ପିଏମ ମୋଦୀଙ୍କ ସହ ବୈଠକରେ ୟୁକ୍ରେନ ଯୁଦ୍ଧକୁ ନେଇ ବଡ଼ ସଂକେତ ଦେଲେ ପୁଟିନ୍‌

NEWS7
sixth-class-student-commits-suicide-in-rourkela

ନୂଆଦିଲ୍ଲୀ: ଦିଲ୍ଲୀର ହାଇଦ୍ରାବାଦ ହାଉସ୍ରେ ଶୁକ୍ରବାର ରୁଷ ରାଷ୍ଟ୍ରପତି ପୁଟିନ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ସାକ୍ଷାତ ହୋଇଛି । ଏହି ସମୟରେ ଏକ ବଡ଼ ଭୂ-ରାଜନୈତିକ ସଂକେତ ମିଳିଛି । ପୁଟିନ୍ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ଉପାୟରେ ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ଉପରେ ରୁଷ ଏବେ ଆମେରିକା ସମେତ ଅନେକ ଦେଶ ସହିତ ଆଲୋଚନା କରୁଛି । ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ଲାଗି ଭଲ ବିକଳ୍ପ ଉପରେ ମଧ୍ୟ ଆଲୋଚନା ଜାରି ରହିଛି । ୟୁକ୍ରେନ ଯୁଦ୍ଧ କେବେ ବନ୍ଦ ହେବ ସେନେଇ ସମଗ୍ର ବିଶ୍ବ ଅପେକ୍ଷା କରିଥିବା ବେଳେ, ପୁଟିନଙ୍କ ସ୍ପଷ୍ଟୋକ୍ତି ସାମାନ୍ୟ ଆଶ୍ବସ୍ତି ଦେଇଛି ।

ବୈଠକରେ ପୁଟିନ ପିଏମ ମୋଦୀଙ୍କୁ ଧନ୍ୟବାଦ ଦେଇ କହିଥିଲେ, ୟୁକ୍ରେନ ଯୁଦ୍ଧକ ନେଇ ଭାରତ ସର୍ବଦା ସନ୍ତୁଳିତ ଆଭିମୁଖ୍ୟ ଦେଖାଇ ଆସିଛି । ମସ୍କୋ ଭାରତର ଏହି ଦୃଷ୍ଟିକୋଣକୁ ମହତ୍ବ ଦେଇଛି ଏବଂ ଏହାକୁ ସକାରାତ୍ମକ ଭୂମିକା ଭାବରେ ଦେଖିଆସିଛି । ଆଲୋଚନା ସମୟରେ, ପୁଟିନ ଭାରତ-ରୁଷ ସମ୍ପର୍କ ବିଷୟରେ ମଧ୍ୟ ଖୋଲାଖୋଲି ଭାବରେ କହିଛନ୍ତି । ସେ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ବିଶ୍ୱାସ ଏବଂ ସହଯୋଗ କେବଳ ଐତିହାସିକ କାରଣରୁ ନୁହେଁ, ବରଂ ପ୍ରଧାନମନ୍ତ୍ରୀ ମୋଦୀ ଗତ କିଛି ବର୍ଷ ଧରି ଏହି ସମ୍ପର୍କକୁ ନୂତନ ଶକ୍ତି ଦେଇଛନ୍ତି । ଦୁଇ ଦେଶ ଏବେ ଉଚ୍ଚ-ପ୍ରଯୁକ୍ତି ବିମାନ ଚଳାଚଳ, ମହାକାଶ ଗବେଷଣା, ଏଆଇ ଏବଂ ନୂତନ ପିଢ଼ିର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକାଠି କାମ କରୁଛନ୍ତି। ପୁଟିନଙ୍କ ଅନୁସାରେ, ଏହି ସହଭାଗୀତା କେବଳ କୂଟନୈତିକ ନୁହେଁ ବରଂ ‘ପ୍ରକୃତ ପ୍ରଗତି’କୁ ସୂଚାଉଛି ।

ଏହି ବୈଠକର ସବୁଠାରୁ ଆକର୍ଷଣୀୟ ଦିଗ ଥିଲା ପୁଟିନଙ୍କ ସ୍ୱୀକାରୋକ୍ତି । ସେ କହିଛନ୍ତି, ରୁଷ ଆମେରିକା ସହିତ ଆଲୋଚନା କରୁଛି। ପୁଟିନ ଭାରତରେ ଥିବା ସମୟରେ କେବେବି ଶାନ୍ତି ପ୍ରକ୍ରିୟା ବିଷୟରେ ଏତେ ସ୍ପଷ୍ଟ ଭାବରେ ଉଲ୍ଲେଖ କରି ନଥିଲେ। ଭାରତ ସର୍ବଦା ୟୁକ୍ରେନ ସମସ୍ୟାର ଆଲୋଚନା ଏବଂ ସମାଧାନ ପାଇଁ ସମର୍ଥନ କରିଆସିଛି।

ଏହି ଭାରତ-ରୁଷ ବୈଠକ କେବଳ ଦ୍ୱିପାକ୍ଷିକ ସମ୍ପର୍କର ଶକ୍ତିକୁ ସଙ୍କେତ ଦେଉନାହିଁ, ବରଂ ଏହା ମଧ୍ୟ ସୂଚିତ କରୁଛି ଯେ, ୟୁକ୍ରେନ ପ୍ରସଙ୍ଗରେ ଆଲେଚନା ପାଇଁ ଆହୁରି ବାଟ ଖୋଲୁଛି । ରୁଷର ଏହି ବିବୃତ୍ତି ଭବିଷ୍ୟତର ଶାନ୍ତି ଆଲୋଚନା ପାଇଁ ଆଧାର ଭାବରେ କାର୍ଯ୍ୟ କରିପାରେ। ଅନେକ ବିଶେଷଜ୍ଞ ଏହାକୁ ସେହି ଦିଗରେ ପ୍ରଥମ ପ୍ରମୁଖ ସଙ୍କେତ ଭାବରେ ଦେଖୁଛନ୍ତି । ତେବେ କୂଟନୀତି ଯୁଦ୍ଧ ଅପେକ୍ଷା ଅଧିକ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ।