ପୀୟୂଷଙ୍କ ମଞ୍ଚ ଚଢ଼ିବା ଉପରେ ଲାଗିଲା ରୋକ୍, ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ କୋର୍ଟ

NEWS7
snake-curry-served-in-vietnam-restaurants

ଭୁବନେଶ୍ବର ୧୫।୧: ପୁଣି ଝୁଲିଲା ପୀୟୂଷଙ୍କ ଭାଗ୍ୟ । ଆଜି ରାତିରେ ଆଉ ଯାତ୍ରା ମଞ୍ଚରେ ଚଢ଼ିପାରିବେନି ପୀୟୂଷ । ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ଶୁକ୍ରବାର ଜଣାପଡ଼ିବ ପୀୟୂଷ ପୁଣି ଯାତ୍ରା ମଞ୍ଚରେ ଅଭିନୟ କରିବେ ନା’ ତାଙ୍କ ଉପରେ ଲାଗିଥିବା ରୋକ୍ ବଳବତ୍ତର ରହିବ । ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପକୁ ନେଇ ଅଭିନେତା ପୀୟୂଷ ତ୍ରିପାଠୀଙ୍କ ବିରୋଧରେ ଅପେରା ସୂର୍ଯ୍ୟ ମନ୍ଦିର ପକ୍ଷରୁ ହୋଇଥିବା ମାମଲାର ଶୁଣାଣି କରିଥିଲେ ଭୁବନେଶ୍ବର ସିଭିଲ ଜଜ୍ କୋର୍ଟ । ଦୀର୍ଘ ୨ ଘଣ୍ଟା ଧରି ଉଭୟ ପକ୍ଷଙ୍କ କଥା ଶୁଣିବା ପରେ ଏହି ମାମଲାରେ କୋର୍ଟ ତାଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି । ଶୁକ୍ରବାର କୋର୍ଟ ତାଙ୍କ ରାୟ ପ୍ରକାଶ କରିବେ । ସେତେ ପର୍ଯ୍ୟନ୍ତ ମଞ୍ଚରେ ଅଭିନୟ କରିପାରିବେ ନାହିଁ ଅଭିନେତା ପୀୟୂଷ ତ୍ରିପାଠୀ ।

୨୦୨୫ରେ ଯାତ୍ରା ପାର୍ଟି ମାଲିକଙ୍କ ବୈଠକରେ ଯେଉଁ ପ୍ରସଙ୍ଗକୁ ନେଇ ଫୈସଲା ହୋଇପାରିନଥିଲା, ୨୦୨୬ରେ ସେହି ପ୍ରସଙ୍ଗ ଏବେ କୋର୍ଟରେ ପହଞ୍ଚିଛି । ସେତେବେଳେ ବି ଘମାଘୋଟ ହୋଇଥିଲା, ଆଉ ଆଜି ବି ଚାଲିଛି ଘମାଘୋଟ । ଯାତ୍ରା ସୂର୍ଯ୍ୟମନ୍ଦିର ସହ ଅଭିନେତା ପୀୟୂଷ ତ୍ରିପାଠୀ କରିଥିବା ଚୁକ୍ତିକୁ ମାନିନଥିବା ଅଭିଯୋଗ କରି କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପାର୍ଟିର ଏଜେଣ୍ଟ । ସେପଟେ ପୀୟୂଷ କହିଛନ୍ତି ସେ ସେଭଳି କୌଣସି ଚୁକ୍ତି କରିନାହାନ୍ତି । ଏବେ ଯେତେବେଳେ ସେ ୫ ବର୍ଷ ପାଇଁ ଯାତ୍ରା ସିଂହବାହିନୀରେ ଅଭିନୟ କରିବାକୁ ଚୁକ୍ତି କରିଛନ୍ତି, ଆଉ ଚୁକ୍ତି ମୁତାବକ ଜାନୁଆରୀ ୫ରେ ସିଂହବାହିନୀ ମଞ୍ଚରେ ଅଭିନୟ ଆରମ୍ଭ କରିଛନ୍ତି, ଠିକ୍ ସେତିକି ବେଳେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଅପେରା ସୂର୍ଯ୍ୟମନ୍ଦିର ଏଜେଣ୍ଟ । ଗତ ୬ ତାରିଖରୁ ପୀୟୂଷ କୌଣସି ଅପେରା ପାର୍ଟି ସହ କାମ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ କୋର୍ଟ । କୋର୍ଟଙ୍କ ନୋଟିସ ପାଇବା ପରଠାରୁ ଆଉ ଯାତ୍ରା ମଞ୍ଚରେ ଅଭିନୟ କରୁନାହାନ୍ତି ପୀୟୂଷ । ଗତ ୧୨ ତାରିଖରେ ନିଜ ଓକିଲଙ୍କ ମାଧ୍ୟମରେ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ ପୀୟୂଷ । ଆଉ ଆଜି କୋର୍ଟ ଏହି ମାମଲାର ଶୁଣାଣି କରିଥିଲେ ବି ନିଜ ରାୟକୁ ସଂରକ୍ଷିତ ରଖିଛନ୍ତି ।

ଶୁକ୍ରବାର ଯଦି କୋର୍ଟ ପୀୟୂଷଙ୍କୁ ଯାତ୍ରା ମଞ୍ଚରେ ଅଭିନୟ ପାଇଁ ନିର୍ଦ୍ଦେଶ ଦେଉଛନ୍ତି ତାହେଲେ କାଲି ହିଁ ଯାତ୍ରା ମଞ୍ଚରେ ଚଢ଼ିବେ ପୀୟୂଷ । ଆଉ ଯଦି ପୂର୍ବ କଟକଣାକୁ କୋର୍ଟ ବଳବତ୍ତର ରଖୁଛନ୍ତି ତାହେଲେ ନ୍ୟାୟ ପାଇଁ ଉପରକୋର୍ଟକୁ ଯାଇପାରନ୍ତି ଅଭିନେତା ପୀୟୂଷ ତ୍ରିପାଠୀ ।