'ବୁଡ଼ିପାରେ ଆମେରିକା ଯୁଦ୍ଧପୋତ...', ଟ୍ରମ୍ପଙ୍କୁ ଇରାନ ସୁପ୍ରିମ ଲିଡରଙ୍କ ଖୋଲା ଚେତାବନୀ

NEWS7
sonu-shood-sent-labourers-to-home-via-train-video-viral

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘ ସମୟରୁ ଉତ୍ତେଜନା ଲାଗି ରହିଛି । ମଙ୍ଗଳବାର ଇରାନ ସୁପ୍ରିମ୍ ଲିଡର୍ ଆୟାତୁଲ୍ଲା ଅଲି ଖାମେନି ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ମୁତୟନ ଆମେରିକୀୟ ଯୁଦ୍ଧପୋତ ପାଣିରେ ବୁଡ଼ିପାରେ । ଦୁଇ ଦେଶ ମଧ୍ୟରେ ନ୍ୟୁକ୍ଲିୟର ଆଲୋଚନା ମଧ୍ୟ ଆରମ୍ଭ ହୋଇଛି । ଖାମେନି ଏକ ବୟାନରେ କହିଛନ୍ତି, ଆମେ ଲଗାତାର ଶୁଣିବାକୁ ପାଉଛୁ ଯେ ସେ (ଆମେରିକା) ଇରାନ ଆଡ଼କୁ ଏକ ୱାରଶିପ୍ ପଠାଇଛନ୍ତି । ୱାରଶିପ୍ ନିଶ୍ଚିତ ରୂପେ ଏକ ଘାତକ ହତିଆର, କିନ୍ତୁ ତାହାଠାରୁ ଅଧିକ ଘାତକ ହତିଆର ହେଉଛି ଯିଏ ତାକୁ ବୁଡ଼ାଇ ପାରିବ ।

ଇରାନର ସୁପ୍ରିମ ଲିଡର ଏହା ମଧ୍ୟ ଚେତାବନୀ ଯେଇଛନ୍ତି ଯେ ତାଙ୍କ ସରକାରଙ୍କୁ ହଟାଇବା ପାଇଁ ଆମେରିକାର ଉଦ୍ୟମ ସଫଳ ହେବ ନାହିଁ । ୱାଶିଂଟନ ଓ ତେହରାନ ମଧ୍ୟପ୍ରାଚ୍ୟରେ ଆମେରିକା ମିଲିଟାରୀର ପ୍ରସ୍ତୁତି ମଧ୍ୟରେ ଜେନେଭାରେ ଆଣବିକ ବିବାଦ ଉପରେ ସିଧାସଳଖ ଆଲୋଚନା ଆରମ୍ଭ ହୋଇଛି । ଜୁନରେ ଇରାନର ଆଣବିକ ଠିକଣା ଉପରେ ଆକ୍ରମଣ କରିବା ପରେ ଆମେରିକା ଏବେ ନୂଆ ସଂଘର୍ଷ ପାଇଁ ଫୋର୍ସ ମୁତୟନ କରୁଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଇରାନରେ ଶାସନ ପରିବର୍ତ୍ତନ ସବୁଠୁ ଭଲ କଥା ହେବ । ଏହାରି ଭିତରେ ସୋମବାର ଇରାନରେ ହୋର୍ମୁଜ ଷ୍ଟ୍ରେଟରେ ସୈନ୍ୟ ଅଭ୍ୟାସ କରିଥିଲା, ଯାହା ତୈଳ ଯୋଗାଣ ଶୃଙ୍ଖଳାରେ ଗୁରୁତ୍ୱପୂର୍ଣ୍ଣ ୱାଟର ୱେ’ ଅଟେ ।

ଆମେରିକା ପ୍ରତିନିଧି ଷ୍ଟିଭ୍ ଭିଟକକ୍ ଓ ଜେରେଡ୍ କୁଶନର ଏବଂ ଇରାନ ମନ୍ତ୍ରୀ ଅବ୍ବାସ ଅରାକଚୀଙ୍କ ମଧ୍ୟରେ ଆଲୋଚନା ଚାଲିଛି । ଦୁହିଁଙ୍କ ମଧ୍ୟରେ ଓମାନ ମଧ୍ୟସ୍ଥତା କରୁଛି । କିନ୍ତୁ ଠିକ୍ ଆଲୋଚନା ଆରମ୍ଭ ହେବା ପରେ ଇରାନ ସୁପ୍ରିମ ଲିଡର କହିଛନ୍ତି, ୱାଶିଂଟନ ତାଙ୍କ ସରକାରକୁ ଜବରଦସ୍ତି ହଟାଇ ପାରିବ ନାହିଁ । ୧୯୭୯ର ଇସଲାମିକ୍ କ୍ରାନ୍ତି ପରେ ଏହି ରିପବ୍ଲିକ୍ ଦେଶ ଉପରେ ମୌଲବୀ ଶାସନ ଚାଲିଛି । ଇରାନ ମିଡିଆରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ଆମେରିକା ରାଷ୍ଟ୍ରପତି କହୁଛନ୍ତି ଯେ ତାଙ୍କ ଆର୍ମି ଦୁନିଆରେ ସବୁଠୁ ମଜଭୁତ ସେନା, କିନ୍ତୁ ଦୁନିଆର ସବୁଠୁ ଶକ୍ତିଶାଳୀ ସେନାକୁ ବି ବେଳେବେଳେ ଏପରି ଶକ୍ତ ଆଘାତ ଦିଆଯାଇପାରିବ, ଯାହା ତାଙ୍କୁ ଉଠିବାକୁ ଦେବ ନାହିଁ । ଇରାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜେନେଭାର ସଫଳତା ଆମେରିକା ଦ୍ୱାରା ଲଗାଯାଇଥିବା କଟକଣା ହଟାଇବାକୁ ନେଇ କେତେ ଗମ୍ଭୀର ତା ଉପରେ ନିର୍ଭର ଅଟେ ।