LIVE TV

ମହିଳାଙ୍କୁ କାର୍ ଦେବେ ସରକାର : ଆରମ୍ଭ ହେବାକୁ ଯାଉଛି ‘ଆତ୍ମନିର୍ଭର ମହିଳା ଆମ ସୁବାହକ’ ଯୋଜନା

NEWS7
son-of-prabhakar-is-suffering-unknown-disease

ଭୁବନେଶ୍ବର ୧୪୧୦: ମହିଳାଙ୍କୁ କାର୍ ଦେବେ ସରକାର । ସୁଭଦ୍ରା ପରେ ମହିଳାଙ୍କ ପାଇଁ ମୋହନ ସରକାରଙ୍କ ବଡ଼ ଯୋଜନା । ରାଜ୍ୟରେ ଏକ କୋଟିରୁ ଉର୍ଦ୍ଧ୍ବ ମହିଳା ସୁଭଦ୍ରା ଟଙ୍କା ପାଇ ସ୍ୱାବଲମ୍ବୀ ହେଉଥିବା ବେଳେ ଏବେ କାର୍ ଯୋଗାଇ ସେମାନଙ୍କୁ ସଶକ୍ତ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ସରକାର । ଆରମ୍ଭ ହେବାକୁ ଯାଉଛି ‘ଆତ୍ମନିର୍ଭର ମହିଳା ଆମ ସୁବାହକ’ ଯୋଜନା । ଏହି ଯୋଜନା ଅନ୍ତର୍ଗତ ୪ ବର୍ଷରେ ୧୧୦୦ଜଣ ମହିଳାଙ୍କୁ କାର୍ କିଣି ଟ୍ୟାକ୍ସି ଭାବେ ବ୍ୟବହାର କରିବାକୁ ବ୍ୟାଙ୍କରୁ ଜଣଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଋଣ ଯୋଗାଇ ଦେବେ ସରକାର । ଏହି ଋଣର କିସ୍ତି ମହିଳା ମାନେ ୫ ବର୍ଷରେ ସୁଝିବେ ଏବଂ ରାଜ୍ୟ ସରକାର ବାର୍ଷିକ ୧୧% ହାରରେ ସୁଧ ସୁଝିବେ । ବାଣିଜ୍ୟ ଓ ପରିବହନ ବିଭାଗର ଏହି ଯୋଜନାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି ।

ମହିଳା ମାନଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ ଋଣ ଦିଆଯିବ । ଯଦି ମହିଳା ମାନେ ଇଭି ଗାଡ଼ି କିଣିବେ ତେବେ ସରକାରୀ ପ୍ରୋତ୍ସାହନ ବାବଦକୁ ଅଧିକ ୨ ଲକ୍ଷ ଟଙ୍କା ମିଳିବ । ତେବେ ଯୋଜନାର ସୁବିଧା ୨୧ରୁ ୪୦ବର୍ଷର ମହିଳାଙ୍କୁ ମିଳିବ । ପରିବାରର ବାର୍ଷିକ ଆୟ ୩ ଲକ୍ଷ ଟଙ୍କା ଭିତରେ ଥିବ । ସରକାରୀ ପ୍ରତିଷ୍ଠାନରେ ଡ୍ରାଇଭିଂ ତାଲିମ ନେଇ ଡ୍ରାଇଭିଂ ଲାଇସେନ୍ସ ଥିବ । ୫ ବର୍ଷ ପର୍ଯ୍ୟନ୍ତ ଟ୍ୟାକ୍ସି ଚଲାଇବେ ବୋଲି ପ୍ରତିଶ୍ରୁତିବଦ୍ଧ ହେବେ । ସୁଭଦ୍ରା ହିତାଧିକାରୀ, ଓଏସ୍‌ଆର୍‌ଟିସି ଅବା କ୍ରୁଟ୍ ବସ୍ ଡ୍ରାଇଭର, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କୁ ଅଗାଧିକାର ଦିଆଯିବ ।

୪ ବର୍ଷରେ ମୋଟ୍ ୧୧୦୦ ଜଣ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଯୋଜନା କାର୍ଯ୍ୟକାରୀ ପାଇଁ ପରିବହନ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିଅରିଂ କମିଟି ଗଠନ ହୋଇଛି । କମିଟି ପ୍ରତି ୩ ମାସରେ ଥରେ ମହିଳା ଟ୍ୟାକ୍ସି ଚାଳକଙ୍କ ଆୟର ହିସାବ ତଦାରଖ କରିବ ।​​​​​​​