ମହାରାଷ୍ଟ୍ର ନଗରନିଗମ ନିର୍ବାଚନ: ଠାକରେ ଭ୍ରାତାଙ୍କ ମଧ୍ୟରେ ମେଣ୍ଟ ନେଇ ଆସୁଛି ବଡ଼ ଅପଡେଟ୍, ଖୁବ୍ ଶୀଘ୍ର ହୋଇପାରେ ଘୋଷଣା

NEWS7
social-media-sensation-alina

ମୁମ୍ବାଇ ୧୯।୧୨: ମହାରାଷ୍ଟ୍ରରେ ଶିବସେନା (ଉଦ୍ଧବ) ଓ ମହାରାଷ୍ଟ୍ର ନବନିର୍ମାଣ ସମିତି (ଏମଏନଏସ୍) ଆଗାମୀ ନଗର ନିଗମ ନିର୍ବାଚନ ଲାଗି ଆସନ୍ତା ସପ୍ତାହରେ ସେମାନଙ୍କ ମେଣ୍ଟ ଘୋଷଣା କରିପାରନ୍ତି। ଏଥିରେ ମୁମ୍ବାଇକୁ ଛାଡି ସବୁ ନଗର ପାଳିକା ଓ ନଗର ନିଗମରେ ଆସନ ବଣ୍ଟାକୁଣ୍ଟା ପାଖାପାଖି ଶେଷ ହୋଇଛି। ମହାରାଷ୍ଟ୍ରରେ ୨୯ ନଗର ନିଗମ ଲାଗି ଜାନୁୟାରୀ ୧୫ରେ ଭୋଟଗ୍ରହଣ ହେବ। ଏହା ପରଦିନ ଭୋଟ ଗଣତି କରାଯିବ। ଏଥିରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୃହନ୍ମୁମ୍ବାଇ ମହାନଗର ପାଳିକା (ବିଏମସି) ମଧ୍ୟ ସାମିଲ।

ଶିବସେନା(ଉଦ୍ଧବ) ଓ ଏମଏନଏସ୍ ମିଳିତ ମୁମ୍ବାଇ, ଠାଣେ, ମୀରା-ଭୟନ୍ଦର, କଲ୍ୟାଣ, ଡୋମ୍ବିଭଲି , ପିମ୍ପରି-ଚିଞ୍ଚୱାଡ, ପୁଣେ ଓ ନାସିକ ସହିତ ଅନ୍ୟ ନଗରନିଗମ ନିର୍ବାଚନ ପାଇଁ ମେଣ୍ଟ କରିବେ। ନଗରପାଳିକା ନିର୍ବାଚନକୁ ନେଇ ଏମଏନଏସର ଜନୈକ ନେତା କହିଛନ୍ତି ଯେ ‘କେବଳ ମୁମ୍ବାଇକୁ ଛାଡି ବାକି ନଗରନିଗମ ଓ ନଗର ପାଳିକା ନିମନ୍ତେ କଥାବାର୍ତ୍ତା ଶେଷ ହୋଇଛି। ଏଥିରେ ମୁଖ୍ୟ ପ୍ରସଙ୍ଗ ମରାଠୀ ବହୁଳ କ୍ଷେତ୍ରରେ ଆମର ଦାବି ଥିବା ସିଟ୍ କୁ ନେଇ ରହିଛି। ଶିବସେନା (ଉଦ୍ଧବ) ଏପର୍ଯ୍ୟନ୍ତ ଏହା ଉପରେ ସହମତ ହୋଇ ନାହାନ୍ତି। ଏଣୁ ଆସନ ବଣ୍ଟାକୁଣ୍ଟାରେ ବିଳମ୍ବ ହେଉଛି। କିନ୍ତୁ ଆଗାମୀ ସପ୍ତାହ (ଡିସେମ୍ବର ୨୩ରୁ ୩୦ ମଧ୍ୟରେ) ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେଉଥିବା କାରଣରୁ କଥାବାର୍ତ୍ତା ଯେତେଶୀଘ୍ର ଶେଷ ହେବା ଦରକାର’।

ଏମଏନଏସ ନେତା ତଥା ପୂର୍ବତନ ବିଧାୟକ ନିତିନ ସରଦେଶାଈ ସାମ୍ବାଦିକଙ୍କୁ କହିଛନ୍ତି ଯେ ‘ଏହା କହିବା ଉଚିତ ହେବ ଯେ କଥାବାର୍ତ୍ତା ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ହେଲେ ଏହାର ଅଧିକାରୀକ ଘୋଷଣା କେବେ ହେବ ଏହା ଏବେଠୁ କହିବା କଷ୍ଟକର। ମୁଁ କେବଳ ଏତିକି କହିବି ଯେ ସବୁ ପକ୍ଷ ଆଲୋଚନା ଶେଷ କରିବାକୁ ଉଦ୍ୟମ କରୁଛନ୍ତି ଓ ଏହି ଦିଗରେ କାମ କରୁଛନ୍ତି’। ସେପଟେ ଶିବସେନା (ଉଦ୍ଧବ) ନେତା ଅନିଲ ପରବ ରାଜ ଠାକରେଙ୍କୁ ଭେଟି ଆସନ ବଣ୍ଟନ ନେଇ ଚର୍ଚ୍ଚା କରିଛନ୍ତି।

ଅନ୍ୟ ଜଣେ ଉଦ୍ଧବଗୋଷ୍ଠୀ ନେତା କହିଛନ୍ତି ଯେ କଥାବାର୍ତ୍ତା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଓ ଆସନ ବୁଝାମଣାରେ କୌଣସି ବାଧା ନାହିଁ। ସେ କହିଛନ୍ତି ଯେ ‘ଆଶା କରାଯାଉଛି ଦୁଇ ଭାଇ ସୋମବାର ଏକ ସାର୍ବଜନିକ କାର୍ଯ୍ୟକ୍ରମରେ ଅଥବା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦୁଇ ଦଳଙ୍କ ମଧ୍ୟରେ ମେଣ୍ଟର ଅଧିକାରୀକ ଘୋଷଣା କରିପାରନ୍ତି। ଏହା ଦ୍ୱାରା ନଗରନିଗମ ନିର୍ବାଚନର ରୂପରେଖ ନିର୍ଦ୍ଧାରଣ ହେବ’।