୨୦ ବର୍ଷୀୟ ଖେଳାଳି ଉପରେ ଟଙ୍କା ବର୍ଷା, ୧୪.୨୦ କୋଟିରେ କିଣିଲା ଚେନ୍ନାଇ; ଜାଣନ୍ତୁ କିଏ ଏହି ପ୍ରଶାନ୍ତ ବୀର

NEWS7
show-ek-mahanayak-br-ambedkars-actor-jagannath-nivagunne-found-corona-positive

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ ମିନି ନିଲାମ ଅନେକ ବଡ଼ ଖେଳାଳିଙ୍କୁ ନିରାଶ କରିଛି । ଜ୍ୟାକ ଫ୍ରେଜର ମ୍ୟାକଗର୍କ, ପୃଥ୍ୱୀ ଶ’, ଡେଭନ କନଓ୍ଵେ, ସରଫରାଜ ଖାନ୍, ରଚିନ ରବିନ୍ଦ୍ରନ୍, ଲିଆମ ଲିଭିଙ୍ଗଷ୍ଟୋନ୍, ଜନି ବେୟାରଷ୍ଟୋ, ଦୀପକ ହୁଡା, ରାହୁଲ ଚହରଙ୍କ ପରି ଖେଳାଳିଙ୍କୁ କୌଣସି ଟିମ୍ କିଣି ନାହାନ୍ତି । କିନ୍ତୁ ଏହି ନିଲାମ ଅନେକ ଯୁବ ପ୍ରତିଭାବାନ ଖେଳାଳିଙ୍କ ଭାଗ୍ୟ ଖୋଲି ଦେଇଛି । ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କରିଛନ୍ତି ଫ୍ରାଞ୍ଚାଇଜ୍ । ଚଳିତ ନିଲାମର ସବୁଠୁ ଅଧିକ ଚର୍ଚ୍ଚିତ ଖେଳାଳି ହେଉଛନ୍ତି, ପ୍ରଶାନ୍ତ ବୀର ।

ଆବୁଧାବିରେ ଆୟୋଜିତ ଆଇପିଏଲ୍ ୨୦୨୬ ପାଇଁ ମିନି ନିଲାମରେ ଉତ୍ତର ପ୍ରଦେଶର ପ୍ରଶାନ୍ତ ବୀର ଇତିହାସ ରଚିଛନ୍ତି । ନିଲାମୀ ମଞ୍ଚରେ ତାଙ୍କ ନାଁ ଘୋଷଣା ହେବା ପରେ, ଫ୍ରାଞ୍ଚାଇଜଗୁଡ଼ିକ ମଧ୍ୟରେ ଏକ ପ୍ରକାର ଲଢେଇ ଆରମ୍ଭ ହୋଇଥିଲା । ପ୍ରଥମେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଓ ମୁମ୍ୱାଇ ଇଣ୍ଡିୟନ୍ସ ତାଙ୍କ ଉପରେ ବୋଲି ଲଗାଇଥିଲେ ।

ଏହାପରେ ରାଜସ୍ଥାନ ରୟଲ୍ସ, କୋଲକାତା ନାଇଟ୍ ରାଇଡର୍ସ, ଏସ୍‌ଆରଏଚ୍, ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଏଥିରେ ସାମିଲ ହୋଇଥିଲେ । ଅନେକ ଟିମ୍ ମଧ୍ୟରେ ପ୍ରଶାନ୍ତ ପାଇଁ ଲଢେଇ ହେଲା । କିନ୍ତୁ ଶେଷରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଶାନ୍ତ ବୀରଙ୍କୁ ଅବିଶ୍ୱସନୀୟ ଭାବରେ ୧୪.୨୦ କୋଟି ଟଙ୍କାରେ କିଣିଥିଲା । ଏହି ଚୁକ୍ତି ସହ ପ୍ରଶାନ୍ତ ବୀର ଆପିଏଲ୍ ଇତିହାସର ସବୁଠୁ ମହଙ୍ଗା ଅନକ୍ୟାପ୍ଡ ଭାରତୀୟ ଖେଳାଳି ହୋଇଛନ୍ତି ।

ପ୍ରଶାନ୍ତ ବୀରଙ୍କ ବାପା ଜଣେ ଶିକ୍ଷାମିତ୍ର ଅଛନ୍ତି । ଘରୋଇ କ୍ରିକେଟରେ ଲାଗାତାର ଚମତ୍କାର ପ୍ରଦର୍ଶନ କରିଥିବା ୟୁପିର ଏହି ଅଲ୍‌ରାଉଣ୍ଡରଙ୍କୁ ରବୀନ୍ଦ୍ର ଜାଡେଜାଙ୍କ ବିକଳ୍ପ ରୂପେ ଦେଖାଯାଉଛି । ସିଏସକେ ଗତ ମାସରେ ରବୀନ୍ଦ୍ର ଜାଡେଜାଙ୍କୁ ରାଜସ୍ଥାନ ରୟାଲ୍ସ ସହ ଟ୍ରେଡ୍ କରିଥିଲା ।

ପ୍ରଶାନ୍ତ ବୀର ବାମହାତୀ ସ୍ପିନ-ବୋଲିଂ ଅଲରାଉଣ୍ଡର । ପ୍ରଶାନ୍ତ ବୀର ସୈୟଦ ମୁସ୍ତାକ ଅଲି ଟ୍ରଫି ୨୦୨୫ରେ ନିଜ ଖେଳରେ ଅନେକ ଲୋକଙ୍କୁ ପ୍ରଭାବିତ କରିଛନ୍ତି । ପ୍ରଶାନ୍ତ ବୀର ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଏବେ ସୁଦ୍ଧା ସାତଟି ପାଳିରେ ୯ ୱିକେଟ୍ ନେଇଛନ୍ତି । ଏହି ସମୟରେ ଛଅ ପାଳିରେ ୧୧୨ ରନ୍ କରିଛନ୍ତି । ଏଥିରେ ତିନି ଥର ସେ ଅପରାଜିତ ମଧ୍ୟ ଅଛନ୍ତି । ପ୍ରଶାନ୍ତ ବୀର ସୈୟଦ ମୁସ୍ତାକ ଅଲି ଟ୍ରଫିରେ ନିଜ ପ୍ରଥମ ମୁକାବିଲାରେ ୧୦ ବଲରେ ୩୭ ରନ୍ କରି ଚର୍ଚ୍ଚାକୁ ଆସିଥିଲେ । ଏହା ପୂର୍ବରୁ ୟୁପି ଟି-୨୦ ଲିଗରେ ନୋଏଡା ସୁପର କିଙ୍ଗ୍ସ ପାଇଁ ଖେଳି ନିଜ ଚମକ ଦେଖାଇ ସାରିଛନ୍ତି । ନିଲାମ ପୂର୍ବରୁ ପ୍ରଶାନ୍ତ ବୀରଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସର ଟ୍ରାଏଲ୍ ପାଇଁ ଡାକିଥିଲା । ମାତ୍ର ୨୦ ବର୍ଷ ବୟସରେ ପ୍ରଶାନ୍ତ ବୀରଙ୍କୁ ୧୪ କୋଟି ୨୦ ଲକ୍ଷ ଟଙ୍କା ମିଳିବା ତାଙ୍କ ଜୀବନରେ ଏକ ନୂଆ ଅଧ୍ୟାୟର ଆରମ୍ଭ ଅଟେ ।