଗ୍ନିଶମ ବିଭାଗରେ ୩୮୯ଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୩୭୮ଟି, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରେ ୧୯୩ଟି ଓ ଜଳସମ୍ପଦ ବିଭାଗର ୧୩୪ଟି ଓ ଅର୍ଥ ବିଭାଗରେ ୮୭ଟି ଗାଡି଼ ଅଛି।

ବିଶ୍ୱ ଜଳବାୟ ପରିବର୍ତ୍ତନର ମୁଖ୍ୟ କାରଣ ପାଲଟିଛି ବାୟୁ ପ୍ରଦୃଷଣ । ପୁରୁଣା ଗାଡି଼ ରାସ୍ତାରେ ଗଡି଼ବା ଯୋଗୁଁ ପ୍ରଦୂଷଣ ଗ୍ରାଫ୍ ବଢ଼ୁଛି। ଇକୋସିଷ୍ଟମ ଉପରେ ପ୍ରଭାବ ପଡୁଛି । ପରିବେଶ ସନ୍ତୁଳନ ନ ବିଗିଡି଼ବା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପୁରୁଣା ଗାଡି଼କୁ ହଟାଇବାକୁ ଗୁରୁତ୍ୱ ଦେଉଛନ୍ତି । ୨୦୨୨ ନଭେମ୍ବରରେ ରେଜିଷ୍ଟ୍ରଡ୍ ଭେହିକିଲ୍ ସ୍କ୍ରାପିଙ୍ଗ୍ ଫ୍ୟାଲିସିଟି ପଲିସି-୨୦୨୨ (ଆର୍ଭିଏସ୍ଏଫ୍ପି) ରେ ରାଜ୍ୟ ସରକାରଙ୍କ ମୋହର ବାଜିଥିଲା। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ୩୦୦ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ରାଶି ମିଳିଛି। ବାହାନ ଡାଟାବେସରୁ ସମସ୍ତ ଗାଡି଼ର ତଥ୍ୟ ସଂଗ୍ରହ କରାଯାଇ ସ୍କ୍ରାପିଙ୍ଗ୍ ପ୍ରକ୍ରିୟା ଆଗେଇ ଚାଲିଛି।